ଭୁବନେଶ୍ୱର: ବିଧାନଭାରେ ଶୂନ୍ୟକାଳରେ ଉଠିଲା ଓଡ଼ିଶାରେ ସିନେମା ହଲ୍ ନିର୍ମାଣ ପ୍ରସଙ୍ଗ । ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି କୋରେଇ ବିଧାୟକ ତଥା ଓଲିଉଡ ଅଭିନେତା ଆକାଶ ଦାସ ନାୟକ । ଆଜି(ଗୁରୁବାର) ସେ ବିଧାନସଭାରେ ଶୂନ୍ୟକାଳରେ ସିନେମା ହଲ୍ ପ୍ରସଙ୍ଗ ଉଠାଇ ଓଲିଉଡ ଇଣ୍ଡଷ୍ଟ୍ରିର ସମସ୍ୟା ବିଷୟରେ ଗୁରୁତ୍ୱାରୋପ କରିଛନ୍ତି ।
ଶୂନ୍ୟକାଳରେ ଉଠିଲା ଓଲିଉଡ଼ ଇଣ୍ଡଷ୍ଟ୍ରି ସମସ୍ୟା
ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ସ୍ଥିତି ସୁଧାରିବା ନେଇ ବିଧାନଭାରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରାଇଛନ୍ତି ବିଧାୟକ ତଥା ଅଭିନେତା ଆକାଶ ଦାସ । ଓଡ଼ିଶାର ବରପୁତ୍ରଙ୍କ ନାଁରେ ସିନେମା ନିର୍ମାଣ କରିବାକୁ ଦାବି ଉଠାଇବା ସହ କିଛି ପ୍ରସ୍ତାବ ରଖି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
'ପ୍ରତି ବ୍ଲକରେ କରାଯାଉ ସିନେମା ହଲ୍'
ଗୃହରେ ଆକାଶ ଦାସନାୟକ କହିଛନ୍ତି, ''ଓଡ଼ିଆ ସିନେମା ବର୍ତ୍ତମାନ କୋମା ଆଡ଼କୁ ଯାଉଛି । ଓଡ଼ିଶାରେ ମାତ୍ର 50ରୁ 60ଟି ସିନେମା ହଲ ଅଛି । ପୁରୀରେ ଗୋଟିଏ ହଲ ନାହିଁ । ପ୍ରତି ବ୍ଲକରେ ଏକାଧିକ ସୁବିଧା ଥିବା ସିନେମା ହଲ ପ୍ରତିଷ୍ଠା କରାଯାଉ । ପୂର୍ବ ସରକାର ବେଳେ ଗୋଟିଏ ଫିଲ୍ମ ପଲିସି ଆସିଥିଲା । କିନ୍ତୁ ତାହା କୁଆଡେ ଗଲା ଜଣାନାହିଁ । ସେହି ପଲିସିକୁ ବର୍ତ୍ତମାନ ନୂତନ କରି ଅଣାଯାଉ । ଏହାସହ ବରପୁତ୍ର ମାନଙ୍କ ଉପରେ ଓଡ଼ିଶାରେ ଫିଲ୍ମ ତିଆରି କରି ନିର୍ମାତାଙ୍କୁ ସେଥିରେ ସବସିଡି ଦିଆଯାଉ । ଫିଲ୍ମ ପଲିସି ଗତ ସରକାରରେ ହୋଇଥିଲା, ହେଲେ ତାର ସୁଫଳ କେହି ପାଇଲେ ନାହିଁ । ବର୍ତ୍ତମାନ ସରକାରରେ ତାହାର ପୁନଃରୁଥାନ କରାଯାଉ । ଏହାଦ୍ୱାରା ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାର ଠାରୁ ଆରମ୍ଭ କରି ଟେକନିସିଆନ, ସମସ୍ତଙ୍କର ଆର୍ଥିକ ସ୍ଥିତି ସୁଧୁରିବ ।''
ଏହା ମଧ୍ୟ ପଢନ୍ତୁ: କପି ହେଉଛି ଓଡ଼ିଆ ଫିଲ୍ମ ! ମୁହଁ ଖୋଲିଲେ ଏଲିନା, ସମାଲୋଚକଙ୍କୁ ଦେଲେ ଏମିିତି ଜବାବ
ଓଲିଉଡ଼ ଇଣ୍ଡଷ୍ଟ୍ରି ସମସ୍ୟା
କହିରଖୁଛୁ କି, ଗତ କିଛି ବର୍ଷ ହେବ ଓଡ଼ିଆ ଫିଲ୍ମ ପ୍ରତି ଲୋକଙ୍କ ଆଗ୍ରହ କମିଗଲାଣି । କପି ତଥା ଡବିଂ ଯୋଗୁଁ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ପ୍ରତି ଦର୍ଶକ ମୁହଁ ଫେରୋଇନେଲେଣି । ଯାହା ଫଳରେ ଓଡ଼ିଆ ଫିଲ୍ମ ଭଲ ନୁହଁ ଭଳି ଅନେକ ବାଦ ବିବାଦ ଲାଗି ରହୁଥିବା ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ ରାଜ୍ୟରେ ସିନେମା ହଲ୍ ଏବଂ ଷ୍ଟୁଡିଓର ଅଭାବ ଥିବା ମଧ୍ୟ ଅନେକ ଅଭିଯୋଗ ଆସିଛି । ଅନେକ ସ୍ଥାନରେ ହଲ୍ ନାହିଁ । ଫଳରେ ଲୋକେ ଓଡ଼ିଆ ଫିଲ୍ମ ଦେଖିବାକୁ ବଞ୍ଚିତ ରହୁଛନ୍ତି ।
ଏହା ମଧ୍ୟ ପଢନ୍ତୁ: ମନ ଜିତୁଛି ଫିଲ୍ମ 'ଆଶ୍ରମ', ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଆଶାର ଆଶ୍ରୟ ହେବ କହିଲେ ନିର୍ମାତା ତପନ ଦାଶ
ଇଟିଭି ଭାରତ, ଭୁବନେଶ୍ୱର