ହାଇଦ୍ରାବାଦ: ଆମେ ଭାବୁ ଏକ ସୁସ୍ଥ ଜୀବନଶୈଳୀ ପାଇଁ କେବଳ ପୁଷ୍ଟିକର ଖାଦ୍ୟ ଓ ବ୍ୟାୟାମ ଜରୁରୀ, ହେଲେ ଏଥିସହ ଉପଯୁକ୍ତ ନିଦ ବି ସେତିକି ଜରୁରୀ । ଯଦି ଆମେ ରାତିରେ 7ରୁ 8 ଘଣ୍ଟା ଶୋଉ, ତାହେଲେ ସାରା ଦିନ ଫୂର୍ତ୍ତି ଅନୁଭବ କରିଥାଉ । ସବୁ କାର୍ଯ୍ୟ ସକ୍ରିୟ ଭାବେ କରୁ । ଖାଦ୍ୟ, ବ୍ୟାୟାମ ଓ ନିଦ୍ରା ପରସ୍ପରକୁ ପ୍ରଭାବିତ କରିଥାନ୍ତି, ଯାହାର ପ୍ରଭାବ ଆମର ସ୍ବାସ୍ଥ୍ୟ ଓ ଜୀବନଶୈଳୀ ଉପରେ ପଡେ । ମୋଟାପଣ, ହୃଦରୋଗ, ହାଇବ୍ଲଡପ୍ରେସର, ଷ୍ଟ୍ରୋକ, ମଧୁମେହ ଓ ଅନ୍ୟାନ୍ୟ ରୋଗଠୁ ଦୂରେଇ ରହି ଶରୀରକୁ ସୁସ୍ଥ ଓ ସକ୍ରିୟ ରଖିବାକୁ ହେଲେ ଆମେ ନିଦକୁ ପ୍ରାଥମିକତା ଦେବା ଆବଶ୍ୟକ । ଯେତେବେଳେ ନିଦକୁ ପ୍ରାଥମିକତା ଦେଉ, ଉତ୍ତମ ନିଦ ପାଇଁ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିଥାଉ ।
ଯୁବବର୍ଗ କେତେ ଘଣ୍ଟା ଶୋଇବା ଜରୁରୀ:
ନ୍ୟାସନାଲ ସ୍ଲିପ ଫାଉଣ୍ଡେସନର ପରାମର୍ଶ ଅନୁସାରେ, ଯୁବକମାନେ ରାତିରେ ଅତିକମରେ 7ରୁ 9 ଘଣ୍ଟା ଶୋଇବା ଉଚିତ୍ । ହେଲେ 3 ଜଣରୁ କେବଳ ଜଣେ ଯୁବକ ଏହାକୁ ପାଳନ କରୁଥିବା ଜଣାଯାଏ । ନିଦ ପୁରା ନହେଲେ ଓଜନ ବୃଦ୍ଧି ଭଳି ସମସ୍ୟା ହୁଏ । ଏଥିସହ ନିଦ ପୁରା ହେଉନଥିବା ଲୋକେ ଅଧିକ ଖାଦ୍ୟ ଖାଇଥାନ୍ତି । ସେମାନଙ୍କ ଖାଦ୍ୟ ଅଭ୍ୟାସ ଅସ୍ବାସ୍ଥ୍ୟକର ହୋଇଯାଏ । ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଯେଉଁ ଲୋକମାନେ ଦିନକୁ 4 ଘଣ୍ଟା ଶୁଅନ୍ତି, ସେମାନେ 9 ଘଣ୍ଟା ଶୋଉଥିବା ଲୋକଙ୍କ ତୁଳନାରେ ଦୈନିକ 300 କ୍ୟାଲୋରୀ ଅଧିକ ଖାଇଥାନ୍ତି ।
ଏହା ଏଥିପାଇଁ, ଯେତେବେଳେ ଆମକୁ ନିଦ ନହୁଏ, ଆମର ଭୋକ ଓ ତୃପ୍ତିକୁ ପ୍ରଭାବିତ କରୁଥିବା ହରମୋନ ବାଧାପ୍ରାପ୍ତ ହୁଏ । ଘ୍ରେଲିନ ହରମୋନ ଆମର ଭୋକ ବଢାଏ ଓ ଲେପ୍ଟିନ ହରମୋନ ପେଟ ଫୁଲ୍ ହେଲା ଭଳି ଅନୁଭବ କରାଏ । ଆମେ ପର୍ଯ୍ୟାପ୍ତ ପରିମାଣରେ ନ ଶୋଇଲେ ଘ୍ରେଲିନ ବୃଦ୍ଧିପାଏ ଓ ଲେପ୍ଟିନ କମିଯାଏ । ଗବେଷକମାନେ 495 ଜଣ ମହିଳାଙ୍କ ନିଦ ପାର୍ଟନ, ସେମାନଙ୍କ ଦୈନିକ ଭୋଜନ ଓ ଭୋଜନ ଗୁଣବତ୍ତାକୁ ଅଧ୍ୟୟନ କରିଥିଲେ । ଏଥିରୁ ସେମାନେ ଜାଣିବାକୁ ପାଇଥିଲେ ଯେ, ନିଦର କ୍ବାଲିଟି ଅଧିକ ଭୋଜନ ଗ୍ରହଣ ଓ ନିମ୍ନ ଡାଏଟ କ୍ବାଲିଟି ସହ ଜଡିତ ।
ରାତିରେ ଭଲ ନିଦ ପାଇଁ କ'ଣ ଖାଇବେ ?
ରାତିରେ ଭଲରେ ଶୋଇବାକୁ ହେଲେ ଆମକୁ ମେଡିଟେରିଆନ ଡାଏଟ ଗ୍ରହଣ କରିବାକୁ ହେବ । ଏଥିରେ ତାଜା ଫଳ, ପନିପରିବା, ବ୍ରେଡ, ଶସ୍ୟ, ବିନ୍ସ, ବାଦାମ, ମାଛ, ଅଣ୍ଡା ଇତ୍ୟାଦି ଅନ୍ତର୍ଭୁକ୍ତ । ଲାଲ ମାଂସ ସୀମିତ ମାତ୍ରାରେ ଖାଇପାରିବେ । ହେଲେ ପ୍ରୋସେସଡ ଫୁଡ ଆଇଟମଠାରୁ ଦୂରେଇ ରହିବା ଭଲ । ଏହାବ୍ୟତୀତ କମ୍ ପରିମାଣରେ ୱାଇନ ପିଇପାରିବେ । ତେବେ ଶୋଇବା ପୂର୍ବରୁ ମଦପାନ ନ କରିବା ଉଚିତ୍ ।
ମେଡିଟେରିଆନ ଡାଏଟରେ କ'ଣ ଥାଏ ?
ଏଥିରେ ମେଲାଟୋନିନ, ସେରୋଟେନିନ ଓ ଭିଟାମିନ-ଡି ପ୍ରଚୁର ମାତ୍ରା ଥାଏ । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡେ ଯେ, କ୍ଷୀର, ଚର୍ବି ଯୁକ୍ତ ମାଛ, ଚେରି ରସ, କ୍ବିବି ଫଳ ଭଲ ନିଦ ପାଇଁ ଉପଯୋଗୀ । ଏହିସବୁ ଖାଦ୍ୟ ନିଦରେ ଉନ୍ନତି ଆଣେ । ସାଲମନ ଭଳି ମାଛ ଭିଟାମିନ-ଡି ଓ ଓମେଗା-3 ଫ୍ୟାଟି ଏସିଡ ଭରପୂର ହୋଇଥାଏ । ଏହି ଦୁଇ ପୋଷକ ତତ୍ତ୍ବ ସେରୋଟୋନିନକୁ ନିୟନ୍ତ୍ରଣ କରେ ଓ ନିଦ ଆଣିବାରେ ସହାୟକ ହୋଇପାରେ । କ୍ବିବି ଆଣ୍ଟିଅକ୍ସିଡାଣ୍ଟର ଏକ ଭଲ ଉତ୍ସ ହୋଇଥିବା ବେଳେ ଏହାର ସେରୋଟୋନିନ ଓ ଫୋଲେଟ କାରଣରୁ ଭଲ ନିଦ ହୋଇଥାଏ ।
- ନିଦ ଅଭାବରୁ ଆମେ ଅଧିକ ଓ ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇଥାଉ ।
- ମେଡିଟେରିଆ ଡାଏଟ ମସ୍ତିକ ଓ ହୃଦୟ ସ୍ବାସ୍ଥ୍ୟ ଭଲ ରଖିବା ସହ ଉତ୍ତମ ନିଦ ପାଇଁ ସହାୟକ ହୁଏ ।
- ଏହି ଡାଏଟ ମେଲାଟୋନିନ, ସେରୋଟୋନିନ ଓ ଭିଟାମିନ ଡିରେ ଭରପୂର ହୋଇଥିବାରୁ ନିଦରେ ସୁଧାର ଆଣେ । REF-https://www.health.harvard.edu/blog/could-what-we-eat-improve-our-sleep-2021030922112?utm_source=delivra&utm_medium=email&utm_campaign=WSCONTROL05&utm_id=7520860&dlv-emuid=b0ad9929-490e-4ec9-b828-b3aa961be4fe&dlv-mlid=7520860
Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ
ଏହା ମଧ୍ୟ ପଢନ୍ତୁ: ମୁଣ୍ଡରେ ହେଉଥିବା ଅଲଜାଇମର କ'ଣ ? ଏହି ରୋଗ ହେଲେ କ'ଣ ହୁଏ - What cause Alzheimers