ଶୀତ ଦିନେ ଅଧିକାଂଶ ଲୋକେ ଖରାରେ ବସିବାକୁ ପସନ୍ଦ କରନ୍ତି । ସୂର୍ଯ୍ୟକିରଣରୁ ଶରୀରକୁ ଭିଟାମିନ-ଡି ମିଳେ । ହେଲେ ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଅନେକ ଲୋକ ସକାଳେ ଖରାରେ ବସି ପାରୁନାହାନ୍ତି । ଆଉ କିଛି ତ୍ବଚା କଳା ପଡିବା ଭୟରେ ଖରାରେ ବସିବାକୁ ଏଡାନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଚର୍ମ ଓ ଶରୀରକୁ ସୁସ୍ଥ ରଖିବାରେ ସକାଳର ସୂର୍ଯ୍ୟକିରଣ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଖରାରେ ବସିଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ମାଂସପେଶୀ ଓ ହାଡ ମଜଭୁତ କରିବା ପାଇଁ ସୂର୍ଯ୍ୟକିରଣ ଲାଭଦାୟକ । ସେହିପରି ଯେଉଁମାନଙ୍କ ନିଦ୍ରା ସମସ୍ୟା ରହିଛି ସେମାନଙ୍କ ପାଇଁ ସୂର୍ଯ୍ୟକିରଣ ଏକ ଭଲ ଉପାୟ ।
NIH ଦ୍ବାରା କରାଯାଇଥିବା ଏକ ଅନୁସନ୍ଧାନ ଅନୁଯାୟୀ, ଶରୀର ପାଇଁ ଆବଶ୍ୟକ ହେଉଥିବା ଅଧିକାଂଶ ଭିଟାମିନ ଡି ସୂର୍ଯ୍ୟକିରଣରୁ ଆସିଥାଏ । ଏକ ସୁସ୍ଥ ଜୀବନଶୈଳୀ ପାଇଁ ସୂର୍ଯ୍ୟକିରଣ ଲାଭଦାୟକ । ଏହା କେବଳ ଶାରୀରିକ ନୁହେଁ ମାନସିକ ସ୍ବାସ୍ଥ୍ୟ ମଧ୍ୟ ଉନ୍ନତ କରିଥାଏ ।
ଖରାରେ ବସିବାର ଠିକ୍ ସମୟ
ଶୀତ ଦିନେ ଅଧିକ ଥଣ୍ଡା ଲାଗୁଥିବାରୁ ଲୋକମାନେ ଖରାରେ ବସିବାକୁ ଭଲ ପାଆନ୍ତି । କିଛି ଲୋକ ତ ଘଣ୍ଟା ଘଣ୍ଟା ଧରି ଖରାରେ ବସି ରୁହନ୍ତି । ହେଲେ ଏହାର କିଛି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇପାରେ । ସୂର୍ଯ୍ୟକିରଣରେ ଦୀର୍ଘ ସମୟ ରହିବା ଦ୍ବାରା ଚର୍ମରେ ଦାଗ, କୁଞ୍ଚନ ହୋଇପାରେ । ସାଧାରଣ ଦିନରେ ଆପଣ ସକାଳ 8ରୁ 11ଟା ଭିତରୁ ଖରାରେ ବସି ପାରିବେ । ନ୍ୟାସନାଲ ଲାଇବ୍ରେରୀ ଅଫ ମେଡିସିନ ଅନୁସାରେ, ଶୀତ ଋତୁରେ ଭିଟାମିନ ଡି ପାଇବା ପାଇଁ ସକାଳ 11ରୁ ମଧ୍ୟାହ୍ନ 2ଟା ମଧ୍ୟରେ ସମୟ ଭଲ ।
କେତେ ସମୟ ରହିବେ: ସୂର୍ଯ୍ୟକିରଣ ଭିଟାମିନ-ଡି'ର ଏକ ଭଲ ଉତ୍ସ । ଏଥିରୁ ସର୍ବାଧିକ ଲାଭ ପାଇଁ ସକାଳେ 20ରୁ 30 ମିନିଟ୍ ପର୍ଯ୍ୟନ୍ତ ଖରାରେ ରୁହନ୍ତୁ । ହେଲେ ଅଧିକ ସମୟ ରହିବା କ୍ଷତିକାରକ ହୋଇପାରେ । ସୂର୍ଯ୍ୟକିରଣରୁ ଆପଣଙ୍କ ଚର୍ମକୁ ସୁରକ୍ଷିତ ରଖିବା ପାଇଁ ଉପଯୁକ୍ତ ପୋଷାକ ପିନ୍ଧନ୍ତୁ । ମୁହଁରେ ସନସ୍କ୍ରିନ ଲଗାଇବା ଜରୁରୀ ।
ସୂର୍ଯ୍ୟକିରଣରୁ ଶରୀରକୁ ଫାଇଦା:
ରୋଗ ପ୍ରତିରୋଧକ ଶକ୍ତି ବଢେ: ସୂର୍ଯ୍ୟକିରଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଯାହାଦ୍ବାରା ଅନେକ ରୋଗରୁ ସୁରକ୍ଷା ମିଳିଥାଏ ।
ଭଲ ନିଦ: ନିଦ୍ରାହୀନତା ସମସ୍ୟା ଭୋଗୁଥିବା ଲୋକେ ସୂର୍ଯ୍ୟକିରଣରେ ବସିବା କିମ୍ବା ଚଲାବୁଲା କରିବା ଲାଭଦାୟକ । ଏଥିପାଇଁ ସକାଳ ବେଳା ଉପଯୁକ୍ତ ସମୟ । ଆପଣ ଯେତେ ସମୟ ସୂର୍ଯ୍ୟକିରଣରେ ବିତାଇବେ ଶରୀରରେ ସେତେ ଅଧିକ ମେଲାଟୋନିନ୍ ଉତ୍ପାଦନ ହୋଇଥାଏ । ଫଳରେ ଭଲ ନିଦ ହୋଇଥାଏ ।
ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ଆଣେ: ସକାଳେ କିଛି ସମୟ ସୂର୍ଯ୍ୟକିରଣରେ ରହିବା ଦ୍ବାରା ମାନସିକ ସ୍ବାସ୍ଥ୍ୟ ଉନ୍ନତ ହୋଇଥାଏ । ଏଥିରୁ ମିଳୁଥିବା ମେଲାଟୋନିନ, ଡୋପାମାଇନ ଓ ସେରୋଟୋନିନ ମାନସିକ ସ୍ବାସ୍ଥ୍ୟ ପାଇଁ ଭଲ । ଏହାଦ୍ବାରା ମାନସିକ ଚିନ୍ତା ଓ ଅବସାଦ ଆଶଙ୍କା ହ୍ରାସ ପାଇଥାଏ ।
ହାଡ ମଜଭୁତ: ସୂର୍ଯ୍ୟକିରଣରୁ ମିଳୁଥିବା ଭିଟାମିନ ଡି ମାଂସପେଶୀ ଓ ହାଡକୁ ମଜଭୁତ କରେ । ଫଳରେ ଅଷ୍ଟିଓପୋରୋସିସ୍ ଓ ଆର୍ଥ୍ରାଇଟସ୍ ଭଳି ରୋଗ ଆଶଙ୍କା କମିଥାଏ । ଏଥିପାଇଁ ନିୟମିତ 15ରୁ 20 ମିନିଟ୍ ସୂର୍ଯ୍ୟକିରଣରେ ରୁହନ୍ତୁ ।
Ref- https://pubmed.ncbi.nlm.nih.gov/18348449/
https://pmc.ncbi.nlm.nih.gov/articles/PMC2290997/
ଏହା ମଧ୍ୟ ପଢନ୍ତୁ: ଏହି ଦେଶରେ କେବଳ ମୋଟା ଝିଅଙ୍କୁ ବାହା ହୁଅନ୍ତି ପୁଅ, ବାହାଘର ପୂର୍ବରୁ ଯାଆନ୍ତି ଫ୍ୟାଟ୍ କ୍ୟାମ୍ପ ଏହା ମଧ୍ୟ ପଢନ୍ତୁ: ଆଣ୍ଟିବାୟୋଟିକ୍ସ ଖାଉଛନ୍ତି କି ? ଡାକ୍ତର କହିଲେ ଜୀବନ ପାଇଁ ସାଜିପାରେ ବିପଦ |
(Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଭଲ ।)