ଭୁବନେଶ୍ବର: ନିର୍ବାଚନ ବିଗୁଲ ବାଜିବା ପରେ ବଢୁଛି ରାଜନୈତିକ ଉଷ୍ମତା । ନିର୍ବାଚନକୁ ନେଇ ସବୁ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହି କ୍ରମରେ ଆଜି (ରବିବାର) ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏହି ବୈଠକ ଅନୁଷ୍ଠିତ ହେବ । ଆସନ୍ତା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଶଙ୍ଖ ଭବନ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକ ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେବ । ଯେଉଁଥିରେ 2024 ନିର୍ବାଚନ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯିବ ।
ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ଓ ଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତରାୟଙ୍କ ନେତୃତ୍ବରେ ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ବ୍ୟୋମକେଶ ରାୟ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବେ । ଏହି ବୈଠକ ମୁଖ୍ୟତଃ ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା କିପରି ତୃଣମୂଳ ସ୍ତରରୁ ବିଜୁ ଜନତା ଦଳର ସଂଗଠନକୁ ସୁଦୃଢ଼ କରିବେ । ଏହାସହ ଚଳିତ ବର୍ଷ ହେବାକୁ ଥିବା ନିର୍ବାଚନରେ ବିଜୁ ଜନତା ଦଳ କିପରି ବିପୁଳ ମାତ୍ରାରେ ବିଜୟ ଲାଭ କରିବ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରାଯିବ, ସେନେଇ ସମସ୍ତଙ୍କୁ ଗୁରୁମନ୍ତ୍ର ପ୍ରଦାନ କରାଯିବ ।
ଏହା ସହିତ ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ସୋସିଆଲ ମିଡିଆରେ କିପରି ଅଧିକ କ୍ରିୟାଶୀଳ ହେବେ ସେଥିପାଇଁ ମଧ୍ୟ ଦୃଷ୍ଟି ଦିଆଯିବ । ଆଗାମୀ ସଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିଜୁ ଛାତ୍ର ଜନତା ଦଳ ଏହି ବୈଠକ ଅୟୋଜନ କରିବା ସହ ସମସ୍ତ କର୍ମକର୍ତ୍ତାଙ୍କୁ ଏକ ସଶକ୍ତ ବାର୍ତ୍ତା ମାଧ୍ୟମରେ ନିର୍ବାଚନ ରଣାଙ୍ଗନ ପାଇଁ ପ୍ରସ୍ତୁତ କରିବ । ଏହି ବୈଠକରେ ସମସ୍ତ ଜିଲ୍ଲା ସଭାପତି, ଜୋନ ସଭାପତି ଏବଂ ରାଜ୍ୟ କର୍ମକର୍ତ୍ତା ସମେତ ସମସ୍ତ ଛାତ୍ର ବିଜେଡି କର୍ମକର୍ତ୍ତା ଉପସ୍ଥିତ ରହିବେ ।
ଇଟିଭି ଭାରତ, ଭୁବନେଶ୍ବର