ହାଇଦ୍ରାବାଦ: ଜଳ...ଜୀବନର ଅନ୍ୟ ନାମ ଜଳ । ଜଳ ବିନା ଜୀବନ ଅସମ୍ଭବ । ଜୀବନର ପ୍ରତି ମୁହୂର୍ତ୍ତ ଓ ପ୍ରତିଟି ସମୟରେ ଜଳର ରହିଛି ଆବଶ୍ୟକତା । ତେଣୁ ମାନବ ସମାଜ, ଜୀବଜନ୍ତୁ, ବୃକ୍ଷଲତା ଆଦି ସମସ୍ତଙ୍କ ପାଇଁ ଜଳ ହିଁ ଆଧାର । ବିଶ୍ବରେ 70 ପ୍ରତିଶତ ଜଳଭାଗ ରହିଥିବା ବେଳେ ସେଥିରୁ କେବଳ 3 ପ୍ରତିଶତ ମଧୁର ଜଳ ରହିଛି । 97 ପ୍ରତିଶଚ ଜଳ ପାନୀୟ ଉପଯୁକ୍ତ ନୁହେଁ । ବର୍ତ୍ତମାନ ସମଗ୍ର ବିଶ୍ୱ ତିନି ପ୍ରତିଶତ ଜଳ ଉପରେ ନିର୍ଭରଶୀଳ । ଜଳ ସମ୍ପଦ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟରୁ ଜଣାପଡିଛି ଯେ, ଭାରତରେ ଗୋଟିଏ ବର୍ଷରେ ବ୍ୟବହୃତ ଜଳର ପରିମାଣ 1,121 ବିଲିୟନ କ୍ୟୁବିକ ମିଟର । ତେବେ 2025 ମସିହାରେ ପାଣିର ଚାହିଦା 1093 BCM(ବିଲିୟନ କ୍ୟୁବ ମିଟର)କୁ ବୃଦ୍ଧି ପାଇ 2050 ସୁଦ୍ଧା 1447 BCMରେ ପହଞ୍ଚିବ ।
1.4 ବିଲିୟନରୁ ଅଧିକ ଜନସଂଖ୍ୟା ସତ୍ତ୍ବେ ଭାରତ ନିକଟରେ ବିଶ୍ବର ମଧୁର ଜଳ ସମ୍ପଦର 4 ପ୍ରତିଶତ ରହିଛି । ମିଳିତ ଜାତିସଂଘର ଏକ ରିପୋର୍ଟ ଅନୁସାରେ, ଭାରତରେ ଜଳ ସଙ୍କଟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଅନେକ ରାଜ୍ୟ ଅଛି ଯାହା ଭୂତଳ ଜଳ ହ୍ରାସର ଟପିଙ୍ଗ ପଏଣ୍ଟ(ଶୀର୍ଷ)ରେ ରହିଛି । 2025 ସୁଦ୍ଧା ଉତ୍ତର ପଶ୍ଚିମାଞ୍ଚଳରେ ଜଳ ସଙ୍କଟ ଆହୁରି ଶୋଚନୀୟ ହୋଇପାରେ । ତେଣୁ ଜଳସଙ୍କଟ ଦୂର ପାଇଁ ସଚେତନତା ସୃଷ୍ଟି କରିବାକୁ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖକୁ ବିଶ୍ବ ଜଳ ଦିବସ ଭାବରେ ପାଳନ କରାଯାଏ ।
ଏହା ମଧ୍ୟ ପଢନ୍ତୁ: ସାବଧାନ ! ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି ? ମାଡି ବସିବ ଏସବୁ ରୋଗ
ବିଶ୍ବ ଜଳ ଦିବସର ଇତିହାସ: ବିଶ୍ବ ଜଳ ଦିବସ ପାଳନ କରିବା ପାଇଁ ପ୍ରଥମେ ଜାତିସଂଘର ସାଧାରଣ ସଭାରେ ଡିସେମ୍ବର ୨୨, ୧୯୯୨ରେ ସଂକଳ୍ପ ଗ୍ରହଣ କରାଯାଇଥିଲା । ଏହା ପରେ ମାର୍ଚ୍ଚ ୨୨କୁ ପ୍ରତିବର୍ଷ ବିଶ୍ୱ ଜଳ ଦିବସ ଭାବେ ପାଳନ କରାଯିବାକୁ ଘୋଷଣା କରାଯାଇଥିଲା । ୧୯୯୩ ମସିହାରୁ ସାରା ବିଶ୍ୱରେ ମାର୍ଚ୍ଚ 22ରେ ବିଶ୍ବ ଜଳ ଦିବସ ପାଳନ କରାଯାଉଛି ।
ଜଳ ଦିବସର ଥିମ: ପ୍ରତିବର୍ଷ ଏକ ଥିମ ଆଧାରରେ ବିଶ୍ବ ଜଳ ଦିବସ ପାଳନ କରାଯାଇଥାଏ । ଚଳିତ ବର୍ଷ ବିଶ୍ବ ଜଳ ଦିବସର ଥିମ ରହିଛି, ଶାନ୍ତି ପାଇଁ ଜଳର ବ୍ୟବହାର । ଦିନକୁ ଦିନ ପୃଥିବୀରୁ ଜଳ ସମ୍ପଦ କ୍ଷୟ ହେବାରେ ଲାଗିଛି । ଆଗାମୀ ପିଢି ପାଇଁ ଜଳ ସଂରକ୍ଷଣ ନିହାତି ଆବଶ୍ୟକ । ଜଳ ବିନା ମଣିଷ ତିଷ୍ଠିବା ଅସମ୍ଭବ । ଭବିଷ୍ୟତର ଆବଶ୍ୟକତା ପାଇଁ ଜଳର ସଂରକ୍ଷଣ କରିବା ଦିଗରେ ଆମ ଭିତରେ ଯଥେଷ୍ଟ ସଚେତନତା ରହିବା ଦରକାର ।
ଶରୀର ପାଇଁ କେତେ ପାଣି ଜରୁରୀ: ଅନେକ ଅଧ୍ୟୟନରୁ ଜଣାପଡିଛି ଯେ, ପାଣି ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଶରୀରକୁ ସ୍ୱାସ୍ଥ୍ୟ ବିପଦରୁ ସୁରକ୍ଷିତ ରଖିବା ପାଇଁ ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ଅତି କମରେ 2.7 ଲିଟର ପାଣି ପିଇବା ଉଚିତ । ଏହି ପରିମାଣରୁ କମ୍ ହେଲେ ଡିହାଇଡ୍ରେସନ ହେବାର ସମ୍ଭାବନା ଅଧିକ ରହିଥାଏ । ଦିନରେ ଅତି କମରେ 7 ରୁ 8 ଗ୍ଲାସ୍ ପାଣି ପିଇବା ଉଚିତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ