Lemon Health Benefits: ଅନେକ ଲୋକ ନିଜ ଖାଦ୍ୟ ପାନୀୟରେ ଲେମ୍ବୁ ବ୍ୟବହାର କରିଥାନ୍ତି । ଏହା କେବଳ ଖାଦ୍ୟର ସ୍ବାଦ ବଢାଏନି, ବରଂ ଆମ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଉପକାରୀ । ଲେମ୍ବୁର ଅନେକ ଔଷଧୀୟ ଗୁଣ ରହିଛି । ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ-ସି ଆଣ୍ଟିଅକ୍ସିଡାଣ୍ଟ ଥାଏ । ଏଥିସହ ଏହା କ୍ୟାଲେସିୟମ, ପୋଟାସିୟମ, ମ୍ୟାଗ୍ନେସିୟମ, ସୋଡିୟମ, ଆଇରନ, ଫୋଲେଟ ଭଳି ଅନେକ ପୋଷକ ତତ୍ତ୍ବରେ ଭରପୂର, ଯାହା ଆମ ଶରୀର ପାଇଁ ଖୁବ୍ ଜରୁରୀ । ଏହା ହୃଦଜନିତ ସମସ୍ୟା, ଷ୍ଟ୍ରୋକ, କିଡନୀ ଷ୍ଟୋନ, ଏନିମିଆ ଭଳି ରୋଗରୁ ସୁରକ୍ଷା ଦେବା ସହ ତ୍ବଚାରେ ଚମକ ଆଣେ । ଆମର ହୃଦୟ ସ୍ବାସ୍ଥ୍ୟ ପାଇଁ ବି ଲେମ୍ବୁ ବେଶ୍ ଉପଯୋଗୀ । ଲେମ୍ବୁ ପାଣି ପିଇବା ଦ୍ବାରା ଓଜନ ନିୟନ୍ତ୍ରଣ ହେବା ସହ ହଜମ ପ୍ରକ୍ରିୟା ଠିକ୍ ରହେ ।
ଲେମ୍ବୁର ସ୍ବାସ୍ଥ୍ୟ ଉପକାରିତା:
ହୃଦୟ ସୁସ୍ଥ ରଖେ: ଲେମ୍ବୁ ଭିଟାମିନ-Cର ଏକ ଭଲ ଉତ୍ସ । ଏହା ଆମର ହୃଦୟ ସ୍ବାସ୍ଥ୍ୟ ପାଇଁ ଭଲ । ଅନୁସନ୍ଧାନରୁ ଜଣାପଡେ ଯେ, ଭିଟାମିନ-Cରେ ଭରପୂର ଫଳ ଓ ପନିପରିବା ଖାଇବା ଦ୍ବାରା ହୃଦଘାତ ଓ ଷ୍ଟ୍ରୋକ ହେବାର ଆଶଙ୍କା କମିଯାଏ । ଏଥିସହ ଲେମ୍ବୁ ବ୍ଲଡପ୍ରେସର କମ୍ କରିବାରେ ମଧ୍ୟ ସାହାଯ୍ୟ କରେ । ସେଲ୍ ଡ୍ୟାମେଜ୍ ରୋକିଥାଏ ।
ଓଜନ ନିୟନ୍ତ୍ରଣ: ନିଜର ଓଜନ କମାଇବାକୁ ଚାହୁଁଥିବା ଲୋକଙ୍କ ପାଇଁ ଲେମ୍ବୁ ଭଲ ବିକଳ୍ପ । କାରଣ ଏଥିରେ ଥିବା ସୋଲୁବଲ ପେକଟିନ ଫାଇବର ଅଧିକ ସମୟ ଯାଏଁ ଆପଣଙ୍କ ପେଟ ଫୁଲ୍ ରହିବାର ଅନୁଭବ କରାଏ । ଫଳରେ ଶୀଘ୍ର ଭୋକ ହୁଏନି । ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ପିଇଲେ ଓଜମ ହ୍ରାସ ହୁଏ ।
ଇମ୍ୟୁନିଟି ବଢାଏ: ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ବଢାଇବାରେ ଲେମ୍ବୁ ବେଶ୍ ଉପଯୋଗୀ । ଏଥିରେ ଭିଟାମିନ-C ଓ ଆଣ୍ଟିଅକ୍ସିଡାଣ୍ଟ ମାତ୍ରା ଅଧିକ । ଯାହା ଥଣ୍ଡା, କାଶ ଓ ଫ୍ଲୁ ସୃଷ୍ଟିକାରୀ କୀଟାଣୁ ବିରୋଧରେ ଲଢେଇ ପାଇଁ ଆମର ଇମ୍ୟୁନିଟି ସିଷ୍ଟମ ମଜଭୁତ କରେ ।
ତ୍ବଚା ସମସ୍ୟା ଦୂର କରେ: ଲେମ୍ବୁ ପାଣିରେ ପ୍ରଚୁର ଭିଟାମିନ-C ରହିଛି, ଯାହା ତ୍ବଚାକୁ ଚମକଦାର କରିବା ସହ ଫ୍ରି ରେଡିକଲ୍ସରୁ ସୁରକ୍ଷା ଦିଏ । ଏହା ମୁହଁରେ ଥିବା ଦାଗ, ବ୍ରଣ ଦୂର କରିବାରେ କାମ କରେ । ଏଥିରେ ଥିବା ନାଚୁରାଲ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଓ ଅଲଫା ହାଇଡ୍ରୋକ୍ସିଲ ଏସିଡ ବ୍ଲାକହେଡ୍ ଦୂର କରିପାରେ । ଏଥିସହ ଲେମ୍ବୁ ମୁଖ ଦୁର୍ଗନ୍ଧ ଓ ରୂପୀ ସମସ୍ୟା ଦୂର କରିବାରେ ମଧ୍ୟ ଲାଭଦାୟକ ।
କିଡନୀ ଷ୍ଟୋନ: କିଛି ଅଧ୍ୟୟନରେ କୁହାଯାଇଛି, କିଡନୀ ଷ୍ଟୋନରୁ ରକ୍ଷା କରିବାରେ ଲେମ୍ବୁ ଲାଭଦାୟକ । ସାଇଟ୍ରିକ ଏସିଡ ମୂତ୍ରର ମାତ୍ରା ଓ ପିଏଚ୍ ବଢାଇ କିଡନୀ ଷ୍ଟ୍ରୋନ ରୋକିବାରେ ସାହାଯ୍ୟ କରେ । ଦିନକୁ ଦେଢ କପ୍ ଲେମ୍ବୁ ରସ ସେବନ କଲେ ଆମ ଶରୀରକୁ ଯଥେଷ୍ଟ ସାଇଟ୍ରିକ ଏସିଡ ମିଳେ, ଯାହା ଷ୍ଟୋନ ସୃଷ୍ଟି ହେବାରୁ ରୋକିଥାଏ ।
ଏନିମିଆରୁ ସୁରକ୍ଷା: ଆପଣ ଖାଉଥିବା ଖାଦ୍ୟରୁ ଶରୀରକୁ ଯଥେଷ୍ଟ ଆଇରନ ନ ମିଳିଲେ ଏନିମିଆ ହୋଇଥାଏ । ଲେମ୍ବୁରେ କିଛି ମାତ୍ରାରେ ଆଇରନ ଥାଏ, ଯାହା ଏନିମିଆରୁ ସୁରକ୍ଷା ଦେବାରେ ସହାୟକ ହୋଇପାରେ । ଏଥିସହ ଲେମ୍ବୁରେ ଉଭୟ ଭିଟାମିନ ସି ଓ ସାଇଟ୍ରିକ ଏସିଡ୍ ଥିବାରୁ ଏହା ଏନିମିଆ ବିରୋଧରେ ଉପଯୋଗୀ ।
Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।