Relationship tips: ବିବାହ ପରେ ପୁଅ-ଝିଅଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସେ । ଥରେ ହାତଗଣ୍ଠି ପଡିଯିବା ପରେ ଦୁହିଁଙ୍କ ପ୍ରାଥମିକତା ଓ ଦାୟିତ୍ବ ଆପେ ଆପେ ବଦଳିଯାଏ । କିନ୍ତୁ ବେଳେବେଳେ ଆମର ମନ ଏହି ପରିବର୍ତ୍ତନ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇନଥାଏ । ଫଳରେ ମନ ଅଶାନ୍ତ ହୋଇଯାଏ । ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ, ବିବାଦ ଉପୁଜିଥାଏ । ଏପରି ସ୍ଥିତିରେ ଯଦି ଦୁଇ ଜଣ ପରସ୍ପରକୁ ବୁଝିବାକୁ ଚେଷ୍ଟା କରନ୍ତି ତାହେଲେ ସମସ୍ୟା ସମାଧାନ ହୋଇପାରେ । କାରଣ ବୟସ ସହି ଆମକୁ କିଛି ଦାୟିତ୍ବ ସ୍ବୀକାର କରିବାକୁ ପଡେ ଏବଂ ଯଦି ଆମ ଏହା ନ କରିପାରେ ତେବେ ସମ୍ପର୍କରେ ମଧୁରତା କମିବା ଆରମ୍ଭ କରେ । ଯଦି ଆପଣ ନିଜର ବୈବାହିକ ଜୀବନକୁ ସୁଖମୟ ଓ ସୁଦୃଢ କରିବାକୁ ଚାହୁଁଛନ୍ତି ତାହେଲେ ବିବାହ ପୂର୍ବରୁ ଏସବୁ ବିଷୟ ପ୍ରତି ନିହାତି ଧ୍ୟାନ ଦିଅନ୍ତୁ ।
ବୈବାହିକ ସମ୍ପର୍କ ମଜଭୁତ କରିବା ପାଇଁ ବିବାହ ପୂର୍ବରୁ ମାନନ୍ତୁ ଏସବୁ ଟିପ୍ସ
ବିବାହ ପୂର୍ବରୁ ଜୀବନସାଥୀ ସହ କଥାବାର୍ତ୍ତା:
ଅନେକ ଝିଅ ବିବାହ ପୂର୍ବରୁ ଝଗଡାରୁ ଦୂରେଇ ରହିବାକୁ ଭାବି ସ୍ବାମୀ ସହ ଭଲରେ କଥାବାର୍ତ୍ତା କରନ୍ତି ନାହିଁ । ପରିବାର ଲୋକେ ମଧ୍ୟ ଝିଅକୁ କମ୍ କଥା ହେବାକୁ ପରାମର୍ଶ ଦେଇଥାନ୍ତି । ହେଲେ ଏପରି କରନ୍ତୁ ନାହିଁ । ବିବାହ ପୂର୍ବରୁ ପୁଅ-ଝିଅ ମଧ୍ୟରେ କଥାବର୍ତ୍ତା ଜରୁରୀ । କାରଣ ଏହାଦ୍ବାରା ଉଭୟ ପରସ୍ପରର ସ୍ବଭାବ ଜାଣିପାରନ୍ତି । ପସନ୍ଦ ନାପସନ୍ତ ବିଷୟରେ ଜାଣନ୍ତି । ଯେଉଁଥିପାଇଁ ବାହାଘରେ ପରେ ଦୁହିଁଙ୍କ ଭିତରେ ଉତ୍ତମ ବୁଝାମଣା ରହିଥାଏ । ଅତୀତର କୌଣସି କଥାକୁ ନେଇ ବିବାଦ ଉପୁଜେ ନାହିଁ । ଏଥିରେ ସମ୍ପର୍କ ମଜଭୁତ ହୁଏ ।
ମନରେ ଥିବା ପ୍ରଶ୍ନ ଖୋଲି କୁହନ୍ତୁ:
ବିବାହ ପୂର୍ବରୁ ସବୁ ପୁଅ-ଝିଅଙ୍କ ମନରେ ଅନେକ ପ୍ରଶ୍ନ ଥାଏ । ପରସ୍ପରକୁ ଚାକିରି, ସଉକ, ପୋଷାକ, ସମ୍ପର୍କ ସହ ଜଡିତ ଅନେକ ପ୍ରଶ୍ନ ପଚାରିବାକୁ ଚାହିଁଥାନ୍ତି । କିନ୍ତୁ କାଳେ ସେ ଖରାପ ଭାବିବ ଚିନ୍ତା କରି ପଚାରି ପାରନ୍ତି ନାହିଁ । କିନ୍ତୁ ପ୍ରଶ୍ନର ଉତ୍ତର ନ ମିଳିବା ଯୋଗୁଁ ଅସ୍ଥିର ମଧ୍ୟ ରହିଥାନ୍ତି । ସେଥିପାଇଁ ବାହାଘର ପୂର୍ବରୁ ଦୁହିଁଙ୍କ ମନରେ ଯାହା ବି ପ୍ରଶ୍ନ ଥାଉ ତାହା ଉପରେ ଆଲୋଚନା କରିବା ନିହାତି ଜରୁରୀ । ଏହାଦ୍ବାରା ସମ୍ପର୍କ ମଜଭୁତ ହୁଏ ଓ ଭବିଷ୍ୟତରେ ଏସବୁ ନେଇ ବିବାଦ ହୁଏନି ।
ଝଗଡା:
ସମ୍ପର୍କରେ ମାନ ଅଭିମାନ, ମନୋମାଳିନ ରହିବା ସମ୍ପର୍କରୁ ଆହୁରି ସୁନ୍ଦର କରେ । ତାହା ବିବାହ ପୂର୍ବରୁ ହେଉ କି ପରେ । ବାହାଘର ପୂର୍ବରୁ ଦୁହିଁଙ୍କ ଭିତରେ ଛୋଟ ଛୋଟ ଝଗଡା ହେବା ଭଲ । ଏହାଦ୍ବାରା ଆପଣ ଜାଣିପାରିବେ ଆପଣଙ୍କ ପାର୍ଟନର ସମସ୍ୟା ଓ ଝଗଡାକୁ କେମିତି ପ୍ରତିକ୍ରିୟା ଦେଉଛନ୍ତି ଓ ସମାଧାନ କରୁଛନ୍ତି । ଏହା ଏକ ସଫଳ ବିବାହର ଚାବିକାଠି । ଦୁଇଟି ଭିନ୍ନ ଭିନ୍ନ ବିଚାରଧାରା ସମ୍ପନ୍ନ ଲୋକଙ୍କ ଭିତରେ କୌଣସି ପ୍ରସଙ୍ଗକୁ ନେଇ ଭୁଲ ବୁଝାମଣା ହେବାର ସମ୍ଭାବନା ଥାଏ । ଏପରି ସମୟରେ ଆପଣଙ୍କ ପାର୍ଟନରଙ୍କୁ ବୁଝାଇବା କ୍ଷମତା ରଖିବା ଦରକାର ।
ସାଙ୍ଗମାନଙ୍କ ସହ ସମ୍ପର୍କ ରଖନ୍ତୁ:
ସବୁ ପୁଅ ଝିଅଙ୍କ ବାହାଘର ପୂର୍ବରୁ କିଛି ଖାସ୍ ସାଙ୍ଗ ଥାଆନ୍ତି । ଯାହା ସହ ସେମାନେ ନିଜର ସବୁ କଥା ସେୟାର କରିଥାନ୍ତି । ହେଲେ କେତେକ ଲୋକ ବାହାଘରେ ପରେ ସାଙ୍ଗମାନଙ୍କ ସହ ଅଧିକ କଥା ହୁଅନ୍ତି ନାହିଁ ଯାହା ଠିକ୍ ନୁହେଁ । ବିବାହ ପୂର୍ବରୁ ଓ ବିବାହ ପରେ ବି ନିଜ ସାଙ୍ଗମାନଙ୍କ ସହ ସେହିଭଳି ସମ୍ପର୍କ ଜାରି ରଖନ୍ତୁ । ସେମାନଙ୍କୁ ଜୀବନର ଉତ୍ଥାନ ପତନ, ସୁଖ ଦୁଃଖ ସେୟାର କରିବା ଦ୍ବାରା ଅନେକ ସମସ୍ୟାର ସମାଧାନ ହୋଇଯାଏ । କାରଣ ସାଙ୍ଗ ସବୁବେଳେ ଭଲ ପରାମର୍ଶ ଦେଇଥାନ୍ତି ।