ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ନୂଆପଡା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ମଧ୍ୟରେ ଫାଟ । ଯୋଜନା ଓ ସଂଯୋଜନା ମନ୍ତ୍ରୀ ତଥା ନୂଆପଡା ବିଧାୟକ ରାଜେନ୍ଦ୍ର କୁମାର ଢୋଲକିଆଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଦଳୀୟ ନେତା । ଏହି ପରିପ୍ରେକ୍ଷୀରେ ଶନିବାର ସ୍ଥାନୀୟ ମୃତ୍ତିକା ସଂରକ୍ଷଣ ବିଭାଗ ମିଟିଂ ହଲଠାରେ ନୂଆପଡା ଜିଲ୍ଲା ବିଜୁ ଜନତା ଦଳ ସଭାପତି ମନୋଜ କୁମାର ମିଶ୍ର, ଜିଲ୍ଲା ଯୁବ ବିଜେଡି ସଭାପତି ହରିଶ୍ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେଡି ସଭାପତି ମନୋଜ କୁମାର ମିଶ୍ର, ଯୁବନେତା ହରିଶ୍ଚନ୍ଦ୍ର ପଣ୍ଡା, ସରୋଜ କୁମାର ସାହୁ, ଭାନୁପ୍ରତାପ ସିଂ ମାଝୀ ସମେତ ବିଜୁ ଜନତା ଦଳର ଶତାଧିକ ନେତା କର୍ମୀ ଉପସ୍ଥିତ ରହି ମନ୍ତ୍ରୀ ରାଜେନ୍ଦ୍ର କୁମାର ଢୋଲକିଆଙ୍କ ବିରୁଦ୍ଧରେ ବିଷୋଦଗାର କରିଛନ୍ତି । ମନ୍ତ୍ରୀ ବିଜୁ ଜନତା ଦଳକୁ ବଞ୍ଚାଇବା ପରିବର୍ତ୍ତେ ବିନାଶ କରିବା କାମ କରିଚାଲିଛନ୍ତି । ବିଜେଡି ଦଳର ବିଭିନ୍ନ ପଦପଦବୀରେ ଥିବା ନେତୃମଣ୍ଡଳୀକୁ ଅଣଦେଖା କରି ଗୁରୁତ୍ବ ଦେଉନାହାଁନ୍ତି । ନିଜ ଚାଟୁକାରମାନଙ୍କୁ ଧରି ପାର୍ଟି ଚଳାଇଛନ୍ତି । ସେହିଭଳି ଗତ ପଞ୍ଚାୟତ ନିର୍ବାଚନ ସମୟରେ ଜିଲ୍ଲା ପରିଷଦ ଦଳୀୟ ଟିକେଟ ବଣ୍ଟନ ପ୍ରକ୍ରିୟାରେ ବ୍ୟତିକ୍ରମ କରିଛନ୍ତି । 7 ନମ୍ବର ଏବଂ 9 ନମ୍ବର ଜିଲ୍ଲା ପରିଷଦ ଜୋନ ଦଳୀୟ ଟିକେଟ ବଣ୍ଟନରେ ଟଙ୍କା ନେଇ ଟିକେଟ ବିକ୍ରି କରିଥିବା ଅଭିଯୋଗ କରିଛନ୍ତି ଦଳୀୟ ନେତା ।
ଏହା ମଧ୍ୟ ପଢନ୍ତୁ... ବିଧାନସଭା ନିର୍ବାଚନ 2024; କାହାର ହେବ ନୂଆପଡା, କିଏ ମାରିବେ ବାଜି ?
ସେହିଭଳି 5 ପର୍ସେଣ୍ଟରୁ 10 ପର୍ସେଣ୍ଟ ଟଙ୍କା ଲାଞ୍ଚ ନେଇ ଠିକା କାମ ବିକ୍ରି କରୁଥିବା ଅଭିଯୋଗ ହୋଇଛି । 5 ପର୍ସେଣ୍ଟ ଟଙ୍କା ଦେଇଥିବା ଠିକାଦାରଙ୍କୁ ବିଲ୍ଡିଂ କାମ ଏବଂ 10 ପର୍ସେଣ୍ଟ ଟଙ୍କା ଦେଇଥିବା ଠିକାଦାରଙ୍କୁ ରାସ୍ତା କାମ ବଣ୍ଟନ କରିଆସୁଛନ୍ତି । ଯାହାକି ଆଇନ ସମ୍ମତ ନୁହେଁ । ଏଭଳି ସଙ୍ଗୀନ ଅଭିଯୋଗ କରି ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ବିରୁଦ୍ଧରେ ଗର୍ଜିଛନ୍ତି ବିଜେଡି ନେତା । ଆଗାମୀ ଦିନରେ ବିଧାୟକ ପ୍ରାର୍ଥୀ ଭାବରେ ଦଳୀୟ ଟିକେଟ ଦେଲେ ରାଜେନ୍ଦ୍ରଙ୍କୁ ତୀବ୍ର ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଜିଲ୍ଲା ବିଜୁ ଜନତା ଦଳ ସଭାପତି ମନୋଜ କୁମାର ମିଶ୍ର କହିଛନ୍ତି ଯେ, ବିଜୁ ପରିବାରର ସମସ୍ତ ସଦସ୍ୟ ବିଧାୟକଙ୍କୁ ବିରୋଧ କରୁଛୁ । ସେହିପରି ଯୁବ ବିଜୁ ଜନତା ଦଳ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା କହିଛନ୍ତି ଯେ, ନବୀନ ବାବୁଙ୍କ ଛବିକୁ ବିଧାୟକ ମଳିନ କରୁଛନ୍ତି । ତେଣୁ ବିଧାୟକଙ୍କୁ ଦଳୀୟ ଟିକେଟ ଦିଆଗଲେ ଆମେ ସମସ୍ତେ ମିଳିତ ଭାବେ ନିର୍ବାଚନରେ ତାଙ୍କ ବିରୋଧରେ ଲଢିବୁ ।
ଇଟିଭି ଭାରତ, ନୂଆପଡା