କୋଲକାତା: ଭେଟରାନ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଅସୁସ୍ଥ । ପଶ୍ଚିମବଙ୍ଗ କୋଲକାତା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ମିଥୁନ । ସୂଚନା ଅନୁସାରେ, ଆଜି ସକାଳୁ ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା । ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଘରୋଇ ହସ୍ପିଟାଲରେ ଜାରି ରହିଛି ମିଥୁନଙ୍କ ଚିକିତ୍ସା । ଫିଲ୍ମ 'ଶାସ୍ତ୍ରୀ'ର ସୁଟିଂ ସମୟରେ ହଠାତ୍ ସେ ଅସୁସ୍ଥ ଅନୁଭବ କରିଥିବା କୁହାଯାଉଛି । ଯେଉଁଥିପାଇଁ ତାଙ୍କୁ ସୁଟିଂ ସେଟରୁ ତୁରନ୍ତ ହସ୍ପିଟାଲ ନିଆଯାଇଛି । ବର୍ତ୍ତମାନ ହସ୍ପିଟାଲର ଏମରଜେନ୍ସି ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି ମିଥୁନ ଚକ୍ରବର୍ତ୍ତୀ ।
ଶୁକ୍ରବାର ରାତିରୁ ଅସୁସ୍ଥ ଅନୁଭବ କରୁଥିଲେ ମିଥୁନ । ତେବେ ଆଜି ହଠାତ୍ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଥିବାରୁ ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି । ସୂଚନା ଅନୁସାରେ, ମିଥୁନ ନିଜର ଅପକମିଂ ଫିଲ୍ମ 'ଶାସ୍ତ୍ରୀ'ର ସୁଟିଂକୁ ନେଇ ବ୍ୟସ୍ତ ରହିଥିଲେ । ଆଉ କୋଲକାତାରେ ଏହି ଫିଲ୍ମ ସୁଟିଂ ଚାଲିଥିବା ସମୟରେ ହିଁ ଅସୁସ୍ଥ ହୋଇପଡିଥିଲେ ମିଥୁନ । ଯାହା ଫଳରେ ତାଙ୍କୁ ଇଷ୍ଟର୍ଣ୍ଣ ମେଟ୍ରୋପଲିଟାନ ବାଇପାସ ନିକଟବର୍ତ୍ତୀ ଏକ ଘରୋଇ ହସ୍ପିଟାଲରେ ତୁରନ୍ତ ଭର୍ତ୍ତି କରାଯାଇଛି । ଶୁକ୍ରବାର ରାତିରୁ ତାଙ୍କର ସ୍ବାସ୍ଥ୍ୟବସ୍ଥା ଖରାପ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ଯାହା ଫଳରେ ଆଜି ସକାଳେ ସେ ହଠାତ୍ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିବା କୁହାଯାଉଥିବାବେଳେ ଏସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ବର୍ତ୍ତମାନ ଏମରଜେନ୍ସି ୱାର୍ଡରେ ମିଥୁନଙ୍କର ଚିକିତ୍ସା ଜାରି ରହିଛି ।
ତେବେ ମିଥୁନ ଚକ୍ରବର୍ତ୍ତୀ ଏବଂ ଦେବଶ୍ରୀ ରୟ ପୁଣି ଥରେ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ବହୁ ବର୍ଷ ପରେ ଦୁହେଁ ପୁଣି ଥରେ ଏକାଠି ନଜର ଆସିବେ । ସୋହମ ଚକ୍ରବର୍ତ୍ତୀଙ୍କ ପ୍ରଯୋଜନାରେ ନିର୍ମିତ ଚଳଚ୍ଚିତ୍ର 'ଶାସ୍ତ୍ରୀ'ରେ ବହୁ ନାମୀଦାମୀ କଳାକାର ନଜର ଆସିବେ । ମିଥୁନଙ୍କ ସମେତ ରାଜତଭ ଦତ୍ତ, ଖରଜ ମୁଖାର୍ଜୀ, ଅନିର୍ବାଣ ଚକ୍ରବର୍ତ୍ତୀ ଏଥିରେ ଅଭିନୟ କରୁଛନ୍ତି । ବହୁ ବଙ୍ଗାଳୀ, ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ମିଥୁନ । ନିକଟରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ବର୍ତ୍ତମାନ ମିଥୁନଙ୍କ ବୟସ ୭୩ ବର୍ଷ ହୋଇଥିବା ଜଣାପଡ଼ିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ