ହାଇଦ୍ରାବାଦ: ପୁଣି ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର । ଆଉ ନାହାନ୍ତି 'ଦଙ୍ଗଲ' ଫେମ୍ ସୁହାନୀ ଭଟ୍ଟନାଗର । ୧୯ ବର୍ଷ ବୟସରେ ଅଭିନେତ୍ରୀ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସୂଚନା ଅନୁସାରେ, କିଛି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ପାଇଁ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏତେ କମ୍ ବୟସରେ ସୁହାନୀଙ୍କ ମୃତ୍ୟୁ ନେଇ ପରିବାର, ଇଣ୍ଡଷ୍ଟ୍ରି ସମେତ ଫ୍ୟାନ୍ସଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ସେପଟେ ତାଙ୍କର ଦେହାନ୍ତରେ ଆମୀର ଖାନ ଏବଂ ନିର୍ଦ୍ଦେଶକ ନୀତେଶ ତିୱାରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ରିପୋର୍ଟ ଅନୁସାରେ, ଏକ ଦୁର୍ଘଟଣାରେ ସୁହାନୀଙ୍କ ଗୋଡ଼ ଭାଙ୍ଗି ଯାଇଥିଲା । ଏଥିପାଇଁ ସେ ଚିକିତ୍ସିତ ହେବା ସହ ଔଷଧ ଖାଉଥିଲେ । ସେ ଆଉଥିବା ଏହି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ତାଙ୍କର ଶରୀର ଉପରେ ବିଶେଷ ପ୍ରଭାବ ପକାଇଥିଲା । ଫଳରେ ଅଭିନେତ୍ରୀଙ୍କ ଶରୀର ଫୁଲିବାକୁ ଲାଗିଥିଲା । ଏହାପରେ ଅନେକ ଡାକ୍ତରଙ୍କ ପରାମର୍ଶ ନିଆଯାଇଥିଲା, କିନ୍ତୁ କୌଣସି ଡାକ୍ତର ଏହି ରୋଗ ଚିହ୍ନଟ କରିପାରିନଥିଲେ । ମୃତ୍ୟୁର ପ୍ରାୟ ୧୧ ଦିନ ପୂର୍ବରୁ ସୁହାନୀଙ୍କୁ ନୂଆଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସେ 'ଡର୍ମାଟୋମାୟୋସାଇଟିସ୍' ନାମକ ଏକ ବିରଳ ରୋଗରେ ପୀଡିତ ଥିବା ଜଣାପଡିଥିଲା ।
ଏହି ରୋଗର ଏକମାତ୍ର ଚିକିତ୍ସା ହେଉଛି ଷ୍ଟେରଏଡ । ଏହାପରେ ତାଙ୍କୁ ଷ୍ଟେରଏଡ ଦିଆଯାଇଥିଲା, ଏହି କାରଣରୁ ତାଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବାରେ ଲାଗିଲା । ଫଳରେ ସେ ଫେବୃଆରୀ ୧୬(ଶୁକ୍ରବାର)ରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଝିଥିଲେ । ଫେବୃଆରୀ ୧୭(ଶନିବାର) ଦିନ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି । ସୁହାନୀଙ୍କ ଦେହାନ୍ତରେ ଆମୀର ଖାନଙ୍କ ସମେତ ଅନେକ ସେଲିବ୍ରିଟି ଶୋକ ପ୍ରକାଶ କରିଛନ୍ତି ।
ଫିଲ୍ମ 'ଦଙ୍ଗଲ'ରେ ବବିତା ଫୋଗାଟ ଚରିତ୍ରରେ ଅଭିନୟ କରିଥିଲେ ସୁହାନୀ । ତାଙ୍କ ପିତା ଭୂମିକାରେ ଅଭିନୟ କରିଥିବା ଆମୀର ଖାନ ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, ''ସୁହାନୀଙ୍କ ଦେହାନ୍ତ ଖବର ଶୁଣି ଆମେ ବହୁତ ଦୁଃଖିତ । ତାଙ୍କ ପରିବାରକୁ ସମବେଦନା ଜଣାଉଛି । ଏପରି ଜଣେ ଦକ୍ଷ ଯୁବତୀ, ଏପରି ଦଳର ଖେଳାଳୀ, ଦଙ୍ଗଲ ସୁହାନୀଙ୍କ ବିନା ଅସମ୍ପୂର୍ଣ୍ଣ ହୋଇଥାନ୍ତା । ସୁହାନୀ, ତୁମେ ସବୁବେଳେ ଆମ ହୃଦୟରେ ଏକ ତାରକା ହୋଇ ରହିବ । ତୁମର ଆତ୍ମାକୁ ଶାନ୍ତି ମିଳୁ ।'' ସେହିପରି ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀତେଶ ତିୱାରୀ ସମେତ ଅନ୍ୟାନ୍ୟ ସେଲିବ୍ରିଟି ମଧ୍ୟ ସୁହାନୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ହୃଦଘାତରେ ଆଖି ବୁଜିଲେ 'ଉଡାନ' ଅଭିନେତ୍ରୀ କବିତା ଚୌଧୁରୀ
ସୂଚନା ଥାଉକି, ଆମୀର ଖାନଙ୍କ ଫିଲ୍ମ 'ଦଙ୍ଗଲ'ରେ ସୁହାନୀ ଭଟ୍ଟାନଗର' ବବିତା ଫୋଗାଟଙ୍କ ଭୂମିକାରେ ନଜର ଆସିଥିଲେ । ସୁହାନୀଙ୍କୁ ଫିଲ୍ମରେ ସାକ୍ଷୀ ତନୱାର, ଜାୟରା ୱାସିମ ଏବଂ ଫାତିମା ସାନା ଶେଖଙ୍କ ସହ ଦେଖିବାକୁ ମିଳିଥିଲା । ତାଙ୍କ ଅଭିନୟ ପାଇଁ ସୁହାନୀଙ୍କୁ ବହୁତ ପ୍ରଶଂସା ମିଳିଥିଲା । ଏହାପରେ ଅଭିନେତ୍ରୀ ଅନେକ ବ୍ୟବସାୟିକ ବିଜ୍ଞାପନ ଏବଂ ଟିଭି ଶୋ'ରେ ମଧ୍ୟ ଅଭିନୟ କରିଥିଲେ । କିନ୍ତୁ ପରେ ଅଧ୍ୟୟନ ପାଇଁ ଅଭିନୟ ଛାଡିଥିଲେ । ଅଧ୍ୟୟନ ସମାପ୍ତ ପରେ, ସେ ପୁନର୍ବାର ଅଭିନୟ କରିଥାନ୍ତେ ହେଲେ ସେହି ସ୍ୱପ୍ନ ଅଧାରେ ରହିଗଲା ।