ହାଇଦ୍ରାବାଦ: ଇସ୍ରାଏଲୀ ଗୁଇନ୍ଦା ସଂସ୍ଥା ‘ମୋସାଦ’ ଓ ଏହାର ସାଇବର ୟୁନିଟ ଲେବନନରେ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାକୁ ଟାର୍ଗେଟ କରି ପେଜର ମାଧ୍ୟମରେ ବିସ୍ଫୋରଣ କରିଛି । ପେଜର, ଓ୍ବାକି-ଟକି ଓ ସୋଲାର ସିଷ୍ଟମ୍ ଉପକରଣରେ ଏହି ବିସ୍ଫୋରଣ ଘଟାଯାଇଛି । ଏଥିରେ ଏନେକ ମୃତାହତ ହୋଇଛନ୍ତି । ଏହି ଘଟଣା ସମଗ୍ର ବିଶ୍ବକୁ ସ୍ତବ୍ଦ କରିଦେଇଛି । ଇସ୍ରାଏଲର ହାଇବ୍ରିଡ ଯୁଦ୍ଧ କୌଶଳ ଚରମ ସୀମାରେ ପହଞ୍ଚିି ସାରିଥିବା ଏହି ଘଟଣାରୁ ସୁସ୍ପଷ୍ଟ ହୋଇଛି ।
- ଇସ୍ରାଏଲର ଅଭିନବ ଆକ୍ରମଣ
ଇସ୍ରାଏଲର ଏହି ଅଭିନବ ଆକ୍ରମଣ ଲେବାନନରେ ଆତଙ୍କ ସୃଷ୍ଟି କରିଛି । ଫଳରେ ହିଜବୁଲ୍ଲାର ସଦସ୍ୟମାନେ ସମସ୍ତ ଆଧୁନିକ ବୈଷୟିକ ଉପକରଣଗୁଡ଼ିକଠାରୁ ଦୂରରେ ରହିବା ସହ ପ୍ରାଚୀନ ଯୋଗାଯୋଗ ମାଧ୍ୟମକୁ ଫେରିବାକୁ ବାଧ୍ୟ ହୋଇଛନ୍ତି । ଏହି ଆକ୍ରମଣ ମଧ୍ୟ ହିଜବୁଲ୍ଲା ନେତାଙ୍କ ମନରେ ଅନିଶ୍ଚିତତା ଏବଂ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ସେମାନଙ୍କ ବିଫଳ ରଣନୀତି ଇସ୍ରାଏଲକୁ ଆକ୍ରମଣ ପାଇଁ ଏକ ଲମ୍ବା ସମୟ ଦେଇଥିଲା ବୋଲି ଚର୍ଚ୍ଚା ହେଉଛି ।
- ଇସ୍ରାଏଲୀ ସାଇବର ୟୁନିଟର କାର୍ଯ୍ୟ:-
ଗଣମାଧ୍ୟମ ସଂସ୍ଥା ‘ଜେରୁଜେଲମ୍ ପୋଷ୍ଟ’ ଅନୁଯାୟୀ ୟୁନିଟ୍-8200 (ଇସ୍ରାଏଲୀ ସାଇବର ୟୁନିଟ) ଆମେରିକାର ଜାତୀୟ ସୁରକ୍ଷା ଏଜେନ୍ସି କିମ୍ବା ବ୍ରିଟେନର ସୁରକ୍ଷା ଏଜେନ୍ସି GCHQ ସହିତ ଆକାରରେ ପ୍ରାୟତଃ ସମାନ । ଏହା ଇସ୍ରାଏଲ ପ୍ରତିରକ୍ଷା ବାହିନୀର ସର୍ବବୃହତ ଏକକ ସାମରିକ ୟୁନିଟ୍ ମଧ୍ୟ । ଏହାର କାର୍ଯ୍ୟ ମଧ୍ୟରେ ସିଗନାଲ୍ ଗୁପ୍ତଚରଗିରି କରିବା ଓ ସାଇବର ଆଟାକ କରିବା ପରି କାର୍ଯ୍ୟକଳାପ ରହିଥାଏ । ଏହା ପୂର୍ବରୁ ମଧ୍ୟ ଏକାଧିକ ଆହ୍ବାନପୂର୍ଣ୍ଣ ତଥା ବିସ୍ମିତ କରିବା ପରି ସଫଳ ଅପରେସନ କରିସାରିଛି । ଇସ୍ରାଏଲର ଶତ୍ରୁ ରାଷ୍ଟ୍ର ଇରାନର ଆଣବିକ ମିଶନକୁ ଅକାମୀ କରିବା କରିବା ପାଇଁ ସାଇବର ଷ୍ଟ୍ରାଇକ କରିବା ପରି ଏକାଧିକ ପୂର୍ବ ଘଟଣାକ୍ରମରେ ଏହି ସଂସ୍ଥା ସିଧା ଜଡିତ ଥିଲା ।
- ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ବ୍ୟବହାର କରୁଛି ଇସ୍ରାଏଲ:-
ଆତଙ୍କବାଦୀ ସଂଗଠନ ‘ହମାସ’କୁ ଟାର୍ଗେଟ କରିବା ପାଇଁ ଏହି ସଂସ୍ଥା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ବା କୃତ୍ରିମ ବୁଦ୍ଧିମତ୍ତା ମଧ୍ୟ ବ୍ୟବହାର କରିଥାଏ । ତେବେ ଗତବର୍ଷ ଅକ୍ଟୋବର 7 ତାରିଖରେ ହମାସ ଇସ୍ରାଏଲ ଉପରେ କରିଥିବା ଆକ୍ରମଣକୁ ପଣ୍ଡ କରିବାରେ ଏହି ସଂସ୍ଥା ବିଫଳ ହେବା କାରଣରୁ ଏହାର କାର୍ଯ୍ୟଶୈଳୀ ବିରୋଧରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଫଳସ୍ବରୂପ ଏହାର ମୁଖ୍ୟଙ୍କୁ ଇସ୍ତଫା ଦେବାକୁ ପଡିଥିଲା ।
- ହିଜବୁଲ୍ଲାର ପେଜର ଅର୍ଡର ହ୍ୟାକ କରିଥିଲା ଇସ୍ରାଏଲ:-
ଗଣମାଧ୍ୟମରେ ପ୍ରସାରିତ ହେଉଥିବା ତଥ୍ୟ ଅନୁସାରେ, ଆତଙ୍କୀ ସଂଗଠନ ହିଜବୁଲ୍ଲା ଏକାଧିକ ଯୋଗାଯୋଗ ଉପକରଣ ପ୍ରସ୍ତୁତ କରି ବିକ୍ରି କରିବା ପାଇଁ ଏକ କମ୍ପାନୀକୁ ଅର୍ଡର ଦେଇଥିଲା । ଏହି ଅର୍ଡର ଡିଲ ମଧ୍ୟରେ ଇସ୍ରାଏଲ ଗୁଇନ୍ଦା ସଂସ୍ଥା ‘ମୋସାଦ’ କୌଶଳକ୍ରମେ ପ୍ରବେଶ କରିଥିଲା । ନକଲି ସେଲ କମ୍ପାନୀ ନିର୍ମାଣ କରି ଏହି ବିକ୍ରି ଅର୍ଡର ଗ୍ରହଣ କରିବାରେ ସଫଳ ହୋଇଥିଲା । ଏହା ପରେ ଲେବନନ ଓ ହିଜବୁଲ୍ଲାକୁ ବିକ୍ରି କରାଯିବାକୁ ଥିବା ଡିଭାଇସରେ ବିସ୍ଫୋରକ ଚିପ୍ ଲଗାଯାଇଥିଲା । ତେବେ ଏହି ବିସ୍ଫୋରଣ ପରେ ଅର୍ଡର ପାଇଥିବା କମ୍ପାନୀ ଅଭିଯୋଗକୁ ଖଣ୍ଡନ କରିଛି । ଏହା ଇସ୍ରାଏଲ ଗୁଇନ୍ଦା ସଂସ୍ଥା ଦ୍ବାରା ପରିଚାଳିତ ହେଉଥିବା କିଛି ସେଲ କମ୍ପାନୀର କାର୍ଯ୍ୟ ହୋଇଥାଏ ପାରେ ବୋଲି ଦର୍ଶାଯାଇଛି ।
- ବିପଜ୍ଜନକ ପର୍ଯ୍ୟାୟରେ ହାଇବ୍ରିଡ୍ ଯୁଦ୍ଧ
ଏହି ଘଟଣାରେ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଜ୍ଞାତ ଥିବା କିମ୍ବା ଏଥିରେ ସମ୍ପୃକ୍ତ ଥିବା କଥାକୁ ଅସ୍ୱୀକାର କରିଛି । ଗଣମାଧ୍ୟମ ସଂସ୍ଥା ‘ସିଏନ୍ଏନ’ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଆମେରିକା କୌଣସି ନିର୍ଦ୍ଦିଷ୍ଟ ସୂଚନା ସେୟାର କରି ଏକ ଅଗ୍ରୀମ ସମ୍ଭାବ୍ୟ ଆକ୍ରମଣ ଘଟଣା ସମ୍ପର୍କରେ ସୂଚନା ଦେଇଥିଲା । ଅନ୍ୟପଟେ ଇସ୍ରାଏଲ ଏହି ଘଟଣାରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛି । ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ କହିଛନ୍ତି, ଏହି ଯୁଦ୍ଧରେ ଆମେ ଏକ ନୂତନ ଯୁଗର ଆରମ୍ଭରେ ଅଛୁ ଏବଂ ଆମକୁ ନିଜକୁ ଖାପ ଖୁଆଇବା ଆବଶ୍ୟକ ।’’ ବିଶ୍ବ ପାଇଁ ଏହି ଅତ୍ୟାଧୁନିକ ବା ହାଇବ୍ରିଡ୍ ଯୁଦ୍ଧ ବର୍ତ୍ତମାନ ଏକ ବିପଜ୍ଜନକ ପର୍ଯ୍ୟାୟରେ ପ୍ରବେଶ କରିଛି ।
ଦାବି ଅନୁଯାୟୀ ଡିଭାଇସରେ ବିସ୍ଫୋରକ ଲଗାଯାଇଥିଲା କିମ୍ବା ଇଲେକ୍ଟ୍ରୋନିକ୍ସ ସିଗନାଲ୍ ବ୍ୟବହାର କରି ଡିଭାଇସର ବ୍ୟାଟେରୀକୁ ବିସ୍ଫୋରଣ କରାଯାଇଛି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଅନ୍ୟପଟେ ହ୍ୟାକର୍ସ ନିଶ୍ଚିତ କରିଛନ୍ତି ଯେ, ଯେକୌଣସି ବୈଦ୍ୟୁତିକ ଉପକରଣକୁ ଅନ୍ୟସ୍ଥାନରୁ ଟାମ୍ପରିଂ କରିବା ସମ୍ଭବ । ଇସ୍ରାଏଲ ଡିଫେନ୍ସ ଫୋର୍ସ ମୋବାଇଲ ସିଗନାଲକୁ ଆଧାର କରି ହିଜବୁଲ୍ଲାର ସିନିୟର କମାଣ୍ଡରମାନଙ୍କୁ ଖୋଜି ଖୋଜି ହତ୍ୟା କରିବାରେ ଲାଗିଥିଲେ । ଏକଥା ହିଜବୁଲ୍ଲା ଜାଣିବା ପରେ ମୋବାଇଲ ବ୍ୟବହାର ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଯୋଗାଯୋଗ ଓ ସୂଚନା ଆଦାନ ପ୍ରଦାନ କରିବା ପାଇଁ ସେମାନେ ମୋବାଇଲର ବିକଳ୍ପ ଭାବେ ପେଜରକୁ ବାଛିଥିଲେ । ତେବେ ଏହି ଆକ୍ରମଣ ପରେ ଏବେ ପେଜର, ଓ୍ବାକିଟକି ଓ ଅନ୍ୟ ସାମଗ୍ରୀର ବ୍ୟବହାର ମଧ୍ୟ ନିରାପଦ ନୁହେଁ ବୋଲି ଜଣାପଡିଛି ।
- ଇସ୍ରାଏଲର ଅଭିନବ ଆକ୍ରମଣର ପ୍ରଭାବ:-
ଇସ୍ରାଏଲ୍ ଦ୍ବାରା କରାଯାଇଥିବା ଏହି ଆକ୍ରମଣ ରଣନୈତିକ ପ୍ରଭାବ ମଧ୍ୟ ପକାଇବ । ଏବେ ଏକକାଳୀନ ଇସ୍ରାଏଲ ଏକାଧିକ ଆତଙ୍କୀ ସଂଗଠନ ସହ ଯୁଦ୍ଧ ଲଢୁଛି । ଏହାର ପ୍ରଭାବ ସର୍ବପ୍ରଥମେ ଏହି କ୍ଷେତ୍ରରେ ଦୃଶ୍ୟମାନ ହେବ । ଲେବବନରୁ ସଞ୍ଚାଳିତ ହେଉଥିବା ‘ହିଜବୁଲ୍ଲା’ ସଂଗଠନ ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ହମଲା କରିପାରେ ମାତ୍ର, ଏହା ଏତେ ସହଜ ହେବନାହିଁ । କାରଣ ସେମାନଙ୍କୁ ଅତ୍ୟାଧୁନିକ ଯୁଗରୁ ପ୍ରସ୍ତର ଯୁଗକୁ ଫେରିଯିବାକୁ ହେବ । ଏପରି ସ୍ଥିତିରେ ଇସ୍ରାଏଲର ମୁକାବିଲା କରିବା ଏତେ ସହଜ ହେବା ପରେ ଦୃଶ୍ୟମାନ ହେଉନାହିଁ । ହିଜବୁଲ୍ଲା ସଂଗଠନ ମଧ୍ୟରେ ଇସ୍ରାଏଲ ଗୁପ୍ତଚରଙ୍କ ସମ୍ଭାବ୍ୟ ଅସ୍ତିତ୍ବ ପ୍ରସଙ୍ଗରେ ମଧ୍ୟ ଚର୍ଚ୍ଚା ବଢିବାରେ ଲାଗିଛି । ଯେଉଁ କାରଣରୁ ହିଜବୁଲ୍ଲା ସଂଗଠନର ପେଜର କ୍ରୟ ଅର୍ଡର ସମ୍ପର୍କରେ ଇସ୍ରାଏଲ ନିକଟରେ ଖବର ପହଞ୍ଚିବା ସମ୍ଭବପର ହୋଇଥାଇପାରେ ।
- ହିଜବୁଲ୍ଲା ଓ ଏହାର ସହଯୋଗୀମାନଙ୍କ ଆକ୍ରମଣ ଭୟ
ଇସ୍ରାଏଲ କ୍ଷେତ୍ରରେ, ହିଜବୁଲ୍ଲା ଓ ଏହାର ସହଯୋଗୀମାନଙ୍କ ସଂଗଠନମାନଙ୍କଠାରୁ ରକେଟ୍ ଆକ୍ରମଣର ଭୟ ରହିଛି । ଏବେ ବଡ଼ ପ୍ରତିଶୋଧ ଆକ୍ରମଣର ଆଶଙ୍କା ରହିଛି । ଇସ୍ରାଏଲର ସାମରିକ ଅପରେସନର ଧମକ ସତ୍ତ୍ୱେ ମଧ୍ୟ ଏହି ଆକ୍ରମଣ ହୋଇପାରେ, ଯାହା ଅନେକ କ୍ଷତିକୁ ସୃଷ୍ଟି କରିପାରେ । କିଛି ଦିନ ପୂର୍ବରୁ ସମ୍ଭବ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନ ବର୍ତ୍ତମାନ ଇତିହାସ ପାଲଟି ସାରିଛି । ହାମାସ ହେପାଜତରେ ଇସ୍ରାଏଲ ବନ୍ଧକମାନଙ୍କ ସୁରକ୍ଷା ଏକ ପ୍ରଶ୍ନବାଚୀ ହୋଇ ରହିବ । ଇରାନର ସମର୍ଥିତ ସଂଗଠନମାନେ ଏବେ ବର୍ତ୍ତମାନ ମିଳିତ ହୋଇ ଇସ୍ରାଏଲକୁ ଟାର୍ଗେଟ କରିବେ ।
ଏବେ ନେତାନ୍ୟାହୁଙ୍କ ଗାଦି ସୁରକ୍ଷିତ:-
ଏହି ଆକ୍ରମଣ ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନିଜ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଛନ୍ତି । ଏହା ତାଙ୍କ ଚୌକିକୁ ଆଉ କିଛି ସମୟ ସୁରକ୍ଷିତ ରଖିବାରେ ସହାୟକ ହେବ । ହିଜବୁଲ୍ଲାର ଆକ୍ରମଣ କାରଣରୁ ବିସ୍ଥାପିତ ହୋଇଥିବା ଇସ୍ରାଏଲ ନାଗରିକଙ୍କୁ ଉତ୍ତର-ଇସ୍ରାଏଲକୁ ଫେରାଇ ଆଣିବାକୁ ନେତାନ୍ୟାହୁ ସରକାର ପ୍ରତିଶ୍ରୁତି ଦେଇଥିଲେ । ସେହି ଆଧାରରେ ଇସ୍ରାଏଲ ହିଜବୁଲ୍ଲା ଉପରେ ଏହି ଅଭିନବ ଆକ୍ରମଣ କଲା । ଏବେ ନେତାନ୍ୟାହୁଙ୍କ ବିରୋଧରେ କୌଣସି ବିରୋଧାଭାଷ କିମ୍ବା ବିଦ୍ରୋହ ଦେଖିବାକୁ ମିଳିବ ନାହିଁ । ଗତବର୍ଷ ଇସ୍ରାଏଲ ଉପରେ ହମାସ କରିଥିବା ଆକ୍ରମଣକୁ ପ୍ରଥମ ବାର୍ଷିକୀ ପୂରଣ ହେବାକୁ ଯାଉଛି । ଏହାରି ମଧ୍ୟରେ ଇସ୍ରାଏଲ ମଧ୍ୟ ନିଜର ଯୁଦ୍ଧ ଅଭିଯାନର ଲକ୍ଷ୍ୟସ୍ଥଳ ନିକଟବର୍ତ୍ତୀ ହୋଇସାରିଛି ।
ସମ୍ପାଦକୀୟ...