ହାଇଦ୍ରାବାଦ: ଯେମିତି ଇଞ୍ଜିନକୁ ଚାଲିବା ପାଇଁ ପେଟ୍ରୋଲ ଦରକାର, ସେମିତି କାର୍ଯ୍ୟ କରିବା ପାଇଁ ଆମ ଶରୀରକୁ ଖାଦ୍ୟ ଦରକାର । ସୁସ୍ଥ ଶରୀର ଓ ନିରାମୟ ଜୀବନ ପାଇଁ ଖାଦ୍ୟ ସହ ଉପଯୁକ୍ତ ପୋଷଣ ମିଳିବା ବି ଜରୁରୀ । ଶରୀର ପାଇଁ ପୋଷଣ କେତେ ଜରୁରୀ, ତାହା ଯଦିଓ ସମସ୍ତେ ଜାଣିଛନ୍ତି କିନ୍ତୁ ବିଭିନ୍ନ କାରଣ ଯୋଗୁଁ ଅଧିକାଂଶ ଲୋକେ ବିଶେଷକରି ଶିଶୁମାନେ ପର୍ଯ୍ୟାପ୍ତ ମାତ୍ରାରେ ପୋଷଣ ଗ୍ରହଣ କରିପାରୁନାହାନ୍ତି ଓ କୁପୋଷଣର ଶିକାର ହେଉଛନ୍ତି । ସେହିପରି ଆଜିର ଧାଁ ଦୌଡ ଜୀବନରେ ମଣିଷକୁ ନିଜ ପାଇଁ ଯଥେଷ୍ଟ ସମୟ ମିଳୁନି । କାର୍ଯ୍ୟବ୍ୟସ୍ତତା ବ୍ୟସ୍ତତା ମଧ୍ୟରେ ନିଜ ସ୍ବାସ୍ଥ୍ୟକୁ ଅବହେଳା କରୁଛି । ଏହାକୁ ଦୃଷ୍ଟିରେ ରଖି ଜୀବନରେ ପୋଷଣ ବା ପୁଷ୍ଟିକର ଖାଦ୍ୟର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ସଚେତନତା ବୃଦ୍ଧି ନିମନ୍ତେ ପ୍ରତିବର୍ଷ ଭାରତରେ ସେପ୍ଟେମ୍ବର 1ରୁ 7 ତାରିଖ ପର୍ଯ୍ୟନ୍ତ 'ଜାତୀୟ ପୋଷଣ ସପ୍ତାହ' ପାଳନ କରାଯାଏ । ଭାରତ ସରକାର ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ବାରା ଏହି ସଚେତନତା ଅଭିଯାନ ପରିଚାଳିତ ହୁଏ ।
- ଜାତୀୟ ପୋଷଣ ସପ୍ତାହର ଇତିହାସ
ଜାତୀୟ ପୋଷଣ ସପ୍ତାହର ମୂଳ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରତି ଜାଗ୍ରତ କରିବା ତଥା ପୋଷଣର ମହତ୍ତ୍ବ ସମ୍ପର୍କରେ ଜଣାଇବା । ମାର୍ଚ୍ଚ 1975ରେ ଆମେରିକୀୟ ଡାଏଟେଟିକ୍ ଆସୋସିଏସନ୍ ଦ୍ବାରା ପୋଷଣ ଶିକ୍ଷାର ଆବଶ୍ୟକତାତକୁ ଦୃଷ୍ଟିରେ ରଖି ଜନ ସଚେତନତା ବୃଦ୍ଧି ସହିତ ଡାଏଟିସିଆନ୍ ବୃତ୍ତିକୁ ପ୍ରୋତ୍ସାହିତ କରିବା ପାଇଁ 'ଜାତୀୟ ପୋଷଣ ସପ୍ତାହ' ଆରମ୍ଭ ହୋଇଥିଲା । ଏହା ସଫଳ ହେବା ପରେ ଲୋକପ୍ରିୟତା ହାସଲ କରିଥିଲା ଏବଂ ଭାରତ ସହିତ ବିଭିନ୍ନ ଦେଶରେ ପ୍ରତିବର୍ଷ ପାଳନ କରାଗଲା ।
ଭାରତରେ ଜନସାଧାରଣ, ବିଶେଷକରି ପିଲାମାନଙ୍କ ମଧ୍ୟରେ ପୁଷ୍ଟିହୀନତା ହାର ହ୍ରାସ କରିବା ଏବଂ ପୋଷଣ ଗୁରୁତ୍ବ ବାବାଦରେ ଶିକ୍ଷା ଦେବା ଓ ସଚେତନତା ବୃଦ୍ଧି କରିବା ଲକ୍ଷରେ ଭାରତ ସରକାରଙ୍କ ଖାଦ୍ୟ ଓ ପୋଷଣ ବୋର୍ଡ ଦ୍ବାରା 1982 ମସିହାରେ 1 ସେପ୍ଟେମ୍ବରରୁ 7 ସେପ୍ଟେମ୍ବର ପର୍ଯ୍ୟନ୍ତ ଜାତୀୟ ପୋଷଣ ସପ୍ତାହ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଗଲା । ସେବେଠୁ ପ୍ରତିବର୍ଷ ଏହି ସପ୍ତାହ ପାଳନ କରାଯାଏ । ଏହାର ଉଦ୍ଦେଶ୍ୟ ଜନସାଧାରଣଙ୍କ ମଧ୍ୟରେ ପୋଷଣ ଓ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ବଢାଇବା, ଯାହାକି ଉତ୍ପାଦନ, ଅର୍ଥନୈତିକ ଅଭିବୃଦ୍ଧି ଓ ଜାତୀୟ ବିକାଶ ଉପରେ ଗଭୀର ପ୍ରଭାବ ପକାଇଥାଏ । ଚଳିତ ବର୍ଷର ପୋଷଣ ସପ୍ତାହ ଥିମ୍ ରହିଛି, 'ଆରମ୍ଭରୁ ସଠିକ୍ ଭୋଜନ ଦେବା' ।
- 6 ଆବଶ୍ୟକ ପୋଷକ ତତ୍ତ୍ବ
ଆମ ଶରୀର ପାଇଁ 6ଟି ଆବଶ୍ୟକୀୟ ପୋଷକ ତତ୍ତ୍ବ ହେଲା- ଭିଟାମିନ, ମିନେରାଲ, ପ୍ରୋଟିନ, ଫ୍ୟାଟ, ଜଳ ଓ କାର୍ବୋହାଇଡ୍ରେଟ । ଶରୀରର ସଠିକ୍ କାର୍ଯ୍ୟ ପାଇଁ ଲୋକମାନେ ଖାଦ୍ୟପଦାର୍ଥରୁ ଏହି ପୋଷକ ତତ୍ତ୍ବ ଆବଶ୍ୟକ କରନ୍ତି । ଏହି ପୋଷଣ ତତ୍ତ୍ବକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି,
ମାଇକ୍ରୋନ୍ୟୁଟ୍ରିଏନ୍ସ: ଶରୀର ପାଇଁ ଏହି ପୋଷକ ତତ୍ତ୍ବର ଆବଶ୍ୟକତା କମ୍ । ମାଇକ୍ରୋନ୍ୟୁଟ୍ରିଏନ୍ସ ଭିଟାମିନ ଓ ମିନେରାଲ ଅଟେ । ଯଦିଓ ଶରୀରକୁ ଏହାର କମ୍ ପରିମାଣ ଆବଶ୍ୟକ କିନ୍ତୁ ଏସବୁ ଅଭାବରେ ସ୍ବାସ୍ଥ୍ୟ ଖରାପ ହୁଏ ।
ମାକ୍ରୋନ୍ୟୁଟ୍ରିଏନ୍ସ: ଏହି ପୋଷକ ତତ୍ତ୍ବରେ ଜଳ, ପ୍ରୋଟିନ, କାର୍ବୋହାଇଡ୍ରେଟ ଓ ଫ୍ୟାଟ୍ ରହିଛି, ଯାହାକି ଶରୀରର ପାଇଁ ଅତ୍ୟନ୍ତ ଓ ଅଧିକ ମାତ୍ରାରେ ଆବଶ୍ୟକ ।
- କାହିଁକି ପୋଷଣ ଜରୁରୀ
ନ୍ୟୁଟ୍ରିସନାଲ ବାୟୋକେମିକାଲ ଓ ଶାରିରୀକ ପ୍ରକ୍ରିୟା ଜରିଆରେ ଜୀବ ଜୀବିତ ରହେ । ଆମେ ଖାଉଥିବା ଖାଦ୍ୟ ଆମ ମସ୍ତିଷ୍କ, ଶରୀରର ଗଠନ ଏବଂ ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ । ପୁଷ୍ଟକର ଖାଦ୍ୟ ମଣିଷର ସ୍ବାସ୍ଥ୍ୟ ଓ ଶାରିରୀକ ବିକାଶ ପାଇଁ ଅତ୍ୟନ୍ତ ଅପରିହାର୍ଯ୍ୟ । ପୁଷ୍ଟକର ଖାଦ୍ୟ ଖାଇବା ଦ୍ବାରା ବିଭିନ୍ନ ରୋଗରୁ ରକ୍ଷା ମିଳେ । ଏକ ସନ୍ତୁଳିତ ଖାଦ୍ୟ ସହିତ ଉପଯୁକ୍ତ ପୋଷଣ ଏକ ସୁସ୍ଥ ହୃଦୟ, ମସ୍ତିଷ୍କ ଓ ପୁରା ଶରୀର ପାଇଁ ଗୁରୁତ୍ବପୂର୍ଣ୍ଣ । ଏହା ଆମର ଇମ୍ୟୁନିଟି ସିଷ୍ଟମ ଓ ଶକ୍ତି ସ୍ତର ଉନ୍ନତ କରେ ।
- ଭାରତରେ ପୋଷଣ ସ୍ଥିତି
ଭାରତରେ ଆଜି ବି ଅନେକ ଶିଶୁ କୁପୋଷଣର ଶିକାର ହେଉଛନ୍ତି । କୁପୋଷଣ କାରଣରୁ ଶିଶୁର ଶାରିରୀକ ଓ ମାନସିକ ବିକାଶ ବାଧାପ୍ରାପ୍ତ ହୁଏ ଓ ବିଭିନ୍ନ ରୋଗର ଶିକାର ହୋଇଥାଏ । ବୈଶ୍ବିକ ଆହ୍ବାନ ଓ ପାରିବାରିକ ଅସ୍ବଚ୍ଛଳନତା କାରଣରୁ ଅନେକ ଲୋକ ଶସ୍ତା ଓ ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇଥାନ୍ତି । ଏହି ଖାଦ୍ୟରୁ ଶିଶୁଙ୍କୁ ଆବଶ୍ୟକୀୟ ପୋଷଣ ମିଳିପାରିନଥାଏ । ସେହିପରି ଉପଯୁକ୍ତ ପୋଷଣରୁ ଅଭାବରୁ ମୋଟାପଣ ଭଳି ସମସ୍ୟା ମଧ୍ୟ ହୋଇଥାଏ । ଯାହା ପରବର୍ତ୍ତୀ ସମୟରେ ମଧୁମେହ, ଉଚ୍ଚ ରକ୍ତଚାପ ଓ ହୃଦରୋଗ ଭଳି ବିପଦ ବଢାଏ । ମେଦବହୁଳତା ମହିଳାଙ୍କ ଗର୍ଭବସ୍ଥା ସମୟରେ ଜଟିଳତା ସୃଷ୍ଟି କରିଥାଏ ।
ଜାତିସଂଘର ଖାଦ୍ୟ ସୁରକ୍ଷା ଓ ପୋଷଣ ସ୍ଥିତି ରିପୋର୍ଟ ଅନୁସାରେ, ଭାରତରେ ମୋଟ ଜନସଂଖ୍ୟାର ଅଧାରୁ ଅଧିକ (55.6 ପ୍ରତିଶତ) ସୁସ୍ଥ ଖାଦ୍ୟ ଗ୍ରହଣ କରିବାରେ ଆର୍ଥିକ ରୂପେ ଅସମର୍ଥ । ଏହି ରିପୋର୍ଟ 2024 ଜୁଲାଇ 24ରେ ପ୍ରକାଶିତ ହୋଇଥିଲା ।
ବୈଶିକ ଖାଦ୍ୟ ନୀତି ରିପୋର୍ଟ (Global Food Policy Report 2024)ରୁ ଜଣାପଡିଛି ଯେ, ଭାରତର 38 ପ୍ରତିଶତ ଜନସାଧାରଣ ଅସ୍ବାସ୍ଥ୍ୟକର ଖାଦ୍ୟ ଖାଉଛନ୍ତି । କେବଳ 28 ପ୍ରତିଶ ଲୋକ ପୁରା ପୁଷ୍ଟିକର ଖାଦ୍ୟ ଖାଇପାରୁଛନ୍ତି । ସେହିପରି ଭାରତୀୟ ଆୟୁବିଜ୍ଞାନ ଅନୁସନ୍ଧାନ ପରିଷଦ (ICMR)-ରାଷ୍ଟ୍ରୀୟ ପୋଷଣ ସଂସ୍ଥାନ (ICMR-NIN)ର ତଥ୍ୟ ଅନୁସାରେ, ଦେଶରେ କୁପୋଷଣ ଓ ଏନିମିଆ ପ୍ରମୁଖ ସ୍ବାସ୍ଥ୍ୟ ପ୍ରସଙ୍ଗ ଭାବେ ରହିଛି । ଭାରତରେ 56.4 ପ୍ରତିଶତ ରୋଗ କେବଳ ଅସ୍ବାସ୍ଥ୍ୟକର ଖାଦ୍ୟ କାରଣରୁ ହେଉଛି ।
ଶରୀରକୁ ଉପଯୁକ୍ତ ପୋଷଣ ମିଳିବା ପାଇଁ ସବୁଜ ପନିପରିବା, ବିଭିନ୍ନ ଶସ୍ୟଜାତୀୟ ଖାଦ୍ୟ, ମାଛ, ମାଂସ, ଅଣ୍ଡା, କ୍ଷୀର, ଦହି ଇତ୍ୟାଦି ପୁଷ୍ଟିକର ଖାଦ୍ୟ ଖାଇବା ଜରୁରୀ ।