ହାଇଦ୍ରାବାଦ: 'ଜଲି ଏଲଏଲବି' ପ୍ରାଞ୍ଚାଇଜର ଦୁଇଟି ଭାଗ ବେଶ ସଫଳତା କରିଥିବା ବେଲେ ନିର୍ମାତା ଏହାର ୩ୟ ଭାଗ ସହ ଫେରୁଛନ୍ତି । ଦୁଇଟି ଫିଲ୍ମରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ଅର୍ଶଦ ୱାର୍ସିଙ୍କ ଜଲୱା ଦେଖିବାକୁ ମିଳିଥିବା ବେଳେ ପୁଣି ୩ୟ ଭାଗରେ ମଧ୍ୟ ଏହି ଯୋଡିକୁ ଦେଖିବାକୁ ମିଳିବ । ନିକଟରେ ଫିଲ୍ମର ଘୋଷଣା ହୋଇଥିଲା । ଯାହା ପର ଠାରୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିରହିଥିଲେ । ତେବେ ବର୍ତ୍ତମାନ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଝଲକ ଦେଖାଇଛନ୍ତି ଦୁଇ ତାରକା ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଫିଲ୍ମର ସୁଟିଂ ସମୟରେ ଅର୍ଶଦ ଏବଂ ଅକ୍ଷୟ କୁମାର ଏକ ଭିଡିଓର ଝଲକ ଦେଖାଇଛନ୍ତି, ଯେଉଁଥିରେ ଦେଖିବାକୁ ମିଳିଛି ଯେ ଅର୍ଶଦ ୱାର୍ସି ଜଲି ଭୂମିକାରେ ନଜର ଆସିଛନ୍ତି । ଆଉ ସେ କୁହନ୍ତି, 'ଜଗଦୀଶ ତ୍ୟାଗି ଓରଫ ଜଲି ନକଲିଙ୍କ ଠାରୁ ସାବଧାନ ରୁହନ୍ତୁ । ତାପରେ ଅକ୍ଷୟ ନିଜକୁ ଜଲି ଅସଲି ବୋଲି କୁହନ୍ତି । ଭିଡିଓ ଶେଷରେ ସୌରଭ ଶୁକ୍ଲା ତାଙ୍କ ଦୁଇ ହାତରେ ଏକ ବୋର୍ଡ ଧରିଥିବାର ନଜର ଆସିଛନ୍ତି ଯେଉଁଥିରେ ଲେଖା ଅଛି ଯେ 'ଜଲି ଏଲଏଲବି ୩' ର ସୁଟିଂ ଆରମ୍ଭ ହୋଇଛି । ଏହା ସେୟାର କରି ସେ ଲେଖିଛନ୍ତି, "ବର୍ତ୍ତମାନ ଅସଲ କିଏ ଏବଂ ନକଲ କିଏ, ଆମେ ଜାଣି ନାହୁଁ । କିନ୍ତୁ ଏହା ନିଶ୍ଚିତ ଭାବରେ ଏକ ଭଲ ଯାତ୍ରା ହେବ । ଜୟ ମହାକାଳ ।''
ରିପୋର୍ଟ ଅନୁସାରେ, ଫିଲ୍ମର ସୁଟିଂ ଏପ୍ରିଲ ୨୯ରେ ରାଜସ୍ଥାନର ଆଜମେରରେ ୱାର୍ସିଙ୍କ ସହ ଆରମ୍ଭ ହୋଇଥିବାବେଳେ ଅକ୍ଷୟ କୁମାର ମେ’ ୨ରେ ଆଜମେରରେ ସୁଟିଂ ଆରମ୍ଭ କରିଛନ୍ତି । ଏହା ପରେ ଅଭିନେତା ଆସନ୍ତା ମାସରେ ଦିଲ୍ଲୀରେ ଫିଲ୍ମର ସୁଟିଂ କରିବେ । ଦିଲ୍ଲୀର ସୁଟିଂ ଜୁନ୍ରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ପ୍ରାୟ ୩୦ରୁ ୪୦ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ: ମଲ୍ଟି ଷ୍ଟାରର୍ ଫିଲ୍ମ 'ୱେଲକମ୍ ଟୁ ଦ ଜଙ୍ଗଲ' ର ସୁଟିଂ ଆରମ୍ଭ
ସୂଚନା ଥାଉ କି, ନିର୍ଦ୍ଦେଶକ ସୁବାଷ କପୁର 'ଜଲି ଏଲଏଲବି ୩' ନିର୍ଦ୍ଦେଶନା ଦେଉଛନ୍ତି । 'ଜଲି ଏଲଏଲବି ୨' ୨୦୧୭ରେ ମୁକ୍ତିଲାଭ କରିଥିଲା, ଯେଉଁଥିରେ ହୁମା କୁରେଶି, ଅକ୍ଷୟ କୁମାର ଏବଂ ଅର୍ଶଦ ୱାର୍ସି ନଜର ଆସିଥିଲେ । ଏହି ଚଳଚ୍ଚିତ୍ରର ପ୍ରଥମ ଭାଗ ୨୦୧୩ ମସିହାରେ ଆସିଥିଲା, ଯେଉଁଥିରେ ଅର୍ଶଦ ୱାର୍ସି ମୁଖ୍ୟ ଅଭିନେତା ଭାବେ ନଜର ଆସିଥିଲେ । ତେବେ ୩ୟ ଭାଗରେ ଉଭୟ ଏକାଠି ଧମାକା କରିବାକୁ ଯାଉଛନ୍ତି ।