ହାଇଦ୍ରାବାଦ: ଲୋକପ୍ରିୟ ବ୍ରିଟିଶ ଗାୟକ ଏଡ ଶୀରନ ବର୍ତ୍ତମାନ ମୁମ୍ୱାଇରେ ଅଛନ୍ତି । ମୁମ୍ୱାଇରେ ଏଡ ଶୀରନଙ୍କ ମ୍ୟୁଜିକ କନସର୍ଟ ଶନିବାରରୁ (ମାର୍ଚ୍ଚ ୧୬) ଆରମ୍ଭ ହୋଇଛି । ତେବେ ପ୍ରଥମ ଦିନରେ ଏହି ହଲିଉଡ କଣ୍ଠଶିଳ୍ପୀ ଦମଦାର ପ୍ରଦର୍ଶନ କରି ଭାରତୀୟ ଫ୍ୟାନ୍ସଙ୍କୁ ଦିୱାନା କରିଛନ୍ତି । ଏହି ସମୟରେ ସେ ପଞ୍ଜାବର ଲୋକପ୍ରିୟ କଣ୍ଠଶିଳ୍ପୀ ଦିଲଜିତ ଦୋସାଞ୍ଜଙ୍କ ସହ ପଞ୍ଜାବୀ ଗୀତରେ ପରଫର୍ମ କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି ।
ମୁମ୍ବାଇର ମହାଲକ୍ଷ୍ମୀ ରେସ୍ କୋର୍ସ ଗ୍ରାଉଣ୍ଡରେ କଣ୍ଠଶିଳ୍ପୀ ଏଡ ଶିରନଙ୍କ ଏକ ଲାଇଭ୍ କନସର୍ଟ ଆୟୋଜିତ ହୋଇଥିଲା । ଏହି ସମୟରେ ଦିଲଜିତ ଦୋସାଞ୍ଜଙ୍କ ସହ ଏଡ ଶୀରନ ପଞ୍ଜାବୀରେ ତାଙ୍କର ଚାର୍ଟ-ବଷ୍ଟିଂ ଟ୍ରାକ୍ 'ଲଭର୍' ଗାଇଥିଲେ । ଏହି ଗୀତରେ ଉଭୟ ଦମଦାର ପ୍ରଦର୍ଶନ ଦେଇଥିବା ବେଳେ ଉପସ୍ଥିତ ଦର୍ଶକ ଝୁମି ଉଠିଥିଲେ । ଏହି ସମୟର ଭିଡିଓ ଦିଲଜିତ ଏବଂ ଏଡ ଶୀରନ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।
ଏହି ଭିଡିଓ ସେୟାର କରି ଦିଲଜିତ ଲେଖିଛନ୍ତି, ''ଭାଇ ପ୍ରଥମ ଥର ପଞ୍ଜାବୀ ଗୀତ ଗାଇଛନ୍ତି । ଏହା ବହୁତ ସୁନ୍ଦର ହୋଇଛି ।'' ସେପଟେ ଏଡ ଶୀରନ ଲେଖିଛନ୍ତି, ''ଆଜି ରାତିରେ ମୁମ୍ୱାଇରେ ଦିଲଜିତଙ୍କ ସହ ପ୍ରଥମ ଥର ପଞ୍ଜାବୀ ଗୀତ ଗାଇବାର ସୁଯୋଗ ପାଇଲି । ମୁଁ ବହୁତ ଖୁସି । ମୁଁ ଭାରତରେ ଏକ ଅବିଶ୍ୱନୀୟ ସମୟ ବିତାଇଛି । ଆଗକୁ ଆହୁରି ଅନେକ କିଛି ବାକି ଅଛି ।'' ଏହି ଭିଡିଓ ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ଉଭୟଙ୍କୁ ବେଶ ପ୍ରଶଂସା କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ହଲିଉଡ ସିଙ୍ଗରଙ୍କ ସହ ସିଗ୍ନେଚର ପୋଜ ଦେଲେ କିଙ୍ଗ ଖାନ, ଭିଡିଓ ଭାଇରାଲ
ଶିରନଙ୍କ କାର୍ଯ୍ୟକ୍ରମରେ ଅନେକ ସେଲିବ୍ରିଟି ସାମିଲ ହୋଇଥିଲେ । ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ, ନିର୍ଦ୍ଦେଶକ-କୋରିଓଗ୍ରାଫର ଫରାହ ଖାନ ଏବଂ ଅଭିନେତା ସାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ ମଧ୍ୟ ସାମିଲ ଥିଲେ । ଏହି ଶୋ' ବୁକ୍ ମାଇଁ ଶୋ ମାଧ୍ୟମରେ ଲାଇଭ ପ୍ରସାରଣ ହୋଇଥିଲା । ଏହାପୂର୍ବରୁ ସେ ଶାହାରୁଖ ଖାନଙ୍କ ଭେଟିଥିଲେ । ଏହାପରେ ଗତ ଶୁକ୍ରବାର ରାତିରେ ଫରାହ ଖାନ ମୁମ୍ବାଇର ଏକ ରେସ୍ତୋରାଁରେ ବ୍ରିଟିଶ ଗାୟକଙ୍କ ପାଇଁ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ହ୍ରିତିକ ରୋଶନଙ୍କ ଠାରୁ ନିର୍ଦ୍ଦେଶକ ତଥା ଅଭିନେତା ଫରହାନ ଅଖତର ଏବଂ ମାଧୁରୀ ଦୀକ୍ଷିତ ଭଳି ସେଲିବ୍ରିଟି ସାମିଲ ହୋଇଥିଲେ ।