ଭୁବନେଶ୍ବର: ବର୍ଷା ଦିନରେ ବଢୁଛି ସାପ କାମୁଡ଼ା ରୋଗୀଙ୍କ ସଂଖ୍ୟା । ଦୈନିକ ରାଜ୍ୟରେ ଅନେକ ହସ୍ପିଟାଲକୁ ସାପ କାମୁଡା ରୋଗୀ ଆସୁଥିବା ବେଳେ କ୍ୟାପିଟାଲ ହସ୍ପିଟାଲକୁ ଆସୁଛନ୍ତି ଦୈନିକ 50ରୁ ଅଧିକ ରୋଗୀ । ତେବେ ବିଶେଷ ଭାବରେ ବର୍ଷା ଦିନ ରହିଥିବାରୁ ସାପ ମାନେ ନିଜ ଶରୀର ତାପମାତ୍ରା ଓ ବାହାର ତାପମାତ୍ରା ମଧ୍ୟରେ ସନ୍ତୁଳନ ରଖିପାରନ୍ତି ନାହିଁ । ତେଣୁ ସାପମାନେ ବିଶେଷ ଭାବରେ ତାପମାତ୍ରା ସହ୍ୟ କରୁଥିବା ସ୍ଥାନକୁ ଆପଣାଇଥାନ୍ତି । ଏନେଇ ଜନବସତି ଆଡ଼କୁ ମୁହାଁଇଥାନ୍ତି । ଅନ୍ୟପଟେ ଚାରିଆଡ଼େ ଓଦା ହୋଇଥିବାରୁ ଶୁଷ୍କ ସ୍ଥାନ ଖୋଜିଥାନ୍ତି । ଫଳରେ ବର୍ଷାଦିନେ ସାପ କାମୁଡ଼ା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଏ । ତେବେ ଏଭଳି ବିଷଧର ସାପ କବଳରୁ କିପରି ବର୍ତ୍ତିବେ ? କଣ ସତର୍କତା ଅବଲମ୍ବନ କରିବେ ? ଯଦି ସାପ କାମୁଡେ କଣ କରିବେ ଓ କଣ କରିବେ ନାହିଁ ? ଏ ସମ୍ପର୍କରେ ସମସ୍ତେ ଜାଣିବା ଉଚିତ । ଏହାଦ୍ବାରା ଏକ ମୂଲ୍ୟବାନ ଜୀବନ ବଞ୍ଚିପାରିବ ।
ସାପ କାମୁଡ଼ା ପୂର୍ବରୁ ଓ ପରେ କିଭଳି ରହିବେ ପ୍ରସ୍ତୁତ, କିଭଳି ଭାବରେ ଘର ଚତୁଃପାର୍ଶ୍ବରେ ସଫା ସୁତୁରା ରଖିବେ ସେନେଇ କ୍ୟାପିଟାଲ ହସ୍ପିଟାଲର ବରିଷ୍ଠ ମେଡିସିନ ସ୍ପେଶାଲିଷ୍ଟ ଡାକ୍ତର ରଞ୍ଜନ କୁମାର ରାଜ ସୂଚନା ଦେଇଛନ୍ତି ।
'ବର୍ଷା ଦିନେ ଘର କିମ୍ବା ଘର ବାହାର ପରିଷ୍କାର ରଖନ୍ତୁ'
କ୍ୟାପିଟାଲ ହସ୍ପିଟାଲର ମେଡିସିନ ସ୍ପେଶାଲିଷ୍ଟ ରଞ୍ଜନ କୁମାର ରାଜ୍ କହିଛନ୍ତି, "ବିଶେଷ ଭାବରେ ବର୍ଷା ଦିନରେ ଘରର ଚାରି ପାଖରେ ପରିଷ୍କାର ପରିଚ୍ଛନ୍ନତା ରଖିବା । ଅଯଥା ଅଳିଆ ଆବର୍ଜନା ରଖିବା ନାହିଁ । ଯଦି ଘର ତଳେ ବା ଚଟାଣରେ ଶୋଉଛନ୍ତି ତେବେ ମଶାରୀ ଭଲ ଭାବରେ ଲଗେଇକି ଶୋଇବା ଉଚିତ । ଯଦି ଖଟ ଉପରେ ଜଣେ ବ୍ୟକ୍ତି ଶୁଅନ୍ତି ତେବେ ଭଲ ଭାବରେ ଝାଡ଼ିକି ଶୋଇବା ଆବଶ୍ୟକ । ବିଶେଷ ଭାବରେ ଛୋଟ ଛୋଟ ସାପମାନେ ବେଡସିଟ ଭିତରେ କିମ୍ବା ଟିକେ ଫାଙ୍କା ସ୍ଥାନରେ ରହିଯାନ୍ତି । ତେବେ ସେମାନଙ୍କ ଉପରେ କିଛି ଆଘାତ ଆସିଲେ କାମୁଡିଥାନ୍ତି ।"
'ଝଡ଼ାଫୁଙ୍କା ନକରି ତୁରନ୍ତ ମେଡିକାଲ ନେବା ଆବଶ୍ୟକ'
"ଯଦି କୌଣସି ବ୍ୟକ୍ତିଙ୍କୁ ସାପ କାମୁଡି ଥାଏ ତେବେ ତୁରନ୍ତ ହସ୍ପିଟାଲ ଆଣନ୍ତୁ । କାରଣ ହୁଏତ ମୂଲ୍ୟବାନ ଜୀବନ ବଞ୍ଚିଯାଇପାରେ । କୌଣସି ପରିସ୍ଥିତିରେ ଝଡ଼ାଫୁଙ୍କା ଭଳି ଗୁଣି ଗାରେଡି ଆଦି ବ୍ୟକ୍ତିଙ୍କ ପାଖକୁ ନିଅନ୍ତୁ ନାହିଁ" ବୋଲି ଡାକ୍ତର ରାଜ୍ କହିଛନ୍ତି ।
ସାପ କାମୁଡ଼ିଲେ କରିବେ କଣ ?
କ୍ୟାପିଟାଲ ହସ୍ପିଟାଲର ମେଡିସିନ ସ୍ପେଶାଆଲିଷ୍ଟ ରଞ୍ଜନ କୁମାର ରାଜ୍ କହିଛନ୍ତି, "ଯଦି ସାପଟି କାମୁଡି ଦେଇଥାଏ ତେବେ ଆଦୌ ଡରନ୍ତୁ ନାହିଁ, କି ବିଚଳିତ ହୁଅନ୍ତୁ ନାହିଁ । ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ଆଶ୍ବାସନା ଦିଅନ୍ତୁ ଓ ତୁରନ୍ତ ଡାକ୍ତରଖାନା ନେଇ ଯାଆନ୍ତୁ । ସାପ କାମୁଡି ଥିବା ବ୍ୟକ୍ତି ପିନ୍ଧିଥିବା ମୁଦି, ଘଣ୍ଟା, ବ୍ରତ ଓ ପାଉଁଜି ଇତ୍ୟାଦିକୁ ଖୋଲି ଦିଅନ୍ତୁ । ସାପ କାମୁଡା ବ୍ୟକ୍ତିଙ୍କୁ ଚଲାବୁଲା ବା କୌଣସି କାମ କରିବାକୁ ବାରଣ କରନ୍ତୁ । ଏହାସହ ତୁରନ୍ତ ଝଡ଼ାଫୁଙ୍କା ନକରି ନିକଟସ୍ଥ ହସ୍ପିଟାଲକୁ ରୋଗୀଙ୍କୁ ନେଇଯାଆନ୍ତୁ ।"
କଣ କରିବେ ନାହିଁ ?
ଡାକ୍ତରଙ୍କ କହିବାନୁସାରେ ଗୁଣି ଗାରେଡ଼ି, ମନ୍ଦିରରେ ପାଣି ଢାଳିବା, ଗଦ ଚେରମୂଳି ଲଗାଇବା ଆଦି କାମରେ ସମୟ ନଷ୍ଟ କରନ୍ତୁ ନାହିଁ । ସାପ କାମୁଡିଥିବା ବ୍ୟକ୍ତିଙ୍କୁ ନିଶାଦ୍ରବ୍ୟ ଦିଅନ୍ତୁ ନାହିଁ । କ୍ଷତ ନିକଟରେ କୌଣସି ଜିନିଷ ବାନ୍ଧନ୍ତୁ ନାହିଁ । କ୍ଷତ ସ୍ଥାନକୁ ଆଦୌ ଧୁଅନ୍ତୁ ନାହିଁ । ବ୍ଲେଡ ଛୁରୀ ଆଦିରେ କାଟନ୍ତୁ ନାହିଁ । କ୍ଷତ ସ୍ଥାନକୁ ପଟି ଲଗାଇ ଚୁଚୁମନ୍ତୁ ନାହିଁ । କ୍ଷତ ସ୍ଥାନକୁ ମନ ଇଚ୍ଛା ଚିପାଚିପି କରନ୍ତୁ ନାହିଁ । ଏହାସହ ବରଫ କିମ୍ବା ଇଲେ୍ଟ୍ରୋନିକ୍ସ ସକ ଦିଅନ୍ତୁ ନାହିଁ ।"
ସାପ କାମୁଡିବାର କେତେ ସମୟ ଗୁରୁତ୍ବପୂର୍ଣ୍ଣ ?
ଜଣେ ବ୍ୟକ୍ତିଙ୍କ ପାଇଁ ସାପ କାମୁଡିବାର କେତେ ସମୟ ପର୍ଯ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରଶ୍ନ କରିବାରୁ ଡାକ୍ତର ରାଜ କହିଛନ୍ତି, "ଜଣେ ବ୍ୟକ୍ତିର ମିନିଟ ମିନିଟ ମଧ୍ୟ ଚାଲିଯାଇପାରେ ଜୀବନ । କୋବ୍ରା ସାପ କାମୁଡିବାର 30ରୁ 1 ଘଣ୍ଟା ମଧ୍ୟରେ ଜୀବନ ରହିଥାଏ । ନାଗ ସାପ କାମୁଡି଼ଲେ ଜୀବନ 30 ମିନିଟ ପର୍ଯ୍ୟନ୍ତ ରହିଥାଏ । ଅନେକ ସାପ ରହିଛନ୍ତି ଯାହା କେଇ ମିନିଟ ମଧ୍ୟରେ ଜୀବନ ନେଇପାରନ୍ତି । "
ସାପ କାମୁଡ଼ାରେ କେଉଁ ବର୍ଷ କେତେ ମୃତ୍ୟୁ ସଂଖ୍ୟା ?
ତେବେ ଓଡ଼ିଶା ସରକାରଙ୍କ ଏସଆରସିଙ୍କ ତଥ୍ୟ ଅନୁଯାୟୀ ସାପ କାମୁଡାରେ ବର୍ଷକୁ ଯାଉଛି ହଜାର ହଜାର ଜୀବନ। ୨୦୧୮-୧୯ ମସିହାରେ ୧୦୨୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୧୯-୨୦ ମସିହାରେ ୯୫୧ ଜଣଙ୍କର ମୃତ୍ୟୁ ଘଟିଛି । ଚଳିତ ବର୍ଷରେ ମୟୂରଭଞ୍ଜ ସର୍ବାଧିକ ଭାବରେ ୮୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କେନ୍ଦୁଝର ଜିଲ୍ଲାରେ ୭୨, ଗଞ୍ଜାମରେ ୬୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜିଲ୍ଲାଗୁଡିକରେ ମଧ୍ୟ ସାପ କାମୁଡ଼ାରେ ମୃତ୍ୟୁ ଲୋକଙ୍କର ଜୀବନ ଯାଇଛି ।
ଏହା ବି ପଢନ୍ତୁ- ଉଜୁଡି ଗଲା ହସ ଖୁସିର ସଂସାର, ସାପ ଦଂଶନରେ ଆଖି ବୁଜିଲେ ଭାଇ-ଭଉଣୀ
ସେହିଭଳି ଭାବରେ ୨୦୨୦-୨୦୨୧ ମସିହାରେ ୧୦୪୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ୮୪, ସୁନ୍ଦରଗଡ଼ ଜିଲ୍ଲାରେ ୮୧, ଗଞ୍ଜାମରେ ୬୪ ଭଳି ଅନ୍ୟ ଜିଲ୍ଲାରେ ମଧ୍ୟ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି । ସେହିପରି ଭାବରେ ୨୦୨୧-୨୨ ମସିହାରେ ୮୪୪ ଜଣଙ୍କର ମୃତ୍ୟୁ ଘଟିଛି । ଜିଲ୍ଲା ଅନୁସାରେ ତଥ୍ୟ ନଜର ପକାଇଲେ ମୟୂରଭଞ୍ଜ ଜିଲ୍ଲାରେ ୭୩, ଗଞ୍ଜାମରେ ୬୪ ଭଳି ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ୨୦୨୨-୨୩ ମସିହାରେ ୧୦୦୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୨୩ ମସିହାରୁ ଏବେ ଯାଏଁ ୩୧ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏପଟେ ୨୦୨୦-୨୧ ମସିହାରେ ୭୮୮ ଜଣଙ୍କୁ ସାପ କାମୁଡ଼ା ଜନିତ ସହାୟତା ରାଶି ଯୋଗାଇ ଦିଆଯାଇଛି । ସେହିପରି ଭାବରେ ୨୦୨୨-୨୩ ମସିହାରେ ୮୯୪ ଜଣଙ୍କୁ ସାପ କାମୁଡ଼ା ଜନିତ ମୃତ୍ୟୁକୁ ନେଇ ସହାୟତା ଜନିତ ଅର୍ଥରାଶି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ।
କ୍ୟାପିଟାଲ ହସ୍ପିଟାଲର ଉପ ଅଧିକ୍ଷକଙ୍କ ପ୍ରତିକ୍ରିୟା:
ଏନେଇ କ୍ୟାପିଟାଲ ହସ୍ପିଟାଲର ଉପ ଅଧିକ୍ଷକ ଧନଞ୍ଜୟ ଦାସ କହିଛନ୍ତି, "ବର୍ଷ ସାରା ସାପ କାମୁଡ଼ା ରୋଗୀ ଆସୁଛନ୍ତି । ହେଲେ ବିଶେଷ ଭାବରେ ବର୍ଷା ଦିନରେ ଅଧିକ ରୋଗୀ ଆସୁଛନ୍ତି । ସେମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ରହିଛି । ପର୍ଯ୍ୟାପ୍ତ ପରିମାଣରେ ଔଷଧ ସମେତ ସାପ କାମୁଡ଼ା ଇଞ୍ଜେକ୍ସନ ମଧ୍ୟ ମହଜୁଦ ହୋଇ ରହିଛି ।"
କଣ କହିଲେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ?
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, "ବର୍ଷା ଦିନିଆ ପାଇଁ ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଯଥା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସାପ କାମୁଡ଼ା ଇଞ୍ଜେକ୍ସନ ସମେତ ଔଷଧ ମଧ୍ୟ ରହିଛି ।"
ଇଟିଭି ଭାରତ, ଭୁବନେଶ୍ବର