ହାଇଦ୍ରାବାଦ: ବି-ଟାଉନରେ ପୁଣି ବାଜିବ ସାହାନାଇ । ରକୁଲ ପ୍ରୀତ ଏବଂ ଜ୍ୟାକି ଭଗ୍ନାନୀଙ୍କ ପରେ ବର୍ତ୍ତମାନ ବଲିଉଡର ଆଉ ଏକ ଯୋଡି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ହାତକୁ ଦି' ହାତ ହେବାକୁ ଯାଉଛନ୍ତି ବଲିଉଡର ଲୋକପ୍ରିୟ କପଲ ପୁଲକିତ ସମ୍ରାଟ ଏବଂ କ୍ରିତି ଖରବନ୍ଧା । ମାର୍ଚ୍ଚ ୧୫ରେ ଉଭୟ ବିବାହ କରିବାକୁ ଥିବା ବେଳେ ଉଭୟଙ୍କ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଛି । କାଲିଠୁ ଏହି କପଲଙ୍କ ବିବାହ ଉତ୍ସବ ସମାରୋହ ଆରମ୍ଭ ହେବ ।
ପୁଲକିତ ଏବଂ କ୍ରିତିଙ୍କ ବିବାହ ନୂଆଦିଲ୍ଲୀରେ ହେବାକୁ ଥିବାବେଳେ ଅଭିନେତା ସୋମବାର ଦିଲ୍ଲୀ ସ୍ଥିତ ଘରେ ପହଞ୍ଚିଥିଲେ । ବର୍ତ୍ତମାନ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଅଭିନେତାଙ୍କ ଘରର ଆଲୋକମାଳାରେ ଝଲସୁଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ସୂଚନା ଅନୁସାରେ, ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୧୩ରୁ ଉଭୟଙ୍କ ବିବାହ ଉତ୍ସବ ଆରମ୍ଭ ହେବାକୁ ଯାଉଛି । ଯାହା ୪ ଦିନ ଧରି ଅର୍ଥାତ୍ ମାର୍ଚ୍ଚ ୧୬ ଯାଏଁ ଚାଲିବ ବୋଲି ଜଣାପଡିଛି ।
ଉଭୟ ପୁଲକିତ ସମ୍ରାଟ ଏବଂ କ୍ରିତି ଖରବନ୍ଧା ଦିଲ୍ଲୀର ବାସିନ୍ଦା । ଉଭୟଙ୍କ ପରିବାର ଦିଲ୍ଲୀରେ ରୁହନ୍ତି, ଯେଉଁଥିପାଇଁ ଏହି ଦମ୍ପତି ଏଠାରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରିପୋର୍ଟ ଅନୁଯାୟୀ, ଏହି ଦମ୍ପତି ଦିଲ୍ଲୀ ନିକଟସ୍ଥ ମାନସର ଏକ ଗ୍ରାଣ୍ଡ ରିସର୍ଟରେ ବିବାହ କରିବାକୁ ଯାଉଛନ୍ତି । ଏହା ଆରଭଲୀ ରେଞ୍ଜରେ ଅବସ୍ଥିତ, ଯାହାର ନାମ ITC ଗ୍ରାଣ୍ଡ ଭରତ ହୋଟେଲ ଅଟେ ।
ଅତିଥି ତାଲିକା ବିଷୟରେ କହିବାକୁ ଗଲେ, ଉଭୟଙ୍କ ବିବାହରେ କେହି ବି-ଟାଉନର ସେଲିବ୍ରିଟି ଯୋଗଦେବେ ନାହିଁ । କେବଳ ନିଜ ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଦୁହେଁ ବିବାହ କରିବେ । ତଥାପି କିଛି ସେଲିବ୍ରିଟି ଅନ୍ତର୍ଭୁକ୍ତ ହୋଇପାରନ୍ତି ଯେଉଁମାନେ ସେମାନଙ୍କ ପରିବାର ସଦସ୍ୟ ଭାବେ ସାମିଲ ହୋଇପାରନ୍ତି । ବରୁଣ ଶର୍ମାଙ୍କ ସହିତ ଫୁକରେର ଅନ୍ୟ କଳାକାରମାନେ ଆସନ୍ତା ସପ୍ତାହରେ ଦିଲ୍ଲୀ ଯିବେ ।
ଏହା ମଧ୍ୟ ପଢନ୍ତୁ: ଚାରି ଦିନ ଚାଲିବ ପୁଲକିତ ଓ କ୍ରିତିଙ୍କ ବିବାହ ଉତ୍ସବ ! ଏହି ଦିନ ପଡିବ ହାତଗଣ୍ଠି
କହିରଖୁଛୁ କି, ଏହି କପଲଙ୍କ ଲଭଷ୍ଟୋରୀ ଫିଲ୍ମ 'ପାଗଲପନ୍ତୀ'ର ସେଟରୁ ଆରମ୍ଭ ହୋଇଥିଲା । କୁହାଯାଉଛି ଯେ, ଦୁହେଁ ପ୍ରଥମ ଥର ପାଇଁ ଏଠାରେ ଭେଟିଥିଲେ ଏବଂ କିଛି ସମୟ ପରେ ସେମାନେ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ । ଏହି ଫିଲ୍ମର ପ୍ରମୋସନ ସମୟରେ ଅଭିନେତ୍ରୀ ଉଭୟଙ୍କ ସମ୍ପର୍କକୁ ନିଶ୍ଚିତ କରିଥିଲେ । ଏଥିସହ ନିକଟରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିଲା । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।