ହାଇଦ୍ରାବାଦ: ଭାଲେଣ୍ଟାଇନ୍ସ ସପ୍ତାହରେ ଅର୍ଥାତ୍ ଆଜି ସାହିଦ କପୁର ଏବଂ କ୍ରିତି ସାନନଙ୍କ 'ତେରି ବାତୋଁ ମେ ଏସା ଉଲଝା ଜିଆ' ରୋମାଣ୍ଟିକ ଫିଲ୍ମ ରିଲିଜ ହୋଇଥିବା ବେଳେ ସେପଟେ ସାଉଥରେ ରଜନୀକାନ୍ତଙ୍କ ଫିଲ୍ମ 'ଲାଲ ସଲାମ' ପରଦାକୁ ଆସିଛି । ସାହିଦଙ୍କ ଫିଲ୍ମକୁ ଦର୍ଶକ ପସନ୍ଦ କରିଛନ୍ତି । ସେହିପରି ରଜନୀକାନ୍ତଙ୍କ ଫିଲ୍ମ ମଧ୍ୟ ଦର୍ଶକଙ୍କ ମନ ଜିତିଛି । ପ୍ରଥମ ଦିନର ପ୍ରଥମ ଶୋ' ଦେଖିଥିବା ଦର୍ଶକ ସୋସିଆଲ ମିଡିଆରେ ଲାଲ ସଲାମକୁ ନେଇ ରିଭ୍ୟୁ ସେୟାର କରିଛନ୍ତି । ଫ୍ୟାନ୍ସ ଫିଲ୍ମର ପ୍ରଶଂସା କରିବା ସହ ଏହାକୁ ବ୍ଲକବ୍ଲଷ୍ଟର ଟ୍ୟାଗ ଦେଇଛନ୍ତି ।
ଜଣେ ୟୁଜର୍ସ ଲେଖିଛନ୍ତି, ରଜନୀକାନ୍ତଙ୍କ ପ୍ରଶଂସା ଯେତେ କରିବି କମ ହେବ, ଫିଲ୍ମ ବ୍ଲକବ୍ଲଷ୍ଟର ହୋଇଛି । ଆଉ ଜଣେ ଲେଖିଛନ୍ତି, ଫିଲ୍ମର ପ୍ରଥମାର୍ଦ୍ଧ ଭଲ ଏବଂ ଦ୍ବିତୀୟାର୍ଦ୍ଧ ବହୁତ ଭଲ ହୋଇଛି । ଅନ୍ୟ ଜଣେ ଲେଖିଛନ୍ତି, ଚଳଚ୍ଚିତ୍ରର ଦ୍ୱିତୀୟାର୍ଦ୍ଧ ଫାୟାର ଏବଂ ଏହା ଫିଲ୍ମକୁ ପରବର୍ତ୍ତୀ ସ୍ତରକୁ ନେଇଯାଉଛି । ଏହି ଚଳଚ୍ଚିତ୍ର ଜରିଆରେ ମୁସଲମାନ ଭାଇମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଅନ୍ୟ ଜଣେ ଲେଖିଛନ୍ତି, ଏକତାର ପ୍ରୟାସ କେବେ ବିଫଳ ହେବ ନାହିଁ, ଚଳଚ୍ଚିତ୍ର ଦର୍ଶକଙ୍କୁ ଏକ ବଡ଼ ବାର୍ତ୍ତା ଦେଇଛି ।
ସେପଟେ ଝିଅ ଐଶ୍ୱର୍ଯ୍ୟାଙ୍କ ଫିଲ୍ମ ରିଲିଜ ନେଇ ବାପା ରଜନୀକାନ୍ତ ଏବଂ ପୂର୍ବତନ ସ୍ୱାମୀ ତାଙ୍କୁ ଶୁଭକାମନା ଜଣାଇଛନ୍ତି । ଏକ୍ସରେ ରଜନୀକାନ୍ତ ଉଭୟ ବାପା ଝିଅଙ୍କ ଏକ ସୁନ୍ଦର ପୋଷ୍ଟ ସେୟାର କରି ଲେଖିଛନ୍ତି, ''ମୋର ଲାଡଲି ଐଶ୍ୱର୍ଯ୍ୟାଙ୍କୁ ଶୁଭକାମନା । ମୁଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ତୁମ ଲାଲ ସଲାମ ଫିଲ୍ମ ବେଶ ସଫଳତା ହାସଲ କରୁ ।'' ସେପଟେ ଐଶ୍ୱର୍ଯ୍ୟାଙ୍କ ପୂର୍ବତନ ସ୍ୱାମୀ ଧନୁଷ ମଧ୍ୟ ସମସ୍ତଙ୍କୁ ଫିଲ୍ମ ଦେଖିବାକୁ ନିବେଦନ କରିଛନ୍ତି । ଧନୁଷ ପୂର୍ବରୁ ବି ଫିଲ୍ମର ଟ୍ରେଲର ରିଲିଜ ନେଇ ଟିମକୁ ଶୁଭେଚ୍ଛା ଜଣାଇଥିଲେ ।
ଏହା ମଧ୍ୟ ପଢନ୍ତୁ: ପରଦାକୁ ଆସିଲା 'ଲାଲ ସଲାମ'; ରଜନୀକାନ୍ତଙ୍କ ପୋଷ୍ଟର ପୂଜା କଲେ ଫ୍ୟାନ୍ସ
ସୂଚନା ଥାଉକି, 'ଲାଲ ସଲାମ'କୁ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମରେ ରଜନୀକାନ୍ତ କ୍ୟାମିଓ ରୋଲ 'ମୋଇଦ୍ଦିନ ଭୋଇ' ଭୂମିକାରେ ନଜର ଆସିଛନ୍ତି । ଏଥିସହ ଏଥିରେ ରଜନୀକାନ୍ତଙ୍କ ବ୍ୟତୀତ ଅଭିନେତା ବିଷ୍ଣୁ ବିଶାଲ ଏବଂ ବିକାଶଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ଏହି ସିନେମାରେ ଏ ଆର୍ ରେହମାନ ସଙ୍ଗୀତ ଦେଇଥିବାବେଳେ ଏହାର ସିନେମାଟୋଗ୍ରାଫର ବିଷ୍ଣୁ ରଙ୍ଗସାମି କରିଛନ୍ତି ।