ହାଇଦ୍ରାବାଦ: ପାକିସ୍ତାନୀ ଗାୟକ ରାହତ ଫତେହ ଅଲ୍ଲୀ ଖାନ ଗିରଫ ଘଟଣା । ତାଙ୍କୁ ଦୁବାଇ ପୋଲିସ ଅଟକ ରଖିଥିବା ଖବର ସୋସିଆଲ ମିଡିଆରେ ପ୍ରଚାର ହୋଇଥିଲା । ଏହା ଗୁଜବ ବୋଲି ରାହତ ନିଜେ ସ୍ପଷ୍ଟ କରିଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ଜାରି କରିଛନ୍ତି । ଗିରଫଦାରୀ ନେଇ ପ୍ରଚାର ହେଉଥିବା ଖବର ଗୁଜବ ବୋଲି ସେ କହିଛନ୍ତି ।
Wonderful @NaughtyBoyMusic & @RFAKWorld to perform a special track especially for #BATDinner2017 pic.twitter.com/kxZ653xOFu
— British Asian Trust (@britishasiantst) February 2, 2017
ଗିରଫଦାରୀ ନେଇ ରାହତଙ୍କ ସ୍ପଷ୍ଟୀକରଣ:
ଭିଡିଓରେ ରାହତ କହିଛନ୍ତି, "ମୁଁ ରାହତ ଫତେହ ଅଲ୍ଲୀ ଖାନ । ମୁଁ ବର୍ତ୍ତମାନ ଦୁବାଇରେ ଅଛି । ଆଉ ସବୁ କିଛି ଠିକ୍ ଅଛି । ମୋ ଗିରଫଦାରୀ ନେଇ ଗୁଜବ ପ୍ରସାରଣ ହେଉଛି । ଆପଣ ଏହାକୁ ଆଦୌ ବିଶ୍ବାସ କରନ୍ତୁ ନାହିଁ । ମୁଁ ଫ୍ୟାନ୍ସ ମାନଙ୍କୁ ଅନୁରୋଧ କରୁଛି ଯେ, ସେମାନେ ଏହି ଖବର ପ୍ରତି ଆଦୌ ଧ୍ୟାନ ଦିଅନ୍ତୁ ନାହିଁ । ଭଗବାନଙ୍କ ପରେ ମୋ ଫ୍ୟାନ୍ସ ମାନେ ହିଁ ମୋ ଶକ୍ତି । ଆପଣଙ୍କ ଆଶୀର୍ବାଦରୁ ମୁଁ ଆହୁରି ନୂଆ ହିଟ୍ ସଂଗୀତ ନେଇ ଆସିବି । ସମସ୍ତଙ୍କୁ ଧନ୍ୟବାଦ।"
ରାହତଙ୍କ ନାଁରେ କେଉଁ ମାମଲା ରହିଛି:
ଜାତୀୟ ଗଣମାଧ୍ୟମର ତଥ୍ୟ ଅନୁସାରେ, ରାହତ ଫତେହ ଅଲ୍ଲୀଙ୍କ ପୂର୍ବ ମ୍ୟାନେଜର ସଲମାନ ଅହମଦ ତାଙ୍କ ନାଁରେ ଅଭିଯୋଗ ଆଣିଥିଲେ । ତାଙ୍କୁ ବିନା କୌଣସି କାରଣରେ ଚାକିରିରୁ ବାହାର କରିବା ନେଇ ନ୍ୟାୟର ଦ୍ବାରସ୍ଥ ହୋଇଥିଲେ ସଲମାନ । କହିରଖୁଛୁ, ବର୍ତ୍ତମାନ ଏକ ମ୍ୟୁଜିକାଲ କନସର୍ଟ ପାଇଁ ଦୁବାଇ ଗସ୍ତରେ ରହିଛନ୍ତି ଗାୟକ ରାହତ ଫତେହ ଅଲ୍ଲୀ । ଏହି ସମୟରେ ତାଙ୍କୁ ଦୁବାଇ ପୋଲିସ ଗିରଫ କରିଥିବା ନେଇ ଆଜି ବିଜୁଳି ବେଗରେ ଖବର ପ୍ରସାରଣ ହୋଇଥିଲା । ଯାହାକୁ ନେଇ ମୁହଁ ଖୋଲିଛନ୍ତି ରାହତ । ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ ସ୍ପଷ୍ଟ କରିଛନ୍ତି ।
ବ୍ରିଟିଶ ଏସୀୟ ଟ୍ରଷ୍ଟର ଥିଲେ ବ୍ରାଣ୍ଡ ଆମ୍ବାସଡର:
ପୂର୍ବରୁ ମଧ୍ୟ ଜଣଙ୍କୁ ମାଡ଼ ମାରିଥିବା ଭିଡିଓ ଭାଇରାଲ ପରେ ବିବାଦ ଘେରରେ ରହିଥିଲେ ଏହି ପାକିସ୍ତାନୀ ଗାୟକ । ଯେଉଁଥିପାଇଁ ତାଙ୍କୁ ଟ୍ରୋଲ କରିଥିଲେ ୟୁଜର୍ସ । ୨୦୧୭ରେ ପ୍ରିନ୍ସ ଚାର୍ଲସ ବ୍ରିଟିଶ ଏସୀୟ ଟ୍ରଷ୍ଟର ବ୍ରାଣ୍ଡ ଆମ୍ବାସଡର ଭାବେ ରାହତଙ୍କ ନାଁ ଘୋଷଣା କରିଥିଲେ । ହେଲେ ଏହି ଭାଇରାଲ ଭିଡିଓ ପରେ ତାଙ୍କୁ ପଦ ହରାଇବାକୁ ପଡିଥିଲା । ପରେ ଏହା ଗୁରୁ ଶିଷ୍ୟଙ୍କ ଭିତର ଘଟଣା ବୋଲି କହି ସ୍ପଷ୍ଟୀକରଣ ମଧ୍ୟ ରଖିଥିଲେ ରାହତ । ଅନେକ ଭାରତୀୟ ସଂଗୀତ ବି ଗାଇଛନ୍ତି ଏହି ପାକ୍ ଗାୟକ । ତେଣୁ ଭାରତରେ ମଧ୍ୟ ସେ ବେଶ ଲୋକପ୍ରିୟ ।
ଏହା ବି ପଢନ୍ତୁ...କର୍ମଚାରୀକୁ ଜୋତାରେ ପିଟିଲେ ରାହତ ଫତେହ ଅଲ୍ଲୀ, ଟ୍ରୋଲ ହେବା ପରେ ମାଗିଲେ କ୍ଷମା