ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ବଜେଟ-ଦଲିଲ ଅନୁଯାୟୀ, ମଧ୍ୟବର୍ତ୍ତୀ ବଜେଟରେ ଚଳିତ ଆର୍ଥିକ ବର୍ଷ ପାଇଁ ନାରୀକୈନ୍ଦ୍ରିକ ଯୋଜନା ଗୁଡିକ ପାଇଁ ସରକାର ପ୍ରାୟ 3.1 ଲକ୍ଷ କୋଟି ଟଙ୍କା ଆବଣ୍ଟିତ କରିଛନ୍ତି । ଏହି ଯୋଜନାଗୁଡିକ ମଧ୍ୟରେ ଶତପ୍ରତିଶତ ମହିଳା କୈନ୍ଦ୍ରିକ ଯୋଜନା ରହିଥିଲା । ଏବଂ ଏହା ସହ ଅନ୍ୟ ଯୋଜନା ଗୁଡିକରେ ପ୍ରାୟ 30 ପ୍ରତିଶତ ମହିଳାଙ୍କ ଅଂଶଗ୍ରହଣ ମଧ୍ୟ ରହିଛି । ତେବେ ଏଥର ବାର୍ଷିକ ବଜେଟରେ ନାରୀକୈନ୍ଦ୍ରିକ ଯୋଜନା ଉପରେ ଅଧିକ ଧ୍ୟାନ ଦିଆଯିବା ନେଇ ଅନୁମାନ କରାଯାଉଛି । ଏହାର ରାଜନୈତିକ କାରଣ ମଧ୍ୟ ରହିଛି । ଏଥର ସାଧାରଣ ନିର୍ବାଚନରେ ଶାସକ ଦଳ ଓ ଏହାର ମେଣ୍ଟ ଆଶା ଅନୁଯାୟୀ ସଂଖ୍ୟା ହାସଲ କରିପାରିନାହିଁ । ଶାସକ ମେଣ୍ଟ ‘ଏନଡିଏ’ ମହିଳା ଭୋଟ ଏକ ମୁଖ୍ୟ ଭୋଟ ବ୍ୟାଙ୍କ ହୋଇଥିବା କାରଣରୁ ଏଥର ସାଧାରଣ ବା ବାର୍ଷିକ ବଜେଟରେ ମଧ୍ୟ ନାରୀ ସଶକ୍ତିକରଣ ଯୋଜନାକୁ ଅଧିକ ପ୍ରାଧାନ୍ୟ ଦିଆଯାଇପାରେ ।
ଏଥର ନିର୍ବାଚନୀ ବର୍ଷ ହୋଇଥିବା କାରଣରୁ ମୋଦି ସରକାର ବର୍ଷ ଆରମ୍ଭରେ ଅନ୍ତରୀଣ ବା କାମଚଳା ବଜେଟ ଉପସ୍ଥାପିତ କରିଥିଲେ । ଚଳିତବର୍ଷ ଫେବୃଆରୀରେ ଏହି ଅନ୍ତରୀଣ ବଜେଟ ଉପସ୍ଥାପନ ବେଳେ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରଖିଥିବା ବଜେଟ ଅଭିଭାଷଣରେ ମଧ୍ୟ ଚାରୋଟି ମୂଳ ବିଭାଗ ବା କ୍ଷେତ୍ର ଉପରେ ଧ୍ୟାନ ଦେଇଥିଲେ । ଏହି ବର୍ଗ ହେଉଛନ୍ତି ଦେଶର ଗରିବ, କୃଷକ,ମହିଳା ଏବଂ ଯୁବପିଢି । ମହିଳା ସଶକ୍ତିକରଣ ପାଇଁ ଗତ 10 ବର୍ଷ ମଧ୍ୟରେ ସରକାର ନେଇଥିବା ପଦକ୍ଷେପ ଗୁଡ଼ିକୁ ମଧ୍ୟ ବିସ୍ତୃତରେ ସଂସଦରେ ଉଲ୍ଲେଖ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ।
ଅର୍ଥମନ୍ତ୍ରୀ କହିଥିଲେ ଯେ, ଏହି 10 ବର୍ଷ ମଧ୍ୟରେ ମହିଳାମାନଙ୍କ ସଶକ୍ତିକରଣ ଉଦ୍ୟୋଗିତା, ଜୀବନଶୈଳୀକୁ ସହଜ ହେବା ସହ ମହିଳାମାନଙ୍କ ପ୍ରତି ସମାଜିକ ସ୍ତରରେ ସମ୍ମାନ ବୃଦ୍ଧି ପାଇଛି । ସରକାର କିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଗ୍ରାମାଞ୍ଚଳର 70 ପ୍ରତିଶତରୁ ଅଧିକ ଘର ନିର୍ମାଣ କରିଛନ୍ତି । ମହିଳାମାନଙ୍କ ପାଇଁ ମୁଦ୍ରା ଯୋଜନା ଅଧୀନରେ ରେକର୍ଡ ସଂଖ୍ୟକ ଋଣ ମଧ୍ୟ ପ୍ରଦାନ କରାଯାଇଛି । ଯାହା ମହିଳାଙ୍କୁ ରୋଜଗାରକ୍ଷମ କରିବା ସହ ସେମାନଙ୍କୁ ରୋଜଗାର ସୃଷ୍ଟି କରିବାକୁ ଅବସର ପ୍ରଦାନ କରିଛି । ସେମାନେ ଏବେ କ୍ଷୁଦ୍ର ଉଦ୍ୟୋଗୀ ହେବାର ସୁଯୋଗ ପାଇଛନ୍ତି ।
ଅନ୍ୟାନ୍ୟ ବିଷୟ ମଧ୍ୟରେ ଲୋକସଭା ତଥା ରାଜ୍ୟସଭାରେ ମହିଳାମାନଙ୍କ ସକ୍ରିୟ ଅଂଶଗ୍ରହଣ ନିଶ୍ଚିତ କରିବା ପାଇଁ ଏକ ତୃତୀୟାଂଶ ସଂରକ୍ଷଣ ଦେବା ଏବଂ ମୁସଲିମ ସମ୍ପ୍ରଦାୟର ମହିଳାଙ୍କ କ୍ଷେତ୍ରରେ ସେମାନଙ୍କ ସାମାଜିକ ସମ୍ମାନକୁ ନିଶ୍ଚିତ କରିବା ପାଇଁ ପୂର୍ବ ପ୍ରଚଳିତ ତିନିତଲାକ ଉଚ୍ଛେଦ କରିବା ନିଷ୍ପତ୍ତିକୁ ମଧ୍ୟ ଉଲ୍ଲେଖ କରିଥିଲେ ନିର୍ମଳା । ବଜେଟ ଭାଷଣରେ ତାଙ୍କ ଦ୍ୱାରା ଏହି ନାରୀକୈନ୍ଦ୍ରିକ ପଦକ୍ଷେପର ସ୍ପଷ୍ଟ ଉଲ୍ଲେଖ ସତ୍ତ୍ବେ ମଧ୍ୟ ସାଧାରଣ ନିର୍ବାଚନରେ ଶାସକ ମେଣ୍ଟ ଖରାପ ପ୍ରଦର୍ଶନ କରିଥିଲା । ଏହାର ଏକ ବଡ ଉଦାହରଣ ସର୍ବାଧିକ ଜନବହୁଳ ବିଜେପି ଶାସିତ ରାଜ୍ୟ ଉତ୍ତର ପ୍ରଦେଶରେ ମଧ୍ୟ ଦେଖିବାକୁ ମିଳିଥିଲା । ଯାହା ମହିଳା ଭୋଟରଙ୍କ ସରକାରଙ୍କ ପ୍ରତି ନୈରାଶ୍ୟ ଭାବକୁ ମଧ୍ୟ ସାମ୍ନାକୁ ଆଣିଥିଲା ।
ପ୍ରଧାନମନ୍ତ୍ରୀ ମହିଳା ଭୋଟରଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା (ଘରର ଛାତ ଉପରେ ସୌର ପ୍ୟାନେଲ ମାଧ୍ୟମରେ ବିଜୁଳି ଉତ୍ପାଦନ) ଏବଂ ‘ଲକ୍ଷପତି ଦିଦି’ ଯୋଜନା ଘୋଷଣା କରିବା ଶାସକ ‘ଏନଡିଏ ’କୁ ସେତେ ମାତ୍ରାରେ ନିର୍ବାଚନୀ ଲାଭ ଦେଇନଥିଲା । ଏବେ ନିର୍ବାଚନ ପରେ କେନ୍ଦ୍ରରେ ମୋଦି ସରକାର ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣ ବଜେଟ ନିକଟରେ ଆଗତ ହେବାକୁ ଯାଉଛି । ତେଣୁ ସରକାର ନାରୀ ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇ ଏଥର ବଜେଟର ରୂପରେଖ ପ୍ରସ୍ତୁତ କରିପାରନ୍ତି । ମୋଟ ବ୍ୟୟବରାଦର ଏକ ମୁଖ୍ୟ ଅଂଶ ନାରୀ ସଶକ୍ତିକରଣ କ୍ଷେତ୍ରକୁ ମିଳିପାରେ ।
ଜେଣ୍ଡର ବଜେଟ କ’ଣ ?
ଜେଣ୍ଡର ବଜେଟର ପରିଭାଷା ଏପରି ହୋଇପାରେ । ବଜେଟ ମୋଟ ରାଶିରୁ ଏକ ବଡ ଭାଗ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କ୍ଷେତ୍ର, ଯେପରିକି ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ, ଛାତ୍ରବୃତ୍ତି ଏବଂ ପେନ୍ସନ୍ ଯୋଜନା ପରି କ୍ଷେତ୍ରକୁ ଯାଇପାରେ । ଉଦାହରଣ ସ୍ୱରୂପ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ପ୍ରକୃତ ଖର୍ଚ୍ଚ 24,000 କୋଟିରୁ ଅଧିକ ଥିଲା, ପରେ ଏହା ସଂଶୋଧିତ ଆକଳନ ଅନୁଯାୟୀ ଗତ ଆର୍ଥିକ ବର୍ଷରେ ପ୍ରାୟ 26,000 କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ମଧ୍ୟବର୍ତ୍ତୀ ବଜେଟରେ ସୀତାରମଣ ପ୍ରାୟ 26,600 କୋଟି ଟଙ୍କା ଆବଣ୍ଟନ କରିଥିଲେ । ଚଳିତ ଆର୍ଥିକ ବର୍ଷର ମୋଟ ବ୍ୟବବରାଦ ପ୍ରାୟ 47ଲକ୍ଷ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି ।
କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯୋଜନା ଏବଂ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ମାଧ୍ୟମରେ ମହିଳା ହିତାଧିକାରୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବଜେଟ ବଣ୍ଟନ କରାଯିବାର ଯଥେଷ୍ଟ ସମ୍ଭାବନା ଦୃଶ୍ୟମାନ ହେଉଛି । ସେଣ୍ଟ୍ରାଲ୍ ସେକ୍ଟର ସ୍କିମ ଗୁଡିକ କେନ୍ଦ୍ର ଦ୍ବାରା ସମ୍ପୂର୍ଣ୍ଣ ଆର୍ଥିକ ଅନୁଦାନ ପ୍ରାପ୍ତ ହୋଇଥିବା ବେଳେ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡିକରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରର ମିଳିତ ଭାବରେ ଆର୍ଥିକ ଅନୁଦାନ ରାଶିର ବ୍ୟବସ୍ଥା ରହିଥାଏ । କିନ୍ତୁ ଅଧିକାଂଶ କ୍ଷେତ୍ରରେ ଅଧିକାଂଶ ଅର୍ଥ କେନ୍ଦ୍ରୀୟ ବଜେଟରୁ ଆସିଥାଏ ।
ମହିଳା କୈନ୍ଦ୍ରିକ ଯୋଜନା ପାଇଁ ପାଣ୍ଠି କିପରି ବଣ୍ଟନ କରାଯାଏ ?
ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯୋଜନା ଇନ୍ଧନ ଯୋଗାଇବା ପାଇଁ ଉଜ୍ଜଳା, ସଖି ନିବାସ ଭଳି କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ ସରକାର ଅନ୍ୟ ମନ୍ତ୍ରଣାଳୟ ମାଧ୍ୟମରେ ମହିଳାମାନଙ୍କ ସଶକ୍ତିକରଣ ପାଇଁ ମଧ୍ୟ ବହୁ ପରିମାଣର ଅର୍ଥ ଆବଣ୍ଟନ କରନ୍ତି । ଉଦାହରଣ ସ୍ୱରୂପ, ଚଳିତ ଆର୍ଥିକ ବର୍ଷ ପାଇଁ 500 କୋଟି ଟଙ୍କା ବଜେଟ୍ ସହିତ ‘ନାମୋ ଡ୍ରୋନ ଦିଦି’ କାର୍ଯ୍ୟକ୍ରମ କୃଷି ମନ୍ତ୍ରଣାଳୟ ମାଧ୍ୟମରେ କାର୍ଯ୍ୟକାରୀ ହୋଇଛି, କିନ୍ତୁ ଏହା ଏକ ଶତପ୍ରତିଶତ ମହିଳା କୈନ୍ଦ୍ରିକ ଯୋଜନା ।
ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଥିବା ‘ଦିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାଙ୍କ ବିଜ୍ଞାନ ଓ ଅନୁସନ୍ଧାନ କ୍ଷେତ୍ରରେ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ସରକାର 130 କୋଟିରୁ ଅଧିକ ଟଙ୍କା ଆବଣ୍ଟନ କରିଛନ୍ତି । ବଜେଟ ତଥ୍ୟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ଶତପ୍ରତିଶତ ମହିଳାକୈନ୍ଦ୍ରିକ ଯୋଜନା ପାଇଁ 1.12 ଲକ୍ଷ କୋଟିରୁ ଅଧିକ ଟଙ୍କା ଆବଣ୍ଟନ କରାଯାଇଛି ।
ସେହିପରି ଶିକ୍ଷା ବିଭାଗ ଅନେକ ଯୋଜନା କାର୍ଯ୍ୟକ୍ଷମ କରିଛି । ଯାହାର ବଜେଟ ରାଶି ବାର୍ଷିକ ପ୍ରାୟ 25,000 କୋଟି ଟଙ୍କା ହୋଇଥିବା ବେଳେ ଉଚ୍ଚଶିକ୍ଷା ବିଭାଗର ଉଚ୍ଚଶିକ୍ଷା ବୃତ୍ତି, ଅନୁସନ୍ଧାନ ପାଇଁ ଅନୁଦାନ ଇତ୍ୟାଦି ପାଇଁ ଅନେକ ଯୋଜନା ରହିଛି । ଏହି ଯୋଜନାଗୁଡିକରେ 30 ପ୍ରତିଶତ ମହିଳା ଅଂଶଗ୍ରହଣ କରିଛନ୍ତି ।
ସମ୍ପାଦକୀୟ...