ଭୁବନେଶ୍ୱର: ଓଡ଼ିଆ ୱେବ ସିରିଜ 'ଗ୍ୟାଙ୍ଗସ୍ ଅଫ୍ ପୁରୀ'ର ଲୋକପ୍ରିୟତା ପରେ ଏହାର ସିକ୍ୱେଲ 'ଗ୍ୟାଙ୍ଗସ୍ ଅଫ୍ ପୁରୀ ସିଜନ-2' ସହ ଫେରୁଛନ୍ତି ନିର୍ମାତା ।ବର୍ତ୍ତମାନ ଏହି ସିରିଜର ଶୁଭ ମହୁରତ ଆରମ୍ଭ ହୋଇଯାଇଛି । ଭୁବନେଶ୍ୱର ସିଆରପି ଛକସ୍ଥିତ ଶ୍ରୀ ସଙ୍କଟମୋଚନ ହନୁମାନ ମନ୍ଦିରରେ ଶୁଭ ମହୁରତ ଆରମ୍ଭ ହୋଇଛି । ଏହି ଅବସରରେ ନିର୍ମାତା ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ 'ଗ୍ୟାଙ୍ଗସ ଅଫ ପୁରୀ'ର ଦ୍ୱିତୀୟ ସିଜିନ 'ଗ୍ୟାଙ୍ଗସ ଅଫ ପୁରୀ:ସିଜନ ୧' କାହାଣୀକୁ ଆହୁରି ସମୃଦ୍ଧ କରିବ ବୋଲି କହିଛନ୍ତି ।
ସୁଟିଂ କେବେ ଆରମ୍ଭ ଏବଂ ସିରିଜ କେଉଁଠି କେବେ ଷ୍ଟ୍ରିମ ହେବ?
ଟେକ୍ନୋଆର୍ଟ ପ୍ରଡକ୍ସନ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ନିର୍ମିତ ଏହି ପ୍ରତୀକ୍ଷିତ ସିକ୍ୱେଲର ପ୍ରିମିୟର୍ ସ୍ୱତନ୍ତ୍ର ଭାବେ କଞ୍ଚା ଲଙ୍କା ଓଟିଟିରେ ହେବାକୁ ଯାଉଛି । ସିରିଜ ସିକ୍ୱେଲକୁ ନେଇ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ କହିଛନ୍ତି, ''ପ୍ରଥମ ସିଜିନକୁ ମିଳିଥିବା ଜବରଦସ୍ତ ପ୍ରତିକ୍ରିୟା ସହ ସଫଳତା ମିଳିଛି । ଯାହା ଆମକୁ କାହାଣୀ, ଭିଜୁଆଲ ଏବଂ ନାଟକରେ ଆହୁରି ଆଗକୁ ବଢାଇବାକୁ ପ୍ରେରଣା ଦେଇଛି । ତେଣୁ ଦର୍ଶକଙ୍କ ସେହି ଭଲ ପାଇବାକୁ ପାଥେୟ କରି ଆମେ ସିଜନ ୨ ରେ ଆଣୁଛୁ । ଏହା ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିବ ବୋଲି ଆଶା । ତେବେ ଫିଲ୍ମର ସୁଟିଂ ୧୧ ଡିସେମ୍ବର ୨୦୨୪ରୁ ଆରମ୍ଭ ହେବ ଏବଂ ମାର୍ଚ୍ଚ ୨୦୨୫ ସୁଦ୍ଧା ଷ୍ଟ୍ରିମିଂ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କହିଛନ୍ତି ।
'ଗ୍ୟାଙ୍ଗସ ଅଫ ପୁରୀ-୨' ଷ୍ଟାରକାଷ୍ଟ
ପ୍ରଥମ ସିଜିନରେ ଚୌଧୁରୀ ଜୟପ୍ରକାଶ ଦାସ, ରବି ନାରାୟଣ ମିଶ୍ର, କେକେ ଓରଫ ବାବୁ ଜେନା, ଅମନ, ହର ରଥ, ଗେଡାନା ଅଭିନୟ କରିଥିବା ବେଳେ ସିଜନ ୨ରେ ଯୋଡି ହେଇଛନ୍ତି ଦୀପାନ୍ବିତ ଦାସମହାପାତ୍ର, ନିଶାନ୍ତ ମଜିଠିଆ, ସୋମା ହୋତା, ପ୍ରିୟମ୍ବଦା ଓ ମନ୍ମୟ ଦେ।ତେବେ ଏହି ସିଜିନ-୨ ୱେବ ସିରିଜ ରେ ଗଭୀର ରହସ୍ୟକୁ ଉନ୍ମୋଚନ କରିବା, ଚରିତ୍ରମାନଙ୍କ ନୂତନ ମେଣ୍ଟ ଏବଂ ବିଶ୍ୱାସଘାତକତାକୁ ସାମ୍ନା କରିବା ଏବଂ ହାଇ-ଆକ୍ସନ ଡ୍ରାମା ଅନୁଭବ କରିବାକୁ ଅପେକ୍ଷା କରିପାରିବେ । ପସନ୍ଦର ପୁରୁଣା ଚରିତ୍ର ଏବଂ କୌତୁହଳପୂର୍ଣ୍ଣ ନୂଆ ଚରିତ୍ରର ମିଶ୍ରଣ ସହିତ, ଏହି ଅଧ୍ୟାୟ ଦର୍ଶକଙ୍କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବ ବୋଲି କହିଛନ୍ତି ପ୍ରଯୋଜନା ସଂସ୍ଥା ।
ଏହା ମଧ୍ୟ ପଢନ୍ତୁ: 50 ଦିନରେ ବି ଥିଏଟରରେ ‘କର୍ମ’ ଜଲୱା ଜାରି, ସେଲିବ୍ରେଟ କଲେ ଟିମ୍
'ଗ୍ୟାଙ୍ଗସ ଅଫ ପୁରୀ-୨' କାହାଣୀ
ପ୍ରଥମ ସିଜିନ ଓଡ଼ିଶାର ଉପକୂଳବର୍ତ୍ତୀ ଅଂଚଳର କ୍ଷମତାର ସଙ୍ଘର୍ଷ, ଜଟିଳ ପ୍ରତିଦ୍ୱନ୍ଦ୍ୱିତା ଏବଂ ଅନ୍ଧକାରରେ ଥିବା ରହସ୍ୟକୁ ଅନୁଧ୍ୟାନ କରିଥିବା ବାସ୍ତବବାଦୀ କାହାଣୀକୁ ଚିତ୍ରିତ କରାଯାଇଥିବା ବେଳେ ବିଶେଷ କରି ପୁରୀର ଅନେକ ଅକୁହା କଥା ପରମ୍ପରା ଓ ତାଙ୍କ ଚାଲିଚଳଣ ବିଷୟରେ ସିଜନ 2ରେ ଦେଖିବାକୁ ମିଳିବ । ଚମତ୍କାର ଅଭିନୟ ଏବଂ ଚିତ୍ତାକର୍ଷକ ଚିତ୍ରଗ୍ରହଣ ପାଇଁ ସମାଲୋଚିତ ହୋଇଥିଲା ମଧ୍ୟ ଫିଲ୍ମର ବାସ୍ତବତା ଓ ମୌଳିକତା ଲୋକଙ୍କୁ ବେଶ ଅକ୍ରୁସ୍ତ କରିଛି । ପୁରୀର ଜଟିଳ ସାମାଜିକ-ରାଜନୈତିକ ଦୃଶ୍ୟପଟର ପ୍ରାମାଣିକ ଚିତ୍ରଣ ପାଇଁ ଏହା ଦର୍ଶକ ଓ ସମାଲୋଚକଙ୍କ ପ୍ରଶଂସା ସାଉଁଟିବା ସହ ଓଡ଼ିଆ ବିଷୟବସ୍ତୁ ଶିଳ୍ପରେ ଏକ ଯୁଗାନ୍ତକାରୀ ରୂପରେ ଉଭା ହୋଇଥିଲା । ତେଣୁ ସିଜନ ୨ ନେଇ ଦର୍ଶକଙ୍କ ମନକୁ କିଭଳି ଛୁଇଁବ ଓ ଆହୁରି ଦମଦାର ହେବ ସେନେଇ ସବୁ ଦିଗକୁ ନେଇ ପ୍ରୟାସ କରାଯାଉଛି ବୋଲି ପ୍ରଯୋଜନା ସଂସ୍ଥା କହିଛି ।
ସେପଟେ ପ୍ରଥମ ସିଜନର ସଫଳତା ଉପରେ ଆଲୋକପାତ କରି ଅଧ୍ୟକ୍ଷ ଅକ୍ଷୟ କୁମାର ପରିଜା କହିଛନ୍ତି, “ଗ୍ୟାଙ୍ଗସ୍ ଅଫ୍ ପୁରୀ ଏହାର ଆଞ୍ଚଳିକ ସଂସ୍କୃତିର ପ୍ରାମାଣିକ ଚିତ୍ରଣ ସହିତ ଓଡ଼ିଆ ଡିଜିଟାଲ ବିଷୟବସ୍ତୁ ପାଇଁ ଏକ ମାନଦଣ୍ଡ ସ୍ଥାପନ କରିଛି । ସିଜିନ୍-୨ ଅଧିକ ତୀବ୍ର ଡ୍ରାମା ଓ ଷ୍ଟାର୍ ପରଫରମାନ୍ସ ସହ ଓଡ଼ିଆ ଗଳ୍ପକୁ ବିଶ୍ୱସ୍ତରରେ ପହଞ୍ଚାଇବା ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ୱର