ଲେଖକ- ପିଭି ରାଓ
ନିର୍ଦ୍ଦେଶକ, ପେନ୍ନାର ଇଣ୍ଡଷ୍ଟ୍ରିସ୍
ହାଇଦ୍ରାବାଦ: ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବା ଏମଏସଏମଇ (MSME) ଭାରତୀୟ ଶିଳ୍ପ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି । ସେମାନେ ପଛୁଆ ଅଞ୍ଚଳର ବିକାଶରେ ସହଯୋଗ କରିବା ସହ ଆଞ୍ଚଳିକ ଭେଦଭାବ ହ୍ରାସ ଦିଗରେ ସହାୟତା କରନ୍ତି । ଏହାସହ ଏହି ଉଦ୍ୟୋଗ ଗୁଡ଼ିକ ଦ୍ବାରା ଦେଶର ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିଥାଏ । ଏହାସହ ଜିଡିପି ଏବଂ ରପ୍ତାନି କ୍ଷେତ୍ରରେ ମଧ୍ୟ ସେମାନଙ୍କର ଯଥେଷ୍ଟ ଅବଦାନ ରହିଛି । ଏହା ସତ୍ତ୍ବେ ଭାରତରେ MSME ଗୁଡିକ ଆର୍ଥିକ ସହାୟତା, ବ୍ୟବସାୟିକ ତଥା ବୈଷୟିକ ଜ୍ଞାନକୌଶଳ ଅଭାବରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନାବଶ୍ୟକ ଉତ୍ପାଦନ ଏବଂ ବଜାର ସ୍ଥିତିରେ ଅନିଶ୍ଚିତତା ଯୋଗୁଁ ଭାରତୀୟ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୁଡିକ ବିଶ୍ବସ୍ତରୀୟ ଅନ୍ୟ ଉଦ୍ୟୋଗ ଗୁଡ଼ିକର ସମକ୍ଷକ ହେବାରେ ସମର୍ଥ ହୋଇପାରୁନାହାନ୍ତି ।
ଜିଡିପିରେ MSMEର ୩୦% ଅବଦାନ:
କୁଶଳୀ ଏବଂ ଅର୍ଦ୍ଧ କୁଶଳୀ ଶ୍ରମିକମାନଙ୍କ ପାଇଁ 111 ନିୟୁତ ନିଯୁକ୍ତି ସୁଯୋଗ ସୃଷ୍ଟି କରି MSME କ୍ଷେତ୍ର କ୍ରମାଗତ ଭାବରେ ଭାରତର ଜିଡିପିରେ ପ୍ରାୟ 30 ପ୍ରତିଶତ ଯୋଗଦାନ ଦେଇଛି । ବର୍ତ୍ତମାନ MSME ଗୁଡ଼ିକୁ 20-25 ଟ୍ରିଲିୟନ ଟଙ୍କାର ଋଣ ବ୍ୟବଧାନର ସମ୍ମୁଖୀନ ହେବାକୁ ପଡ଼ିଛି ।
MSME କ୍ଷେତ୍ରରେ ଉପୁଜୁଥିବା ସମସ୍ୟା:
ସମସ୍ତ କ୍ଷୁଦ୍ର ବ୍ୟବସାୟ ବିଶେଷ ଭାବେ ଋଣ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଋଣ ପରିଶୋଧ କ୍ଷମତା ନଥିବାରୁ MSME ଗୁଡିକ ଆର୍ଥିକ ସହାୟତା ପାଇବାକୁ ସଂଘର୍ଷ କରୁଥିବା ଜଣାପଡ଼ିଛି । MSME ଗୁଡ଼ିକୁ ସହଜରେ ଋଣ ଯୋଗାଇବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଉଥିଲେ ସୁଦ୍ଧା ଅନେକ ପ୍ରତିବନ୍ଧକ ରହିଛି । ଭାରତର ଅର୍ଥନୈତିକ ମେରୁଦଣ୍ଡ ସାଜିଥିବା MSME କ୍ଷେତ୍ର ଦେଶର ଶିଳ୍ପ କ୍ଷେତ୍ରର ଏକ ବଡ ଅଂଶ କହିଲେ ଭୁଲ ହେବ ନାହିଁ । ସମୁଦାୟ ଶିଳ୍ପ ଉତ୍ପାଦନର 45%, ମୋଟ ରପ୍ତାନୀର 40% ଏବଂ ଦେଶର ଜିଡିପିର 30% ଭଳି ଏହାର ଯୋଗଦାନ ରହିଛି । ଦେଶର ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ MSME ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହାସଲ କରିଛି । ରୋଜଗାର ସୃଷ୍ଟି ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ସୁନିଶ୍ଚିତ କରିଛି ମାଇକ୍ରୋ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ । ଦେଖିବାକୁ ଗଲେ ଷ୍ଟାର୍ଟ ଅପ୍ MSME ଗୁଡିକ ପାଇଁ ବିଫଳତା ହାର ଅଧିକ ରହୁଛି । କିନ୍ତୁ ବହୁ ବାଧା ବିଘ୍ନ ସତ୍ତ୍ବେ ଅଭିବୃଦ୍ଧି ସୁନିଶ୍ଚିତ କରିବା ପାଇଁ ଏହି ଉଦ୍ୟୋଗ ଗୁଡିକ ଆର୍ଥିକ ବ୍ୟବସ୍ଥା ସୁଦୃଢ କରିବା ଜରୁରୀ ହୋଇପଡ଼ିଛି । ଏଠାରେ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ । ତେବେ MSME କ୍ଷେତ୍ରରେ ଋଣ ସୁବିଧା ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି ଏକମାତ୍ର ମାନଦଣ୍ଡ ନୁହେଁ, ବରଂ ବ୍ୟାଙ୍କଗୁଡିକ ଏହି ଦିଗରେ ଭଲ ପ୍ରକଳ୍ପ ଆଣିବାର ଆବଶ୍ୟକତା ରହିଛି ।
'କ୍ରେଡିଟ୍ ଗ୍ୟାରେଣ୍ଟି' ଯୋଜନା:
କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ ଅନ୍ତର୍ଗତ ଋଣ ପ୍ରଦାନ ସମୟରେ ଆର୍ଥିକ ସଂସ୍ଥାଗୁଡ଼ିକ ମଧ୍ୟ ସୁରକ୍ଷିତ ରହିବେ । ତେଣୁ ଏହି ଯୋଜନା ଏହି ଯୋଜନା ବ୍ୟାଙ୍କର ଏବଂ ଉଦ୍ୟୋଗୀମାନଙ୍କ ମଧ୍ୟରେ ଲୋକପ୍ରିୟ ହେବା ଉଚିତ୍ । ଏହି ସମସ୍ୟାର ସମାଧାନ ପାଇଁ ଏପରି ନୀତି କାର୍ଯ୍ୟକାରୀ କରିବା ଆବଶ୍ୟକ ଯାହାକି ଋଣ ପ୍ରଦାନ ଢାଞ୍ଚାକୁ ସହଜ କରିଥାଏ । ଯେପରି ଶୃଙ୍ଖଳିତ ଆବେଦନ ପ୍ରକ୍ରିୟା, ବନ୍ଧକମୁକ୍ତ ଋଣ ଏବଂ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ।
MSME ମନ୍ତ୍ରାଳୟ ଅଧୀନରେ ସହାୟତା:
ଉତ୍ପାଦଗୁଡିକର ବଜାର ଯୋଗ୍ୟତା ବୃଦ୍ଧି କେବଳ MSME ପାଇଁ ନୁହେଁ ବରଂ ବଡ଼ ଆକାରର ବ୍ୟବସାୟ ପାଇଁ ମଧ୍ୟ ଏକ କଷ୍ଟକର କାର୍ଯ୍ୟ । ଯେତେବେଳେ କ୍ଷୁଦ୍ର-ବ୍ୟବସାୟ ବିଷୟରେ କଥା ଆସେ ସେତେବେଳେ ଉତ୍ସ, ସମୟ, ଅର୍ଥ ଏବଂ କୁଶଳୀ କର୍ମଚାରୀଙ୍କ ଅଭାବ ହେତୁ ଗୁଣାତ୍ମକ ମାନ ବୃଦ୍ଧି କଷ୍ଟକର ହୋଇପଡ଼େ । ଏହି ସମସ୍ୟାକୁ ଦୂର କରିବା ପାଇଁ MSME ମନ୍ତ୍ରାଳୟ ଅଧୀନରେ ଥିବା NSIC (ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ) କ୍ରମାଗତ ଭାବରେ କର୍ମଶାଳା ଆୟୋଜନ କରେ । ଏହାଦ୍ବାରା ଉଦ୍ୟୋଗଗୁଡ଼ିକୁ ଅନଲାଇନ୍ ଏବଂ ଅଫଲାଇନରେ ସେମାନଙ୍କ ଉତ୍ପାଦ ଏବଂ ସେବା ଗୁଡିକର ମାର୍କେଟିଂ ପାଇଁ ତାଲିମ ପ୍ରଦାନ କରାଯାଏ ।
କୋଭିଡ୍ -19 ମହାମାରୀର ପ୍ରଭାବ:
କୋଭିଡ -19 ମହାମାରୀ ଆରମ୍ଭରୁ କଞ୍ଚାମାଲର ମୂଲ୍ୟ ବହୁଗୁଣିତ ହୋଇଛି । ଉତ୍ପାଦନ ଜାରି ରଖିବା ପାଇଁ ଉତ୍ପାଦନ କ୍ଷେତ୍ରରେ MSME ଗୁଡ଼ିକ ପାଇଁ କଞ୍ଚାମାଲ କ୍ରୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ତେଣୁ NSIC ଏକ 'କଞ୍ଚାମାଲ ସହାୟତା ଯୋଜନା' ଚଲାଇଛି । ଯାହା ଦ୍ବାରା ଉଭୟ ସ୍ବଦେଶୀ ତଥା ଆମଦାନୀ ହୋଇଥିବା କଞ୍ଚାମାଲ କ୍ରୟ ପାଇଁ ଆର୍ଥିକ ସହାୟତା ମିଳିପାରିବ । ସେହିପରି କୁଶଳୀ ଏବଂ ଦକ୍ଷ ମାନବ ସମ୍ବଳ ଜରୁରୀ ।
MSME କ୍ଷେତ୍ରରେ କ'ଣ ରହିଛି ଚ୍ୟାଲେଞ୍ଜ:
ପ୍ରତିଯୋଗିତା ବୃଦ୍ଧି MSME ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପ୍ରତିଦ୍ବନ୍ଦିତା ଯୋଗୁ ଭାରତୀୟ MSME ଗୁଡିକ ଘରୋଇ ତଥା ଅନ୍ତର୍ଜାତୀୟ ବଜାରରେ ସେମାନଙ୍କ ଉତ୍ପାଦ ବିକ୍ରୟ କରିବା କଷ୍ଟକର ହୋଇପଡୁଛି । ଉଦ୍ୟୋଗ ଗୁଡିକ ସେମାନଙ୍କର ବିଶ୍ବସ୍ତରୀୟ ପ୍ରତିପକ୍ଷଙ୍କ ସମକକ୍ଷ ହୋଇପାରୁନାହାନ୍ତି । ସୁଲଭ ତଥା ସହଜ ସର୍ତ୍ତାବଳୀରେ ଆର୍ଥିକ ସହାୟତା ଉପଲବ୍ଧ ହୋଇପାରିଲେ ଏହା MSME ଗୁଡିକ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବ ।