ETV Bharat / international

ସ୍ପଷ୍ଟ କଲା ଆମେରିକା ପୋଲିସ, ଗୁଳିକାଣ୍ଡରେ ମରିନାହିଁ ଗୋଲ୍ଡି ବରାର - Goldy Brar

author img

By ETV Bharat Odisha Team

Published : May 2, 2024, 11:25 AM IST

ସ୍ପଷ୍ଟ କଲା ଆମେରିକା ପୋଲିସ, ଗୁଳିକାଣ୍ଡରେ ମରିନାହିଁ ଗୋଲ୍ଡି ବରାର
ସ୍ପଷ୍ଟ କଲା ଆମେରିକା ପୋଲିସ, ଗୁଳିକାଣ୍ଡରେ ମରିନାହିଁ ଗୋଲ୍ଡି ବରାର

Goldy Brar Not Killed: ଆମେରିକାରେ ଗୁଳିମାଡରେ ମୃତବ୍ୟକ୍ତି ଗୋଲ୍ଡି ନୁହେଁ । ଗଣମାଧ୍ୟମରେ ଚର୍ଚ୍ଚା ମଧ୍ୟରେ ସ୍ପଷ୍ଟ କଲା ଆମେରିକା ପୋଲିସ । ଗତକାଲି ଅପରାହ୍ନରେ କାଲିଫର୍ଣ୍ଣିଆ ଅଞ୍ଚଳରେ ହୋଇଥିବା ଗୁଳିକାଣ୍ଡ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ତଥା ବିଦେଶରେ ଆତ୍ମଗୋପନ କରିଥିବା ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାର ଜୀବିତ । ଆମେରିକାର କାଲିଫର୍ଣ୍ଣିଆରେ ଗତକାଲି ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡରେ ତାର ମୃତ୍ୟୁ ହୋଇଥିବା ନେଇ ଖବର ପ୍ରସାରିତ ହୋଇଥିଲା । ଏହାକୁ ଆଜି ଆମେରିକା ପୋଲିସ ଖଣ୍ଡନ କରିଛି । ଗୁଳିମାଡରେ ଗୋଲ୍ଡିର ମୃତ୍ୟୁ ହୋଇନଥିବା ଓ ପ୍ରାଣ ହରାଇଥିବା ବ୍ୟକ୍ତି ଜଣେ ଆମେରିକୀୟ ନାଗରିକ ଭାବେ ଚିହ୍ନଟ ହୋଇଥିବା ସ୍ଥାନୀୟ ପୋଲିସ ସ୍ପଷ୍ଟ କରିଛି ।

କାଲିଫର୍ଣ୍ଣିଆ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ଅପରାହ୍ନରେ ଫ୍ରସନୋ ଏରିଆରେ ଏହି ଗୁଳିକାଣ୍ଡ ଘଟିଥିଲା । ଦୁଇଜଣ ଯୁବକଙ୍କ କିଛି ଅଜଣା ଦୁର୍ବୃତ୍ତ ଗୁଳିମାଡ କରି ଫେରାର ହୋଇଯାଇଥିଲେ । ହସ୍ପିଟାଲରେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଏବେ ମଧ୍ୟ ଚିକିତ୍ସାଧୀନ ରହିଛି । ତେବେ ପ୍ରାଣ ହରାଇଥିବା ବ୍ୟକ୍ତିଜଣକ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାର ବୋଲି ସାମାଜିକ ଗଣମାଧ୍ୟମରେ ଖବର ବ୍ୟାପୀ ଯାଇଥିଲା । ସାମାଜିକ ଗଣମାଧ୍ୟମ ପରେ କିଛି ସ୍ଥାନୀୟ ଗଣମାଧ୍ୟମରେ ମଧ୍ୟ ଖବର ପ୍ରସାରିତ ହୋଇଥିଲା । ତେବେ ପ୍ରାଣ ହରାଇଥିବା ବ୍ୟକ୍ତି ଗୋଲ୍ଡି ବରାର ନୁହେଁ ବରଂ 37 ବର୍ଷୀୟ ଜାଭିୟର ଗାଲ୍ଡନି ନାମକ ଜଣେ ସ୍ଥାନୀୟ ଯୁବକ ଚିହ୍ନଟ ମଧ୍ୟ ହୋଇଥିବା ପୋଲିସ ସ୍ପଷ୍ଟ କରିଛି । ଘଟଣାର ତଦନ୍ତ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ :- ଆମେରିକାରେ ଗୋଲ୍ଡି ବରାରକୁ ହତ୍ୟା ! ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ଥିଲା ମାଷ୍ଟରମାଇଣ୍ଡ - Goldy Brar Dies In Us

ମୁସେୱାଲା ହତ୍ୟାକାଣ୍ଡ:

2022ରେ ପଞ୍ଜାବର ମନସାରେ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଜେଲରେ ବନ୍ଦ ଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଓ ବିଦେଶରେ ଆତ୍ମଗୋପନ କରିଥିବା ଗୋଲ୍ଡି ବରାର ଗ୍ୟାଙ୍ଗର ସୁଟରମାନେ ଏହି ହତ୍ୟାକାଣ୍ଡକୁ ରୂପ ଦେଇଥିଲେ । ଦିଲ୍ଲୀ, ହରିୟାଣା ଓ ପଞ୍ଜାବ ପୋଲିସର ମିଳିତ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ଏକାଧିକ ସୁଟରଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ହେଲେ ଗୋଲ୍ଡି କାନାଡାରେ ଆତ୍ମଗୋପନ କରିଥିବା ଜଣାପଡିଥିଲା । ହେଲେ ଗତକାଲି ତାକୁ ଆମେରିକାରେ ହତ୍ୟା କରାଯାଇଥିବା ଖବର ପ୍ରସାରିତ ହୋଇଥିଲା । ମାତ୍ର 24 ଘଣ୍ଟା ମଧ୍ୟରେ ଏହି ଖବରକୁ ସ୍ଥାନୀୟ ପୋଲିସ ଖଣ୍ଡନ କରିଛି । ନିକଟରେ ପାକିସ୍ତାନରେ ଆତ୍ମଗୋପନ କରିଥିବା ଏକାଧିକ ଆତଙ୍କବାଦୀଙ୍କୁ ମଧ୍ୟ ଅଜଣା ଦୁର୍ବୃତ୍ତ ଗୁଳି କରି ହତ୍ୟା କରିସାରିଲେଣି । ଏହାର ତଦନ୍ତ ଜାରି ରହିଥିଲେ, କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.