କୋରାପୁଟ: ଓଡିଶାରେ ବାହୁବଳୀ ଫିଲ୍ମର ଚର୍ଚ୍ଚିତ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ । ଏକ ବହୁଭାଷୀ ଫିଲ୍ମର ସୁଟିଂ ପାଇଁ ଅଭିନେତ୍ରୀ ତାଙ୍କ ଟିମ୍ ସହ ଆସି କୋରାପୁଟ ଜିଲ୍ଲାର ଜୟପୁରରେ ପହଞ୍ଚିଛନ୍ତି । ଫିଲ୍ମର ସୁଟିଂ ଲାଗି ଅନୁଷ୍କା ଏବେ ଜୟପୁର ସହରରେ କିଛିଦିନ ହେବ ରହୁଛନ୍ତି । ତାଙ୍କୁ ଦେଖିବାକୁ ଫ୍ୟାନଙ୍କ ପ୍ରବଳ ଭିଡ଼ ଜମୁଛି । ଏହି ଟିମ୍ କୋଲାବ ଜଳଭଣ୍ଡାର, ଦେଓମାଳୀ ସମେତ ଅନେକ ସ୍ଥାନରେ ସୁଟିଂ କରୁଛନ୍ତି ।
ଗତ ୨ ତାରିଖରୁ ଅଭିନେତ୍ରୀ ଅନୁଷ୍କା ଜୟପୁରରେ ପହଞ୍ଚିବା ପରେ ସ୍ଥାନୀୟ ହୋଟେଲ ବାଲାକ୍ରିଷ୍ଣା ପେଲେସରେ ରହିଛନ୍ତି । ଜୟପୁର ସହର ସମେତ କୋଲାବ ଜଳଭଣ୍ଡାର, ଦେଓମାଳି ପର୍ବତ ଭଳି ଅନେକ ଆକର୍ଷଣୀୟ ଲୋକେସନରେ ଡେରା ପକାଇଛନ୍ତି । ଦୁଇ ଦିନ ହେଲା ଜୟପୁର ସହରର ମୁଖ୍ୟ ରାସ୍ତା, ଜଗନ୍ନାଥ ମନ୍ଦିର ସହ ସହରର ନୂଆ ବସଷ୍ଟାଣ୍ଡରେ ମଧ୍ୟ ଚାଲିଛି ସୁଟିଂ । ଏହି ଫିଲ୍ମରେ କିଛି ସ୍ଥାନୀୟ ବାସିନ୍ଦା ମଧ୍ୟ ଅଭିନୟ କରୁଛନ୍ତି । କୋରାପୁଟ ସମେତ ଜୟପୁରର ବିଭିନ୍ନ ସ୍ଥାନରେ ସୁଟିଂକୁ ନେଇ ସ୍ଥାନୀୟ ବାସିନ୍ଦା ଖୁବ୍ ଉତ୍ସାହିତ ଅଛନ୍ତି । ସେହିପରି ଅଭିନେତ୍ରୀଙ୍କ ଲାଗି ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି ।
ଫିଲ୍ମ ସଂପର୍କରେ ପ୍ରଯୋଜନା ସଂସ୍ଥା ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋରାପୁଟ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଲାଣ ନେଇ କିଛି ସିନ୍ ସୁଟ୍ କରାଯାଇଛି । ତେଲୁଗୁ, ତାମିଲ ଏବଂ ହିନ୍ଦୀରେ ଆଦି ଭାଷାରେ ଏହି ଫିଲ୍ମ ରିଲିଜ୍ ହେବ । ଫିଲ୍ମରେ ମୁଖ୍ୟ ଭୂମିକାରେ ଅନୁଷ୍କା ସେଟ୍ଟୀଙ୍କୁ ଦେଖିବାକୁ ମିଳିବ । ତେବେ ଅନୁଷ୍କା ସୁଟିଂରେ ବ୍ୟସ୍ତ ଥିବା ବେଳେ ସୁଟିଂ ପରେ ତାଙ୍କୁ ଦେଖିବା ଲାଗି ସେ ରହୁଥିବା ତାରକା ହୋଟେଲରେ ଫ୍ୟାନଙ୍କ ଭିଡ଼ ଜମୁଛି । ନିଜର ପ୍ରିୟ ଅଭିନେତ୍ରୀ ଅନୁଷ୍କାଙ୍କୁ ପାଇ କୋରାପୁଟର ବିଭିନ୍ନ ସ୍ଥାନରୁ ଲୋକେ ବେଶ ଖୁସିବ୍ୟକ୍ତ କରିଛନ୍ତି ।
ତେବେ 1977 ମସିହାରେ କୋରାପୁଟରେ ଓଡ଼ିଆ ଚଳଚ୍ଚିତ୍ର ରକ୍ତ ଗୋଲାପ ସୁଟିଂ ହୋଇବେଳେ ଓଲିଉଡରେ କୋରାପୁଟର ଅନେକ ଅଞ୍ଚଳ ସ୍ଥାନ ପାଇ ଆସିଛି । କିନ୍ତୁ 1998ରେ ତେଲୁଗୁ ଚଳଚ୍ଚିତ୍ର 'ଆଂଦାରୁ ହିରୋ ଲେ' ସୁଟିଂ ହେବାର 25 ବର୍ଷ ପରେ ବର୍ତ୍ତମାନ ପୁଣିଥରେ ଟଲିଉଡ଼ର କୋରାପୁଟ ଉପରେ ନଜର ପଡିବା ଏକ ଶୁଭଙ୍କର ସୂଚନା ବୋଲି ଜୟପୁରର ବିଶିଷ୍ଟ ଗବେଶକ ପରେଶ ରଥ ମତ ରଖିଛନ୍ତି । ସେହିପରି କୋରାପୁଟରେ ଚଳଚ୍ଚିତ୍ର ନିର୍ମାଣର ସୁବିଧା ଥିବା ଯୋଗୁଁ ସରକାରଙ୍କ ତରଫରୁ ପ୍ରଯୋଜକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରାଯିବା ଆବଶ୍ୟକ ବୋଲି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ଆସିଥିବା ପୁନେ ସ୍ଥିତ ଏଫଟିଆଇଆଇର ପ୍ରଫେସର ସଞ୍ଜୟ ମୋରେ ମତ ରଖିଛନ୍ତି ।
ଇଟିଭି ଭାରତ, କୋରାପୁଟ