ନୂଆଦିଲ୍ଲୀ: ଗତ କିଛି ମାସ ମଧ୍ୟରେ ଘାଟିରେ ଆତଙ୍କବାଦୀ କାର୍ଯ୍ୟକଳାପରେ ବୃଦ୍ଧି ଘଟିଛି । ଏଥିମଧ୍ୟରୁ ଅଧିକାଂଶ ସୁରକ୍ଷା ବାହିନୀ ଉପରେ ଆତଙ୍କୀ ଆକ୍ରମଣର ଘଟଣା ରହିଛି । ଏଥିରେ ଭାରତୀୟ ସଶସ୍ତ୍ର ବଳର ଯବାନ ଶହୀଦ ହେବା ସହ ଆହତ ମଧ୍ୟ ହୋଇଛନ୍ତି । ଯାହା ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିଛି । ଉଭୟ ସରକାରଙ୍କ ଉପରେ ଓ ପରୋକ୍ଷରେ ସୁରକ୍ଷା ବାହିନୀ ଉପରେ ମଧ୍ୟ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧିକୁ ନେଇ ଚାପ ରହିଛି । ଘାଟିରେ ଆତଙ୍କବାଦୀ କାର୍ଯ୍ୟକଳାପରେ ପୂର୍ବାପେକ୍ଷା ହ୍ରାସ ଘଟିଥିଲେ ସୁଦ୍ଧା ଏହାର ଅର୍ଥ ନୁହେଁ ଯେ ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ଅଛି ।
ଜମ୍ମୁ କାଶ୍ମୀରରେ ବିଶେଷ ଭାବେ ଭାରତ, ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦର ସମ୍ମୁଖୀନ ହୋଇଆସୁଛି । ଦୁଇ ଦେଶ ମଧ୍ୟରେ ଏହି ଗମ୍ଭୀର ପ୍ରସଙ୍ଗରେ ଜାରି ରହିଥିବା କଥାବାର୍ତ୍ତା କଦାପି ସମାଧାନର ରାସ୍ତା ବାହାର କରିବାରେ ସକ୍ଷମ ହେବନାହିଁ । କାରଣ ଏହି ପ୍ରସଙ୍ଗରେ ଦୁଇଦେଶ ମଧ୍ୟରେ କୌଣସି ସାଧାରଣ ମତ ମଧ୍ୟ ନାହିଁ । ଘାଟିର ଯେଉଁ ଅଞ୍ଚଳରେ ସୁରକ୍ଷା ବାହିନୀର ଉପସ୍ଥିତି ଅଧିକ ରହିଛି, ସେହି ସ୍ଥାନରୁ ଆତଙ୍କୀ ଗତିବିଧି ହ୍ରାସ ପାଉଥିବା ବେଳେ ଯେଉଁ ସ୍ଥାନରେ ଫୋର୍ସ କମ ରହିଛନ୍ତି ସେଠାରେ ଅନୁରୂପ ଭାବେ ବଢିବାରେ ଲାଗିଛି ।
ଆତଙ୍କବାଦୀମାନେ ମଧ୍ୟ ସେମାନଙ୍କୁ ସର୍ବାଧିକ ସୁବିଧା ଯୋଗାଉଥିବା ଏରିଆକୁ ନିଜ ନୂଆ ଆଡ୍ଡାସ୍ଥଳୀ ଭାବେ ବାଛୁଛନ୍ତି । ଘଞ୍ଚଜଙ୍ଗଲ, ଗୁମ୍ଫା ପରି ସ୍ଥାନ ଥିବା ପାହାଡିଆ ଦୁର୍ଗମ ଅଞ୍ଚଳ ଓ ଭାରତ-ପାକ ନିୟନ୍ତ୍ରଣ ରେଖା (LOC)ର ନିକଟବର୍ତ୍ତୀ ସ୍ଥାନ ଆତଙ୍କବାଦୀଙ୍କ ପାଇଁ ଅନୁକୂଳ ଠିକଣାରେ ପରିଣତ ହେବାରେ ଲାଗିଛି । ଏହିପରି କ୍ଷେତ୍ରରେ ଡ୍ରୋନ୍ ଭଳି ଅତ୍ୟାଧୁନିକ ଲାଇଭ୍ ଇନପୁଟ୍ ପ୍ରଦାନ କରୁଥିବା ଡିଭାଇସର ବ୍ୟବହାର ଓ ଉପଯୋଗିତା ମଧ୍ୟ ସୀମିତ ରହିଛି । କାରଣ ଭୌଗଳିକ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଦୃଶ୍ୟମାନତା ମଧ୍ୟ କମ ରହିଥାଏ । ଏହା ବ୍ୟତୀତ ଅନ୍ୟ ଏକ କାରଣ ହେଉଛି, ସେଠାରେ କିଛି ଆତଙ୍କୀ ସମର୍ଥକଙ୍କ ଉପସ୍ଥିତି ମଧ୍ୟ ରହିଛି । ମୁଖ୍ୟତଃ ଆର୍ଥିକ ପ୍ରଲୋଭନ ସହ ସମ୍ଭବତଃ ଆଦର୍ଶ ଦ୍ୱାରା ସେମାନଙ୍କୁ ପ୍ରଭାବିତ କରାଯାଉଛି । ଯେଉଁମାନେ ଆତଙ୍କବାଦୀଙ୍କ ନିକଟକୁ ସୁରକ୍ଷା ବାହିନୀର ପୋଜିସନ ଓ ଅପରେସନ ପ୍ରସ୍ତୁତି ସମ୍ପର୍କିତ ଆଗୁଆ ସୂଚନା ପ୍ରଦାନ କରିବାରେ ଲାଗିଛନ୍ତି । ଏହା ଆତଙ୍କବାଦୀଙ୍କୁ ସୁରକ୍ଷାବଳ ବିରୋଧରେ ଲଢିବାକୁ ଅଧିକ ଶକ୍ତି ଯୋଗାଉଛି । ଅନୁରୂପ ଭାବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସୁରକ୍ଷାବାହିନୀ ପାଇଁ ଅଧିକ କଠିନ ଓ ଆହ୍ବାନପୂର୍ଣ୍ଣ ହୋଇପଡୁଛି ।
ନିକଟରେ ଶେଷ ହୋଇଥିବା ନିର୍ବାଚନ ସମୟରେ ଘାଟିରେ ଆତଙ୍କବାଦ ସ୍ଥିତିରେ ସୁଧାର ଆସିଛି ବୋଲି ରାଜନୈତିକ ବିବୃତ୍ତି ଦିଆଯାଇଥିଲା । ସରକାର କେତେକ ସ୍ଥାନରୁ AFSPA (ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ) ପ୍ରତ୍ୟାହାର କରିବାକୁ ମଧ୍ୟ ଚିନ୍ତା କରୁଛନ୍ତି ବୋଲି କହିଥିଲେ । ଲଦାଖରେ ଅନୁପ୍ରବେଶ ପରେ କିଛି ସୈନ୍ୟ ଜମ୍ମୁ ଅଞ୍ଚଳରୁ ଯାଇ ସେଠାରେ ମୁତୟନ ହୋଇଥିଲେ । ଏହି ପ୍ରସଙ୍ଗରେ ସ୍ୱଳ୍ପ ମିଆଦି ମୂଲ୍ୟାଙ୍କନ ଉପରେ ଆଧାର କରି ଏହା ଏକ ତ୍ୱରିତ ପଦକ୍ଷେପ ଥିଲା । ବର୍ତ୍ତମାନ ସୈନ୍ୟ ଶକ୍ତି ହ୍ରାସ କରିବା ପରିବର୍ତ୍ତେ ସେଠାରେ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି ।
ଜାମ୍ମୁ କାଶ୍ମୀରରେ ଆତଙ୍କବାଦ କାର୍ଯ୍ୟକଳାପକୁ ବ୍ୟାପକ ଦୃଷ୍ଟିରୁ ଦେଖିବାର ମଧ୍ୟ ଆବଶ୍ୟକତା ରହିଛି । ଆତଙ୍କବାଦ ବିରୋଧରେ ଲଢୁଥିବା ସୈନ୍ୟଶକ୍ତି ପାଇଁ ଇଣ୍ଟେଲିଜେନ୍ସ ଗ୍ରୀଡ୍ ପ୍ରତିଷ୍ଠା କରିବା, ନିରନ୍ତର ସର୍ଭିଲାନ୍ସ ଶେଷରେ ଅପରେସନକୁ ସଫଳ କରିପାରିବ । ଏପରି ସମ୍ବେଦନଶୀଳ ଏରିଆରେ ନିଯୁକ୍ତ ସୈନିକମାନଙ୍କୁ ତାଲିମର ଆବଶ୍ୟକତା ମଧ୍ୟ ରହିଛି । ସ୍ଥାନୀୟ ଅଞ୍ଚଳ ସମ୍ପର୍କରେ ତଥ୍ୟ ରଖୁଥିବା ଲୋକଙ୍କ ସହଯୋଗ ମଧ୍ୟ ନେବାର ଆବଶ୍ୟକତା ରହିଛି ।
ପ୍ରକୃତ ନିୟନ୍ତ୍ରଣ ରେଖାରେ ସମ୍ଭାବ୍ୟ ଆତଙ୍କୀ ଅନୁପ୍ରବେଶ ଉଦ୍ୟମକୁ ହ୍ରାସ କରିବା ପାଇଁ ଆତଙ୍କବାଦ ବିରୋଧୀ ଗ୍ରୀଡ୍କୁ ଦୃଢ କରାଯିବାର ଆବଶ୍ୟକତା ରହିଛି । ଆତଙ୍କବାଦୀ ଓ ସେମାନଙ୍କ ସ୍ଥାନୀୟ ଇନଫର୍ମରଙ୍କ ମଧ୍ୟରେ ଥିବା ଯୋଗାଯୋଗକୁ ମଧ୍ୟ ଭାଙ୍ଗିବାକୁ ପଡିବ । 2003–04 ମସିହାରେ ଏହି ଅଞ୍ଚଳରେ ଥିବା ସ୍ଥାନୀୟ ପଶୁପାଳକମାନଙ୍କୁ ପାହାଡି ଏରିଆକୁ ଯିବାକୁ ବାରଣ କରାଯାଇଥିଲା । ଏହା ଆତଙ୍କବାଦୀଙ୍କୁ ଆହୁରି ବିଚ୍ଛିନ୍ନ କରିବାରେ ସାହାଯ୍ୟ କରିଥିଲା । ବର୍ତ୍ତମାନ ସମାନ ଢଙ୍ଗରେ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ପାରିବ କି ନାହିଁ ତାହା ମଧ୍ୟ ଭାବିବାର ଅଛି ।
ଏହି ସମୟରେ ପ୍ରସିଦ୍ଧ ଅମରନାଥ ଯାତ୍ରା ମଧ୍ୟ ଚାଲିଛି । ଏହାର ନିରାପତ୍ତା ଉପରେ ସୁରକ୍ଷା ବାହିନୀ ଦ୍ବାରା ଗୁରୁତ୍ୱ ଦିଆଯିବା ମଧ୍ୟ ଏକ ଅତିରିକ୍ତ ଚିନ୍ତାର ବିଷୟ । ଏହି ଯାତ୍ରା ଘାଟିର ଲୋକଙ୍କ ପାଇଁ ଏକ ଜୀବନ ରେଖା ବୋଲି କୁହାଯାଏ । ଘାଟିର ବିଭିନ୍ନ ସ୍ଥାନରୁ ଲୋକେ ଏହି ଯାତ୍ରାର ତୀର୍ଥଯାତ୍ରୀଙ୍କୁ ସହଯୋଗ କରିଥାନ୍ତି । ଏହା ସେମାନଙ୍କ ଜୀବିକା ସହ ମଧ୍ୟ ଜଡିତ । ତେଣୁ ଉଭୟ ତୀର୍ଥଯାତ୍ରୀ ଓ ସ୍ଥାନୀୟ ଲୋକଙ୍କର ନିରାପତ୍ତାକୁ ନିଶ୍ଚିତ କରିବା ସୁରକ୍ଷାବଳର ପ୍ରାଥମିକତା । କିନ୍ତୁ ସବୁ ପରେ ମଧ୍ୟ କୌଣସି ପରିସ୍ଥିତିରେ ସୁରକ୍ଷା ବାହିନୀକୁ ସମାଲୋଚନା କରିବା କିମ୍ବା ସେମାନଙ୍କ ଉପରେ ଚାପ ପକାଇବାର ଏହା ସମୟ ନୁହେଁ ।
ଦେଶ ସେମାନଙ୍କର କୌଣସି ଚମତ୍କାର କାର୍ଯ୍ୟ ମଧ୍ୟ ଆଶା କରିବା ଉଚିତ ନୁହେଁ । ଏହି ମିଶନଗୁଡିକ ହଠାତ ସଫଳ ନୁହେଁ ବରଂ ଧୈର୍ଯ୍ୟର ସହ ସଫଳ କାର୍ୟ୍ୟାନ୍ବୟନ ଆବଶ୍ୟକ କରେ । ସେନା ପାଇଁ ଅନ୍ୟ ଏକ ସୁଯୋଗ ହେଉଛି, ଘାଟିରେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଅନୁପ୍ରବେଶ କରିଥିବା ଆତଙ୍କବାଦୀଙ୍କ ପୁନର୍ବାର ପାକିସ୍ତାନ ସୀମାକୁ ଫେରିଯିବା ସମ୍ଭବ ନୁହେଁ । ସେମାନେ କେବଳ ଆତ୍ମଗୋପନ କରି ସେମାନଙ୍କର ମିଶନକୁ ସଫଳ କରିବା ପାଇଁ କାର୍ଯ୍ୟ କରିବେ । ଏହି ସମୟରେ ସେନା ସଠିକ ସୂଚନା ସହ ସେମାନଙ୍କୁ ଘେରାବନ୍ଦୀ କରି ନିପାତ କରିବାରେ ସଫଳ ହୋଇପାରିବ ।
ଅନ୍ୟ ଏକ ପ୍ରସଙ୍ଗ ହେଉଛି, ଜାତୀୟସ୍ତରରେ ଆମକୁ ଆମର ଅନ୍ତର୍ଜାତୀୟ ସୀମାକୁ ସ୍ପଷ୍ଟ ଭାବରେ ଚିହ୍ନିତ କରିବାକୁ ପଡିବ । ବାଲାକୋଟ ଏୟାରଷ୍ଟ୍ରାଇକ ଦେଶର ନିଷ୍ଠା ପ୍ରଦର୍ଶନ କରିଥିଲା । କିନ୍ତୁ ସମୟକ୍ରମେ ଏହାର ପ୍ରଭାବ ହ୍ରାସ ପାଇଲା ପରି ସ୍ଥିତି ଆସିଲାଣି । ପୁଣି ଥରେ ଆତଙ୍କବାଦ ପ୍ରସଙ୍ଗରେ ଏକ ସ୍ୱଚ୍ଛ ବାର୍ତ୍ତା ଦେବାର ଆବଶ୍ୟକତା ଆସିଛି । ଅତୀତର କୌଣସି ସାମରିକ ଅଭିଯାନର ରାଜନୈତିକ ଫାଇଦା ଉଠାଇବା ଏବଂ ନିର୍ବାଚନ ପ୍ରଚାର ସମୟରେ ପ୍ରତିପକ୍ଷକୁ ଏହାର ଉଦାହରଣ ଦେବା ଆତଙ୍କବାଦର ସମାଧାନ ନୁହେଁ । ରାଜନୈତିକ ବୟାନବାଜୀ ପରିବର୍ତ୍ତେ ଆମକୁ ପାକିସ୍ତାନର ଉଦ୍ଦେଶ୍ୟ ବୁଝିବାକୁ ପଡ଼ିବ । ସେହି ଆଧାରରେ ସେମାନଙ୍କୁ ପ୍ରତିରୋଧ କରିବାକୁ ପଡ଼ିବ ।
ସମ୍ପାଦକୀୟ...