ହାଇଦ୍ରାବାଦ: ପ୍ରତିଟି ଜୀବନକୁ ସୁରକ୍ଷିତ ରଖିବା ପାଇଁ ପୃଥିବୀ ମାତାର ପ୍ରାକୃତିକ ସ୍ବରୂପକୁ ସଂରକ୍ଷଣ କରିବା ନିହାତି ଆବଶ୍ୟକ । ବର୍ତ୍ତମାନ ସମୟରେ ପୃଥିବୀର ସବୁଠାରୁ ବଡ ସମସ୍ୟା ଆଡକୁ ଦୃଷ୍ଟି ନିକ୍ଷେପ କରିବାର ଆବଶ୍ୟକତା ରହିଛି । କେବଳ ନୀତି ତିଆରି କରି ନୁହଁ ବରଂ ନିଷ୍ଠାପର ଭାବେ ତାକୁ ଅନୁପାଳନ କରିବା ମଧ୍ୟ ଆବଶ୍ୟକ । ଏଥିପାଇଁ ପ୍ରତିବର୍ଷ ଏପ୍ରିଲ ୨୨ ତାରିଖକୁ ଅନ୍ତରାଷ୍ଟ୍ରୀୟ ଧରିତ୍ରୀ ମାତା ଦିବସ ବା ପୃଥିବୀ ଦିବସ ଭାବେ ପାଳନ କରାଯାଏ ।
ପ୍ରଗତି ପାଇଁ ଆଧୁନିକ ସମୟରେ ପ୍ରତିଯୋଗିତା ମୂଳକ ଭାବେ ଆମେ ସବୁଠାରୁ ଅଧିକ କ୍ଷତି ପୃଥିବୀର କରୁଛୁ । ସମୁଦ୍ର ତଥା ଜଳ ସ୍ରୋତର ଉତ୍ସ ଗୁଡିକ ପ୍ଲାଷ୍ଟିକ ଆବର୍ଜନାରେ ଭର୍ତ୍ତି ହୋଇଥିବା ବେଳେ ପାନୀୟଜଳ ପୂର୍ବାପେକ୍ଷା ଅଧିକ ଅମ୍ଳଯୁକ୍ତ ହୋଇଚାଲିଛି । ଆବର୍ଜନା ବର୍ଜ୍ୟବସ୍ତୁର ସୁପରିଚାଳନା ନହେବା ଯୋଗୁଁ ପୃଥିବୀରେ ପ୍ରଦୂଷଣର ସ୍ତର ଓ ମାତ୍ରା ବଢିଚାଲିଛି । ଯାହାର କୁପ୍ରଭାବ ଫଳରେ ମାନବ ସମାଜ ଦିନକୁ ଦିନ ନୂଆ ରୋଗ ବ୍ୟାଧିକୁ ସାମନା କରୁଛି । ଏହାଛଡା ଅତ୍ୟଧିକ ତାପମାତ୍ରା ବୃଦ୍ଧି, ଜଙ୍ଗଲରେ ନିଆଁ ଓ ବନ୍ୟା ମରୁଡିରେ ଜନଜୀବନ ତ୍ରାହି ତ୍ରାହି କରୁଛି ।
ଅନ୍ତରାଷ୍ଟ୍ରୀୟ ଧରିତ୍ରୀ ମାତା ଦିବସରେ ଆମ ସମସ୍ତଙ୍କୁ ସଂକଳ୍ପ ନେବା ଆବଶ୍ୟକ ଅଛି ଓ ନିଜ ଘର ପରିବାର ଭଳି ପୃଥିବୀ ମାତାଙ୍କୁ ନିଜର ଭାବି ତାର ସୁରକ୍ଷା ଓ ଯତ୍ନ ପ୍ରତି ସଜାଗ ରହିବାର ଆବଶ୍ୟକତା ରହିଛି । ଆମ ବିଶ୍ବକୁ ପୁଣି ଥରେ ସବୁଜ ସୁନ୍ଦର କରିବାର ଉତ୍ତରଦାୟିତ୍ବ ଆମ ସମସ୍ତଙ୍କୁ ନେବାର ସମୟ ଆସିଛି । ଜଳବାୟୁ ପରିବର୍ତ୍ତନ, ପ୍ରକୃତିରେ ମନୁଷ୍ୟକୃତ ପରିବର୍ତ୍ତନ ସହିତ ଜୈବ ବିବିଧତାକୁ କ୍ଷତି ପହଞ୍ଚାଇବା ଭଳି ପଦକ୍ଷେପ ଯଥା ଜଙ୍ଗଲ କ୍ଷୟ, ଭୂମି ଉପଯୋଗ ପରିବର୍ତ୍ତନ, କୃଷି ଓ ପଶୁପାଳନ ଉତ୍ପାଦନରେ ବୃଦ୍ଧି, ଅବୈଧ ଭାବେ ବନ୍ୟଜନ୍ତୁ ଶିକାର ଭଳି ଦୁଷ୍କୃତ୍ୟ ଆମ ପୃଥିବୀକୁ ପତନାଭିମୁଖୀ କରିଚାଲିଛି ।
ଦୁନିଆରେ ଲଗାତାର ଜଙ୍ଗଲର ପରିମାଣ ହ୍ରାସ ପାଇବାରେ ଲାଗିଛି:-
୧. ଆମ ପୃଥିବୀ ପ୍ରତି ବର୍ଷ ୧୦ ମିଲିୟନ ହେକ୍ଟର ଜଙ୍ଗଲ ଭୂମି ହ୍ରାସ ପାଇବାରେ ଲାଗିଛି, ଯାହା ଆଇସଲାଣ୍ଡ ଭଳି ଦେଶର ଆୟତନ ଠାରୁ ବଡ ଅଟେ ।
୨. ପୃଥିବାରେ ଜୈବ ବ୍ୟବସ୍ଥା ବା ଇକୋ ସିଷ୍ଟମରେ ପୁନଃସଂସ୍ଥାପନ ପାଇଁ ମିଳିତ ଜାତିସଂଘ ଦ୍ବାରା ଚଳିତ ଦଶନ୍ଧି ମଧ୍ୟରେ ତୃତୀୟ ଥର ପାଇଁ ଅନ୍ତରାଷ୍ଟ୍ରୀୟ ଧରିତ୍ରୀ ମାତା ଦିବସ ପାଳନ କରାଯାଉଛି ।
୩. ଜୈବ ବ୍ୟବସ୍ଥା ପୃଥିବୀରେ ସମସ୍ତ ଜୀବନର ସହାବସ୍ଥାନକୁ ସମର୍ଥନ କରିଥାଏ ।
୪. ଆମର ଜୈବ ବ୍ୟବସ୍ଥା ଯେତିକି ସୁସ୍ଥ ରହିବେ, ସେଥିରେ ବସବାସ କରୁଥିବା ଜୀବନ ମଧ୍ୟ ତଦନୁରୂପ ଭାବେ ସୁସ୍ଥ ରହିବ ।
୫. ଆମର କ୍ଷତିଗ୍ରସ୍ତ ହୋଇଥିବା ଇକୋ ସିଷ୍ଟମକୁ ପୁନଃବିନ୍ୟାସ କରିବା ଦ୍ବାରା ଦାରିଦ୍ରରୁ ମୁକ୍ତି, ଜଳବାୟୁ ପରିବର୍ତ୍ତନର ସମାଧନ ଓ ବିଲୁପ୍ତ ହେଉଥିବା ପ୍ରଜାତିଙ୍କ ଉଦ୍ଧାରରେ ସହଯୋଗ ମିଳିବ ।
୬. ଆମେ ଏହି ଲକ୍ଷ୍ୟରେ ସଫଳ ହେବୁ ଯେବେ ସମସ୍ତେ ନିଜର ଭୂମିକା ଓ ଦାୟିତ୍ବକୁ ସୂଚାରୁ ରୂପେ ତୁଲାଇବେ ।
୭. ଏକ ସୁସ୍ଥ ଇକୋ ସିଷ୍ଟମ ଆମକୁ ଅନେକ ଦୁରାରୋଗ୍ୟରୁ ସୁରକ୍ଷା ପ୍ରଦାନ କରିଥାଏ ।
୮. ଜୈବ ବିବିଧତା କାରଣରୁ ରୋଗସୃଷ୍ଟିକାରୀ କାରକଙ୍କ ବଂଶବୃଦ୍ଧି ମଧ୍ୟ ରୋକାଯାଇପାରିବ ।
୯. ଆନୁମାନିକ ଭାବେ ପ୍ରାୟ ୧୦ ଲକ୍ଷ ଜୀବଜନ୍ତୁ ଓ ଉଦ୍ଭିଦର ପ୍ରଜାତି ଗୁଡିକ ବିଲୁପ୍ତ ହେବା ସ୍ଥିତିରେ ଅଛନ୍ତି ।
ଏହା ମଧ୍ୟ ପଢନ୍ତୁ... ପାରିବେଶିକ ଆହ୍ବନ ଉପରେ ଅର୍ଥନୈତିକ ଲାଳସା ପ୍ରାକୃତିକ ବିପର୍ଯ୍ୟୟର ମୂଳ କାରଣ - NATURAL DISASTER
ଭାରତ ସରକାରଙ୍କ ବନ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ନିୟମିତ ଭାବେ ଜଙ୍ଗଲ ସମ୍ବନ୍ଧିତ ସର୍ବେକ୍ଷଣ କରାଯାଇଥାଏ । ୨୦୨୧ ମସିହାରେ ବନ ସର୍ବେକ୍ଷଣ ରିପୋର୍ଟ ଜାରି କରାଯାଇଥିଲା । ସେଥିରେ ନିମ୍ନୋକ୍ତ ଉଲ୍ଲେଖନୀୟ ତଥ୍ୟ ସାମିଲ ଥିଲା ।
୧. ଭାରତରେ ପ୍ରାୟ ମୋଟ ୮୦.୯ ମିଲିୟନ ହେକ୍ଟର ପରିମାଣର ଜଙ୍ଗଲ ଭୂମି ରହିଛି, ଯାହା ଦେଶର ସମୁଦାୟ ଭୌଗୋଳିକ କ୍ଷେତ୍ରଫଳର ପ୍ରାୟ ୨୪.୬୨ ପ୍ରତିଶତ ଅଟେ ।
୨. ୨୦୧୯ର ଆକଳନ ତୁଳନାରେ ୨୦୨୧ ରେ ଜଙ୍ଗଲଭୂମିରେ ୨୨୬୧ ବର୍ଗ କିଲୋମିଟରର ବୃଦ୍ଧି ଦେଖାଯାଇଥିଲା ।
୩. ବନ ଆଚ୍ଛାଦିତ କ୍ଷେତ୍ର ରେ ସବୁଠାରୁ ଅଧିକ ବୃଦ୍ଧି ଖୋଲା ବା ମୁକ୍ତ ଜଙ୍ଗଲର ପରିମାଣରେ ହୋଇଥିଲା । ବନାଞ୍ଚଳ ବୃଦ୍ଧିରେ ପ୍ରଥମ ତିନୋଟି ସ୍ଥାନରେ ଥିବା ରାଜ୍ୟ ଗୁଡିକ ହେଉଛି- ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଏବଂ ଓଡିଶା ।
୪. ଭାରତରେ ଅବସ୍ଥାପିତ ବନ କ୍ଷେତ୍ରଫଳ ହିସାବରେ ମଧ୍ୟପ୍ରଦେଶ ରାଜ୍ୟ ଗୁଡିକ ମଧ୍ୟରେ ପ୍ରଥମ ରହିଛି ।
୫. ଦେଶର ୧୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କରେ ୩୩ ପ୍ରତିଶତରୁ ଅଧିକ ଭୂମିରେ ଜଙ୍ଗଲ ଆଚ୍ଛାଦିତ ହୋଇଛି
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ