ହାଇଦ୍ରାବାଦ: ଆସନ୍ତାକାଲି ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ଭୋଟିଂ ହେବାକୁ ଯାଉଛି । ଏହାପୂର୍ବରୁ ଆଜି ଦେଶର ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଛି । ଏକାଧିକ ସ୍ଥାନରେ ବିସ୍ଫୋରଣ ଘଟିଛି । ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ସମେତ ମୋଟ 24 ଜଣଙ୍କ ମୃତ୍ୟୁ ହୋଇଛି । ବାଲୁଚିସ୍ଥାନ ପ୍ରଦେଶର ପାଶିନ ଜିଲ୍ଲାରେ ପ୍ରଥମେ ବିସ୍ଫୋରଣ ହୋଇଥିଲା । ଏଥିରେ 14 ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ନିର୍ବାଚନ ଲଢୁଥିବା ଜଣେ ପ୍ରାର୍ଥୀ ମଧ୍ୟ ଥିଲେ । ଏହାର କିଛି ଘଣ୍ଟା ବ୍ୟବଧାନରେ ଜାମିଆତ ଉଲେମା ପାର୍ଟି କାର୍ଯ୍ୟାଳୟରେ ବିସ୍ଫୋରଣ ଘଟିଥିଲା । ଏଥିରେ ମଧ୍ୟ 10ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଉଭୟ ବିସ୍ଫୋରଣରେ ଶତାଧିକ ଆହତ ମଧ୍ୟ ହୋଇଛନ୍ତି ।
ବ୍ୟାପକ ଫୋର୍ସ ମୁତୟନ ହୋଇଛି । ତେବେ ଏହି ବିସ୍ଫୋରଣ କୌଣସି ଆତଙ୍କବାଦୀ ଗୋଷ୍ଠୀ ଦ୍ବାରା ହୋଇଥିବା ସନ୍ଦେହ କରାଯାଉଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ବାଲୁଚିସ୍ତାନ ଲିବେରେସନ ଆର୍ମି ନାମରେ ଥିବା ସଂଗଠନ ଏହି ଆକ୍ରମଣ ପଛରେ ଥାଇପାରେ ବୋଲି ସନ୍ଦେହ କରାଯାଉଛି ।
ପାକିସ୍ତାନର ରାଜନୀତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ପରି । 1947 ମସିହାରେ ଭାରତ ଠାରୁ ବିଭାଜିତ ହୋଇ ଇସଲାମିକ ଦେଶ ଭାବେ ଆତ୍ମପ୍ରକାଶ କରିଥିବା ପାକିସ୍ତାନରେ ଏପର୍ଯ୍ୟନ୍ତ କୌଣସି ନିର୍ବାଚିତ ପ୍ରଧାନମନ୍ତ୍ରୀ ନିଜର କାର୍ଯ୍ୟକାଳ ପୂର୍ଣ୍ଣ କରିପାରି ନାହାନ୍ତି । କେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ତ ତେବେ ଦୋଷୀ ସାବ୍ୟସ୍ତ ପରି ଘଟଣାର ଏକାଧିକ ନଜିର ରହିଛି । ଏବେ ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ଭାଇ ଶେହେଓ୍ବାଜ ସରିଫ ପ୍ରଧାନମନ୍ତ୍ରୀ ରହିଛନ୍ତି ।
ବିଭିନ୍ନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦେଶ ଛାଡି ପଳାଇଥିବା ନଓ୍ବାଜ ମଧ୍ୟ ପାକିସ୍ତାନ ଫେରିସାରିଛନ୍ତି । ପାକିସ୍ତାନ ରାଜନୀତିରେ ସର୍ବାଧିକ ପ୍ରଭାବ ନଓ୍ବାଜ ସରିଫଙ୍କର ରହିଛି । ସେହିପରି ରାଜନୈତିକ ପ୍ରଭାବ ରଖୁଥିବା ଭୁଟ୍ଟୋ ପରିବାରର ସଦସ୍ୟ ବିଲାଓ୍ବାଲ ଭୁଟ୍ଟୋ ଜର୍ଦ୍ଦାରୀ ମଧ୍ୟ ଚଳିତ ନିର୍ବାଚନ ଲଢୁଛନ୍ତି । ଅନ୍ୟପଟେ ଏବେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ମଧ୍ୟ ନିର୍ବାଚନ ଲଢୁଛି ।
ଏହା ମଧ୍ୟ ପଢନ୍ତୁ :- ପ୍ରଧାନମନ୍ତ୍ରୀଙ୍କୁ ଭେଟି ଫେରିଲେ ନୀତିଶ, କହିଲେ ଆଉ ଏପଟ ସେପଟ ହେବେନି
ହେଲେ ନାମକୁ ମାତ୍ର ଗଣତନ୍ତ୍ର ବୋଲାଉଥିବା ପାକିସ୍ତାନର ପ୍ରକୃତ କ୍ଷମତା ନିୟନ୍ତ୍ରଣ ସେନା ନିକଟରେ ହିଁ ରହିଛି । ନିର୍ବାଚିତ ସରକାର ଗଠନ ହେଉଥିଲେ ମଧ୍ୟ ସେନା ହିଁ ସମସ୍ତ କ୍ଷେତ୍ରରେ ପ୍ରଛନ୍ନ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ । କୌଣସି କାରଣରୁ ପ୍ରଧାନମନ୍ତ୍ରୀ ଓ ସରକାରଙ୍କ ସହ ସେନାର ମତଭେଦ ସୃଷ୍ଟି ହେଲେ ପ୍ରଧାନମନ୍ତ୍ରୀ ଓ ନିର୍ବାଚିତ ସରକାର ମଧ୍ୟ ଭାଙ୍ଗିବାର ପରମ୍ପରା ରହିଛି । ତେବେ ଏହାରି ମଧ୍ୟରେ ପାକିସ୍ତାନ କାଲି ଭୋଟ ଦେବାକୁ ଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ