ତେଲ ଆଭିଭ: ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା 'ଅଲ ଜଜିରା' ଉପରେ ରୋକ ଲଗାଇଲା ଇସ୍ରାଏଲ । ଦେଶରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଅଲ୍ ଜଜିରା ନ୍ୟୁଜ୍ ଚାନେଲ୍ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଦେଶରେ ଏହାର ଖବର ପ୍ରସାରଣ ତଥା ସଂଗ୍ରହ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ବେଞ୍ଜାମିନ । ଏହି ନିଷ୍ପତି କ୍ୟାବିନେଟରେ ସର୍ବସମ୍ମତି କ୍ରମେ ନିଆଯାଇଥିବା କହିଛନ୍ତି ବେଞ୍ଜାମିନ ।
ଗତବର୍ଷ ଅକ୍ଟୋବର ୭ରୁ ଇସ୍ରାଏଲ- ଗାଜା ଯୁଦ୍ଧ ଆରମ୍ଭ ହୋଇଥିବାବେଳେ ସେବେଠୁ ଯୁଦ୍ଧ ସମ୍ବନ୍ଧୀୟ ନିୟମିତ ଖବର ପ୍ରସାରଣ କରିଆସୁଥିଲା ଅଲ ଜଜିରା । ଖବର ସଂଗ୍ରହ ବେଳେ ଏହି ସଂସ୍ଥାର ଅନେକ କାର୍ଯ୍ୟରତ ସାମ୍ବାଦିକ ରିପୋର୍ଟ ସଂଗ୍ରହ କରୁଥିବାବେଳେ ଅନେକ ଯୁଦ୍ଧରେ ଆଖି ବୁଜିଥିବାବେଳେ ଅନେକ ଆହତ ମଧ୍ୟ ହୋଇଛନ୍ତି । ତେବେ ଅଲ୍ ଜଜିରା ଗାଜା ସମର୍ଥନରେ ଖବର ପ୍ରସାରଣ କରୁଥିବା ଅଭିଯୋଗ ଆଣିବା ସହ ବାରମ୍ବାର ଏହାକୁ ସମାଲୋଚନା କରିଥିଲେ ଇସ୍ରାଏଲ ସରକାର । ତେବେ ରବିବାର ଦିନ ସରକାରଙ୍କ ପକ୍ଷରୁ ଚ୍ୟାନେଲ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ଏହାକୁ ଦେଶରେ ବନ୍ଦ କରିଛନ୍ତି ସରକାର । ଇସ୍ରାଏଲରେ ଏହାର ଓ୍ବେବସାଇଟ, ଟିଭି କିମ୍ବା କୌଣସି ମାଧ୍ୟମରେ ଖବର ପ୍ରସାରଣ କରିପାରିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ରବିବାର ଦିନ ଜେରୁଜେଲମଠାରେ ଅବସ୍ଥିତ ଅଲ୍ ଜରିରା କାର୍ଯ୍ୟାଳୟ ଉପରେ ଇସ୍ରାଏଲ ପୋଲିସ ଦ୍ୱାରା ଚଢାଉ କରାଯାଇ ବନ୍ଦ କରାଯାଇଛି । ଇସ୍ରାଏଲରେ ବର୍ତ୍ତମାନ ଅଲ ଜଜିରାର ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ । ଏଥିସହ ସେମାନଙ୍କ ସାମଗ୍ରୀ ମଧ୍ୟ ଜବତ କରାଯିବ । ଅଲ୍ ଜଜିରା କେବୁଲ କନେକ୍ସନ ମଧ୍ୟ କାଟି ଦିଆଯିବ ।
ଏନେଇ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, "ଅଲ ଜଜିରା ହିଂସାକୁ ଉସୁକାଇବା ଭଳି ତଥ୍ୟ ପ୍ରସ୍ତୁତ କରୁଛି । ଯେଉଁଥିପାଇଁ ଲୋକଙ୍କୁ ଭୁଲ ସୂଚନା ମିଳୁଛି । ଏହା ଇସ୍ରାଏଲ ରାଷ୍ଟ୍ରୀୟ ସୁରକ୍ଷା ଓ ନିରାପତ୍ତା ପାଇଁ ବିପଦ ଅଟେ ।" ଅନ୍ୟପଟେ ଅଲ୍ ଜରିରା ଏଭଳି ନିଷ୍ପତିକୁ କଡା ନିନ୍ଦା କରିବା ସହ ଇସ୍ରାଏଲ ସରକାରଙ୍କ ଏହା ଅପରାଧିକ କାର୍ଯ୍ୟକଳାପ ବୋଲି କହିଛି । ଇସ୍ରାଏଲ ସରକାର ମାନବାଧିକାରକୁ ଉଲ୍ଲଂଘନ କରୁଥିବା ଟ୍ୱିଟ୍ କରି କହିଛି ଅଲ୍ ଜଜିରା ।
ସୂଚନାଯୋଗ୍ୟ, ଅଲ୍ ଜଜିରା ଅନ୍ତଃରାଷ୍ଟ୍ରୀୟ ଗଣମାଧ୍ୟମ ସଂସ୍ଥା ଅଟେ । ଏହି ଚ୍ୟାନେଲରେ କତାର ସରକାରଙ୍କ ମଧ୍ୟ ସହଭାଗିତା ରହିଛି । ଗାଜା- ଇସ୍ରାଏଲ ଯୁଦ୍ଧ ନେଇ କତାର ଓ ଇସ୍ରାଏଲ ମଧ୍ୟରେ ସମ୍ପର୍କରେ ତିକ୍ତତା ଆସିଥିବା ଦେଖିବାକୁ ମିଳିଛି । କତାର ଇସ୍ରାଏଲ ବିରୋଧି ଗାଜାକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି ।
ପୂର୍ବରୁ ମଧ୍ୟ ଅଲ ଜଜିରାକୁ ଅନ୍ୟ ମଧ୍ୟ- ପୂର୍ବ ଦେଶର ସରକାର ବନ୍ଦ କରି ଦେଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି, 2013 ମସିହାରେ ରାଷ୍ଟ୍ରପତି ମହମ୍ମଦ ମୁର୍ସିଙ୍କ ବିରୋଧରେ ଜନ ବିରୋଧ ପ୍ରଦର୍ଶନ ପରେ ସାମରିକ ଅକ୍ତିଆର ପରେ ଅଲ୍ ଜଜିରା ଦ୍ୱାରା ଅପରେଟିଂ ବେସ ଭାବରେ ବ୍ୟବହୃତ ଏକ ବିଳାସପୂର୍ଣ୍ଣ ହୋଟେଲ ଉପରେ ଇଜିପ୍ଟ କର୍ତ୍ତୃପକ୍ଷ ଆକ୍ରମଣ କରିଥିଲେ । ଏଥିରେ ତିନିଜଣ ଅଲ ଜଜିରା କର୍ମଚାରୀଙ୍କୁ 10 ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । କିନ୍ତୁ ଏହାକୁ ଅନ୍ତର୍ଜାତୀୟ ସ୍ତରରେ କଡା ସମାଲୋଚନା କରାଯାଇଥିଲା । ଯାହାପରେ 2015 ରେ ସେମାନଙ୍କୁ ମୁକ୍ତ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ