ହାଇଦ୍ରାବାଦ: କାନାଡିଆନ ରାପର ତଥା ଗାୟକ ଏପି ଧିଲନଙ୍କ କାନାଡ଼ା ସ୍ଥିତ ଘର ବାହାରେ ଗୁଳିମାଡ଼ ହୋଇଛି । ଏହି ଘଟଣା ଲରେନ୍ସ ବିଷ୍ନୌଇଙ୍କ ଗ୍ୟାଙ୍ଗ ଭିଆଇଥିବା ନିଶ୍ଚିତ କରିଛନ୍ତି । ଗୁଳିମାଡ଼ ଘଟଣା ପରେ ଗାୟକଙ୍କ ପ୍ରଶଂସକମାନେ ତାଙ୍କ ବିଷୟରେ ବହୁତ ଚିନ୍ତିତ ଥିବା ବେଳେ ବର୍ତ୍ତମାନ ଆଜି ଏପି ଧିଲନ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ପ୍ରତିକ୍ରିୟା ଦେଇଛନ୍ତି । ସେ ଏବଂ ତାଙ୍କ ଲୋକମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ସେ କହିଛନ୍ତି ।
ଏପି ଧିଲନଙ୍କ ପ୍ରତିକ୍ରିୟା
ସୂଚନା ଅନୁସାରେ, ସେପ୍ଟେମ୍ୱର 1 ରେ ଏପି ଧିଲନଙ୍କ କାନାଡା ସ୍ଥିତ ଘର ବାହାରେ ଗୁଳିମାଡ଼ ହୋଇତିଲା । ବର୍ତ୍ତମାନ 3 ସେପ୍ଟେମ୍ଲର ଅର୍ଥାତ୍ ଆଜି ଏହି ଘଟଣା ପରେ ଏପି ଧିଲନ ପ୍ରଥମ ଥର ପାଇଁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ପ୍ରତିକ୍ରିୟା ଦେଇଛନ୍ତି । ସେ ଏହି ପୋଷ୍ଟରେ ଲେଖିଛନ୍ତି, ''ମୁଁ ସୁରକ୍ଷିତ, ମୋର ଲୋକମାନେ ମଧ୍ୟ ସୁରକ୍ଷିତ ଅଛନ୍ତି। ମୋତେ ଏତେ ଭଲପାଇବା ଏବଂ ସମର୍ଥନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ତୁମର ସମର୍ଥନ ମୋ ପାଇଁ ସବୁକିଛି । ସମସ୍ତଙ୍କୁ ବହୁତ ଭଲପାଇବା ଏବଂ ଧନ୍ୟବାଦ ।''
ସଲମାନଙ୍କ ସହ ଗୀତ ରିଲିଜ ହେବା ପରେ ଗୁଳିମାଡ଼
ସଲମାନ ଖାନଙ୍କ ସହ ବନ୍ଧୁତା କରିବା ଏପି ଧିଲନଙ୍କୁ ପଡିଲା ଭାରୀ । ମିଡିଆ ରିପୋର୍ଟ ଅନୁଯାୟୀ, ନିକଟରେ ଗାୟକ ସଲମାନ ଖାନଙ୍କ ସହିତ ତାଙ୍କ ଗୀତ ରିଲିଜ କରିଥିଲେ, ଯାହା ପରେ ଏହି ଗୁଳିମାଡ଼ ହୋଇଥିଲା । 9 ଅଗଷ୍ଟ ଏପି ଧିଲନ ଏବଂ ସଲମାନ ଖାନଙ୍କ ଅଭିନୀତ ଏକ ମ୍ୟୁଜିକ୍ ଭିଡିଓ "ଓଲ୍ଡ ମନି" ମୁକ୍ତିଲାଭ କରିଥିଲା । ଏହି ଭିଡିଓର କିଛି ସପ୍ତାହ ପରେ ଗାୟକଙ୍କ ଘରେ ଗୁଳିମାଡ଼ ହୋଇଥିଲା । ଏଥିସହ ଏହି ଗୁଳିମାଡ଼ ପଛରେ ଲରେନ୍ସ ବିଷ୍ଣୌଇ ଗ୍ୟାଙ୍ଗର ହାତ ଥିବା ସ୍ପଷ୍ଟ ହୋଇଛି । ଲରେନ୍ସ ବିଷ୍ଣୌଇ ଗ୍ୟାଙ୍ଗର ସଦସ୍ୟ ରୋହିତ ଗୋଦାରା ଏହି ଘଟଣାର ଦାୟିତ୍ୱ ନେଇଛି । ସୋସିଆଲ ମିଡିଆରେ ଏହି ଗ୍ୟାଙ୍ଗ ଧିଲନଙ୍କୁ ଏଭଳି ଧମକ ଦେଇଥିବା ଏକ ପୋଷ୍ଟ ଭାଇରାଲ ହେଉଛି । କହିରଖୁଛୁ କି, ଲରେନ୍ସ ବିଷ୍ଣୌଇ ଏହି ଗ୍ୟାଙ୍ଗ ପୂର୍ବରୁ ସଲମାନ ଖାନଙ୍କ ଘର ବାହାରେ ମଧ୍ୟ ଗୁଳିମାଡ଼ କରିଥିଲା । ତେବେ ବର୍ତ୍ତମାନ ତଦନ୍ତ ଜାରି ରହିଥିବା ଜଣାପଡିଛି । ଏଣୁ ଏହି ଘଟଣାକୁ ସଲମାନଙ୍କ ସହ ଯୋଡା ଯାଉଛି ।
ଏହା ମଧ୍ୟ ପଢନ୍ତୁ: ସଲମାନଙ୍କ ଘର ବାହାରେ ଫୁଟିଲା ଗୁଳି, ବାଇକରେ ଆସିଥିଲେ ଦୁର୍ବୃତ୍ତ
ଏପି ଧିଲନଙ୍କୁ ଧମକ ଦିଆଯାଇଛି
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ବାର୍ତ୍ତାରେ ଏହା କୁହାଯାଉଛି ଯେ 1 ସେପ୍ଟେମ୍ବର ରାତିରେ ଏପି ଧିଲନଙ୍କ ଦୁଇଟି ସ୍ଥାନରେ ଗୁଳିମାଡ଼ ହୋଇଥିଲା । ଗୋଟିଏ ଆକ୍ରମଣ ଭିକ୍ଟୋରିଆ ଆଇଲ୍ୟାଣ୍ଡରେ ଥିବା ଗାୟକଙ୍କ ଘରେ ହୋଇଥିବା ବେଳେ ଅନ୍ୟ ଆକ୍ରମଣ ବ୍ରୁଡବ୍ରିଜ ଟରୋଣ୍ଟୋସ୍ଥିତ ଘରେ ହୋଇଥିଲା । ସଲମାନ ଖାନଙ୍କ ସହ ପଞ୍ଜାବୀ ଗାୟକଙ୍କ ବନ୍ଧୁତା ହେତୁ ଏହି ଗୁଳି ମାଡ଼ ହୋଇଥିବା ଧମକ ଦେଇଛି । ବାର୍ତ୍ତାରେ ଏପି ଧିଲନଙ୍କୁ ସଲମାନ ଖାନଙ୍କଠାରୁ ଦୂରରେ ରହି ତାଙ୍କ ସୀମା ମଧ୍ୟରେ ରହିବାକୁ ଧମକ ଦିଆଯାଇଛି, ନଚେତ୍ ତାଙ୍କୁ ହତ୍ୟା କରାଯିବ ବୋଲି ମଧ୍ୟ ଧମକ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ