ରାଇରଙ୍ଗପୁର: ଆସନ୍ତା ଜୁନ ୧ ତାରିଖରେ ରାଜ୍ୟରେ ହେବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ଆଜି ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହରରେ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ ବିଜେଡ଼ିର ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କ ସହ ଭଞ୍ଜସେନାର ଜଣେ ବିଧାୟକ ପ୍ରାର୍ଥୀ ଓ ମୟୂରଭଞ୍ଜ ଲୋକସଭା ଆସନ ପାଇଁ ସାଂସଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ବିଜେପି ଏବଂ ବିଜେଡ଼ି ଉଭୟ ଦଳ ହଜାର ହଜାର ସଂଖ୍ୟାରେ ନିଜ ନିଜର କର୍ମକର୍ତ୍ତା ଓ ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିବା ସହିତ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ଭଞ୍ଜସେନା ମଧ୍ୟ ନିଜର ହଜାର ହଜାର କର୍ମକର୍ତ୍ତା ଓ ସମର୍ଥକଙ୍କୁ ନେଇ ବାରିପଦା ଠାରେ ଶକ୍ତି ପ୍ରଦର୍ଶନ କରିଛି । ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରର ମଧୁବନ ପଡିଆ ଠାରୁ ଏକ ବିଶାଳ ପଟୁଆରରେ ବିଜେପିର ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀମାନେ ନିଜର ହଜାର ହଜାର କର୍ମକର୍ତ୍ତା ଓ ସମର୍ଥକଙ୍କ ସହିତ ବାହାରି ବାରିପଦା ମାର୍କେଟ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ।
ବିଜେପିର ମୟୂରଭଞ୍ଜ ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ନବଚରଣ ମାଝୀ, ମୋରଡା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ବଡ଼ସାହି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସନାତନ ବିଜୁଳି, ବାରିପଦା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରକାଶ ସୋରେନ ଓ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥିନୀ ସଞ୍ଜଳୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚି ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ ... ଅକ୍ଷୟ ତୃତୀୟାରେ ନାମାଙ୍କନ ଭରିଲେ ମୟୂରଭଞ୍ଜର ବିଧାୟକ ଓ ସାଂସଦ ପ୍ରାର୍ଥୀ - Lok Sabha Election 2024
ସେହିପରି ବିଜେଡ଼ି ପକ୍ଷରୁ ମଧ୍ୟ ମୟୁରଭଞ୍ଜରେ ଶକ୍ତି ପ୍ରଦର୍ଶନ କରାଯାଇଛି । ବାରିପଦା ସହରର ଛଉ ପଡିଆ ଠାରୁ ବିଜେଡ଼ି ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀମାନେ ନିଜର ହଜାର ହଜାର ସମର୍ଥକ ଓ କର୍ମୀଙ୍କ ସହିତ ବିଶାଳ ରାଲିରେ ବାହାରି ସହର ପରିକ୍ରମା କରି ମୁଖ୍ୟ ବଜାର ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ବିଜେଡ଼ିର ମୟୂରଭଞ୍ଜ ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି, ବାରିପଦା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସାନନ୍ଦ ମାରାଣ୍ଡି, ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥିନୀ ରଞ୍ଜିତା ମାରାଣ୍ଡି, ମୋରୋଡା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥିନୀ ପ୍ରୀତିନନ୍ଦା କାନୁନଗୋ ଓ ବଡ଼ସାହି ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥିନୀ ଅନୁସୟା ପାତ୍ର ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚି ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ଗୋଟିଏ ପଟେ ମୋଦି ଗ୍ୟାରେଣ୍ଟି ଓ ମୋଦିଙ୍କ ବିକଶିତ ଭାରତ ବିକଶିତ ଓଡ଼ିଶାର ନାରା ନେଇ ବିଜେପି ପ୍ରାର୍ଥୀମାନେ ମୟୂରଭଞ୍ଜରେ ବିଜୟୀ ହେବା ନେଇ ଆଶା ବାନ୍ଧିଥିବା ବେଳେ ଅନ୍ୟପଟେ ନବୀନ ପଟ୍ଟନାୟକଙ୍କ ଜନାଭିମୁଖୀ ଯୋଜନା, ମହିଳା ମାନଙ୍କୁ ସ୍ବାବଲମ୍ବୀ ଓ ଓଡ଼ିଶାରେ ବିକାଶ ଧାରା ଯେଉଁ ଭଳି ଦୃତ ଗତିରେ ଆଗେଇ ଚାଲିଛି ସେନେଇ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜର ସମସ୍ତ ସିଟ ବିଜେଡି ଦଖଲ କରିବ ବୋଲି ଆଶା ପ୍ରକଟ କରିଛନ୍ତି ବିଜେଡ଼ି ପ୍ରାର୍ଥୀ ।
ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଉପସ୍ଥିତିରେ ଭଞ୍ଜସେନା ପ୍ରାର୍ଥୀ ଶକ୍ତି ପ୍ରଦର୍ଶନ କରିବା ସହ ମୋରଡା ନିର୍ବାଚନ ମଣ୍ଡଳୀର ଭଞ୍ଜସେନା ବିଧାୟକ ପ୍ରାର୍ଥୀ ସଞ୍ଜୀବ ରାଉତ ଓ ମୟୂରଭଞ୍ଜ ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ବାଜୁନ ହାଁସଦା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିବା ସହ ଏଥର ମୟୁରଭଞ୍ଜର ଜନତା ନିଶ୍ଚିତ ଭାବେ ଜିଲ୍ଲା ସହିତ ଛିଡ଼ା ହୋଇ ପରିବର୍ତ୍ତନ କରିବେ ବୋଲି କହିଛନ୍ତି ଭଞ୍ଜସେନାର ମୋରୋଡା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସଞ୍ଜୀବ ରାଉତ ।
ଇଟିଭି ଭାରତ, ମୟୂରଭଞ୍ଜ