ଭୁବନେଶ୍ବର: ଫିଲ୍ମ ଫ୍ରାଇଡେରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ଯାଯାବର ୨.୦ । ସାରା ଓଡିଶାର ୨୦ ପ୍ରେକ୍ଷାଳୟରେ ଫିଲ୍ମ ମୁକ୍ତିଲାଭ କରିଛି । ଏହି ଅବସରରେ ଭୁବନେଶ୍ୱର ସ୍ଥିତ ସ୍ଵାତି ସିନେପ୍ଲେକ୍ସରେ ପ୍ରିମିଅର ଶୋ' ହୋଇଥିଲା । ଏହି ଶୋ'କୁ ବିଭିନ୍ନ ବର୍ଗର ଦର୍ଶକ ଦେଖିବାକୁ ଆସିଥିଲେ । ଅଧିକ ସଂଖ୍ୟାରେ ଅନେକ ଗୁଡିଏ ଥିଏଟର ଗ୍ରୁପର କଳାକାର,ଲେଖକ ଓ ନିର୍ଦ୍ଦେଶକ ଆସିଥିଲେ ।
ଗୋଟିଏ ରାତିର କାହାଣୀକୁ ନେଇ ପୂରା ସିନେମାଟି ପ୍ରସ୍ତୁତ ହୋଇଛି । ଚଳଚ୍ଚିତ୍ରଟି ଅପରାଧ ସନ୍ଦେହକୁ ନେଇ ଗତିଶୀଳ ହୋଇଛି । ଦୁଇ ଜଣ ଅପରିଚିତ ବ୍ୟକ୍ତି ଏକ ଅପ୍ରତ୍ୟାଶିତ ପରିସ୍ଥିତି ମଧ୍ୟରେ ଭେଟ ହୁଅନ୍ତି ଏବଂ ସେମାନଙ୍କର ଅପରାଧିକ ଅତୀତ ବିଷୟରେ ଦୁଇ ଜଣ ଦୁଇ ଜଣଙ୍କୁ କୁହନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଅପରାଧ ଦୁନିଆରେ ହଜି ଯାଏ ହେଲେ ଅନ୍ୟ ଜଣକ ଏଥିରୁ ମୁକ୍ତି ଖୋଜେ । ଜଣେ ଟ୍ୟାକ୍ସି ଡ୍ରାଇଭର ଏବଂ ପାର୍ଟ ଟାଇମ କଣ୍ଟ୍ରାକ୍ଟ କିଲର ଜଗତର ଓଡିଆ ଚଳଚ୍ଚିତ୍ର ପ୍ରତି ଏକ ଅଦ୍ଭୁତ ସଂଯୋଗ ଅଛି । ଏହି ଚଳଚିତ୍ରରେ ଅଭିଜ୍ଞ ଓ ବରିଷ୍ଠ ଅଭିନେତା ଶ୍ରୀରାମ ପଣ୍ଡାଙ୍କ ପ୍ରତିଟି ସିନେମାର ଟାଇଟେଲ, ଗୀତର ଝଲକ ଦର୍ଶକ ଏଥିରେ ଦେଖିବାକୁ ପାଇବେ ।
ଏହା ମଧ୍ୟ ପଢନ୍ତୁ- ବଡପରଦାକୁ ଆସିବ ଓଡ଼ିଆ ଚଳଚିତ୍ର ଯାଯାବର ୨.୦, ୯୦ ଦଶକର ଝଲକ ପାଇବେ ଦର୍ଶକ
ଶ୍ରୀରାମ ପଣ୍ଡାଙ୍କ ଜଣେ ବଡ ପ୍ରଶଂସକଙ୍କ ଜୀବନ କାହାଣୀକୁ ନେଇ ଚଳଚିତ୍ରଟି ନିର୍ମାଣ କରାଯାଇଛି । ଓଡ଼ିଆ ସିନେ ଜଗତରେ ପ୍ରଥମ ଥର ପାଇଁ ଏଭଳି ଥ୍ରୀଲର ଚଳଚ୍ଚିତ୍ର ଦର୍ଶକ ଦେଖିବାକୁ ପାଇଛନ୍ତି । ତେବେ ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଅଭିନେତା ଦେବେଶ ରଞ୍ଜନ ନଜର ଆସିଛନ୍ତି । ଆଉ ଏକ ଭୂମିକାରେ ପ୍ରସନ୍ନଜିତ ମହାପାତ୍ର ରହିଛନ୍ତି । ଏଭଳି କିଛି କାହାଣୀକୁ ନେଇ ଚଳଚ୍ଚିତ୍ରଟି ରିଲିଜ ହୋଇଥିବା ବେଳେ ଦେଢ଼ ଘଣ୍ଟାର ଏହି ସିନେମାର ନିର୍ମାଣ ଶୈଳୀ ପ୍ରତିଟି ଚରିତ୍ରର ନିଖୁଣ ଅଭିନୟ ଦର୍ଶକଙ୍କୁ ଶେଷ ଯାଏ ବାନ୍ଧି ରଖିଥିଲା ।
ଆଉ ନବେ ଦଶକ ସିନେମାର ଟାଇଟେଲ ଓ ଅଭିନେତାଙ୍କ ଜୀବନ କାହାଣୀର ଝଲକ ଦର୍ଶକଙ୍କୁ କରିଥିଲା ମତୁଆଲା । ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ଏହି ସିନେମା ଦର୍ଶକଙ୍କୁ ଯେତିକି ଆକର୍ଷଣ କରିଛି । ଦର୍ଶକମାନେ ଫିଲ୍ମଟିକୁ ଦେଖିସାରି ବେଶ ଭଲ ପାଇବା ଦେଇଥିବା ବେଳେ ଏଭଳି ସ୍ତରର ନିର୍ମାଣ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପରେ ନିଶ୍ଚୟ ବିପ୍ଳବ ଆଣିବା ସହ ଯୁବ ପିଢିଙ୍କୁ ଭଲ ସିନେମା କରିବା ପାଇଁ ପ୍ରୋତ୍ସାହନ ଦେବ ବୋଲି କହିଛନ୍ତି ଦର୍ଶକ । କୌଶିକ ଦାସ ଏବଂ ରାମ ପଟ୍ଟନାୟକଙ୍କ ପ୍ରଯୋଜିତ ଯାଯାବର ୨.୦ର ବିଭିନ୍ନ ଭୂମିକାରେ ଅଛନ୍ତି ପ୍ରସନ୍ନଜିତ ମହାପାତ୍ର, ଦେବେଶ ରଞ୍ଜନ, ସୋନାଲି ଶର୍ମିଷ୍ଠା, ବି.ଏମ ବୈଶାଳୀ, ଚୌଧୁରୀ ବିକାଶ ଦାସ, ଶ୍ଵେତା ଆଚାର୍ଯ୍ୟ, ମାନସ ରଞ୍ଜନ ମୁଦୁଲି । ଅଭିଷେକ ଦାସଙ୍କ ଦ୍ୱାରା ଲିଖିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ଅଭିଷେକ ସ୍ୱାଇଁ ।
ଇଟିଭି ଭାରତ, ଭୁବନେଶ୍ବର