ଭୁବନେଶ୍ବର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ୟ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । 17ରୁ ଅଧିକ ଲୋକସଭା ସହ ତିନି ଚତୁର୍ଥାଂଶ ବିଧାନସଭା ସିଟରେ ଜିତିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର । ଆସନ୍ତା 2024 ନିର୍ବାଚନର ଫଳାଫଳ କାହା ସପକ୍ଷରେ ଯିବ ସେନେଇ ଚାଲିଛି ଆକଳନ । ଓଡି଼ଶାରେ ବିଜେପି ପାଖାପାଖି 16ଟି ସଂସଦୀୟ କ୍ଷେତ୍ର ହାତେଇବ ବୋଲି ଜାତୀୟ ଗଣମାଧ୍ୟମରେ ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା ।
ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି, "ବିଜେପିର ଜାତୀୟ ନେତୃତ୍ୱ ଭଲ ଭାବେ ଜାଣିଛନ୍ତି 2024 ନିର୍ବାଚନରେ ଓଡି଼ଶାର ବିଜେପି ଶାଖା ଏକ ଶୋଚନୀୟ ପରାଜୟ ଆଡ଼କୁ ଯାଉଛି । ସେମାନେ ଏହା ମଧ୍ୟ ଭଲ ଭାବେ ଜାଣିଛନ୍ତି ଯେ, ଦୁଇ ବର୍ଷ ତଳେ ଓଡିଶାରେ ହୋଇଥିବା ପଞ୍ଚାୟତ, ପୌର ଓ ଜିଲ୍ଲା ପରିଷଦ ନିର୍ବାଚନରେ ଫଲଫଳ କ'ଣ ରହିଛି । 30ରୁ 30 ଜିଲ୍ଲା ପରିଷଦ ବିଜେଡି ଦଖଲରେ ରହିଛି । ବିଜେପି ହାରିଥିଲା । ସେହିପରି 90 ପ୍ରତିଶତ ୟୁଏଲବିରେ ବିଜେଡି ଜୟଯୁକ୍ତ ହୋଇଥିଲା । ବିଜେପିର ସମାନ ଅବସ୍ଥା ପୌର ନିର୍ବାଚନରେ ହୋଇଥିଲା ।"
ଏହା ବି ପଢନ୍ତୁ...ସିଇଓଙ୍କୁ ଫେରାଦ ହେଲା ବିଜେଡି, କହିଲା ଆଚରଣ ବିଧି ଭାଙ୍ଗିବାରେ ରେକର୍ଡ କରୁଛି ବିଜେପି - Code Of Conduct Violation
"ବାରମ୍ବାର ସାଧାରଣ ନିର୍ବାଚନ, ଉପ ନିର୍ବାଚନ, ପୌର ଏବଂ ପଞ୍ଚାୟତ ନିର୍ବାଚନରେ ହାରି ହାରି ଓଡି଼ଶା ବିଜେପିର କ୍ୟାଡର ହତାଶ ଓ ନିରାଶ ହୋଇଯାଇଛନ୍ତି । ସେମାନଙ୍କର ମନୋବଳ ଭାଙ୍ଗି ଯାଇଛି । ସେମାନଙ୍କ ମଧ୍ୟରେ ଉତ୍ସାହ ଭରିବା ପାଇଁ ବିଜେପିର ବରିଷ୍ଠ ନେତା ଅମିତ ଶାହ ଏଭଳି ବକ୍ତବ୍ୟ ଦେଇଛନ୍ତି । ଏ ବକ୍ତବ୍ୟର ଆଉ କୌଣସି ଅର୍ଥ ନାହିଁ । ସାଢ଼େ 4 କୋଟି ଓଡିଶାବାସୀଙ୍କ ଆଶୀର୍ବାଦ କ୍ରମେ ବିଜୁ ଜନତା ଦଳ ଆସନ୍ତା ନିର୍ବାଚନରେ 17ରୁ ଊର୍ଦ୍ଧ୍ବ ଲୋକସଭା ଆସନରେ ବିଜୟ ହେବ । ସେହିପରି 2019 ନିର୍ବାଚନରେ ଯେତିକି ବିଧାନସଭା ଦଖଲ କରିଥିଲୁ, ତାଠାରୁ ଯଥେଷ୍ଟ ଅଧିକ 2024ରେ ବିଜେଡି ପାଇବ । ଜୁନ ୪ରେ ଆମେ ଏମିତି ପ୍ରେସ ମିଟ କରି ଏହି କଥା ମନେ ପକେଇଦେବୁ" ବୋଲି କହି ବିଜେପିକୁ ଟାର୍ଗେଟ୍ କରିଛନ୍ତି ସସ୍ମିତ ପାତ୍ର ।
ଇଟିଭି ଭାରତ, ଭୁବନେଶ୍ବର