ନୂଆଦିଲ୍ଲୀ: ନିକଟରେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଟେଲିକମ୍ ଅପରେଟର କମ୍ପାନୀ ରିଲାଏନ୍ସ ଜିଓ ରିଚାର୍ଜ ପ୍ଲାନ ମୂଲ୍ୟ ବୃଦ୍ଧି କରି ୟୁଜର୍ସଙ୍କୁ ଝଟକା ଦେଇଥିଲା । ଜିଓ ମୋବାଇଲ୍ ସେବାର ରିଚାର୍ଜ ପ୍ଲାନ ପ୍ରାୟ 12ରୁ 27 ପ୍ରତିଶତକୁ ବୃଦ୍ଧି ପାଇଥିଲା । ଏହାରି ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହାର ତ୍ରିମାସିକ ଫଳାଫଳ ଘୋଷଣା କରିଛି । ଏଥିରେ କମ୍ପାନୀ କେତେ ଲାଭ ଓ କ୍ଷତି ସହିଛି ସେ ସମ୍ପର୍କରେ ଜଣାପଡ଼ିଛି ।
ଦେଶର ସର୍ବବୃହତ ଘରୋଇ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଏପ୍ରିଲରୁ ଜୁନ 3 ମାସ ମଧ୍ୟରେ ନେଟ ଲାଭ 5 ପ୍ରତିଶତ ହ୍ରାସ ଘଟି 15, 138 କୋଟିରେ ପହଞ୍ଚିଛି । ପୂର୍ବବର୍ଷ ସମାନ ସମୟରେ ତ୍ରିମାସିକ ଫଳାଫଳ 16 ହଜାର 11 କୋଟି ରହିଥିଲା । କମ୍ପାନୀ ପକ୍ଷରୁ ଷ୍ଟକ୍ ଏକ୍ସଚେଞ୍ଜକୁ ଏହି ସୂଚନା ଦେଇଛି ।
Jio ଲାଭ 12 ପ୍ରତିଶତକୁ ବୃଦ୍ଧି:-
ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ଜିଓର ଲାଭ 12 ପ୍ରତିଶତ ବୃଦ୍ଧି ଘଟିଛି । ରିଲାଏନ୍ସ ଜିଓ ଇନଫୋକମ୍ ପ୍ରକାଶ କରିଛି ଯେ ଚଳିତ ଆର୍ଥିକ ବର୍ଷ 2024-25ର ପ୍ରଥମ ତ୍ରିମାସିକରେ 5,445 କୋଟି ଟଙ୍କାର ନେଟ୍ ଲାଭ କରିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହି ଟେଲିକମ୍ ସହାୟକ କମ୍ପାନୀ 26,478 କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଛି । ଯାହା ଗତ ଆର୍ଥିକ ବର୍ଷ ତୁଳନାରେ 24,042 କୋଟି ସହିତ 10 ପ୍ରତିଶତକୁ ବୃଦ୍ଧି ପାଇଛି ।
49 କୋଟିରେ ପହଞ୍ଚିଲା ଜିଓ ଗ୍ରାହକଙ୍କ ସଂଖ୍ୟା:-
ଏହାସହିତ ଜିଓ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏଯାବତ 13 କୋଟି 5G ଗ୍ରାହକଙ୍କ ସମେତ ଜିଓ ଗ୍ରାହକଙ୍କ ସଂଖ୍ୟା 49 କୋଟିରେ ପହଞ୍ଚିଛି । ଏହାସହିତ ଜିଓ 5Gର ସବୁଠୁ ବଡ଼ ଅପରେଟର ହୋଇପାରିଛି । ବର୍ତ୍ତମାନ ଦେଶରେ ୧୩ କୋଟି ୫ଜି ଉପଭୋକ୍ତା ଜିଓର ମୋଟ ଓୟାରଲେସ୍ ଡାଟା ଟ୍ରାଫିକର ୩୧% ବ୍ୟବହାର କରିଥିବାବେଳେ ଚୀନ ପରେ ଜିଓ ବିଶ୍ବର ସର୍ବବୃହତ୍ ୫ଜି ଅପରେଟର ହୋଇଛି ।
ଜିଓ ଜଣେ ୟୁଜର୍ଠୁ ରୋଜଗାର କରେ 181 ଟଙ୍କା:-
ଜିଓ କମ୍ପାନୀ ଜଣେ ଉପଭୋକ୍ତାଙ୍କ ଠାରୁ 181.70 ଟଙ୍କା ରୋଜଗାର କରେ । ଏହା ପୂର୍ବ ବର୍ଷ 180.50 ଟଙ୍କା ରହିଥିଲା । ଜୁନରେ 80 ଲକ୍ଷ ନୂଆ ଉପଭୋକ୍ତା ଜିଓରେ ଯୋଡ଼ି ହୋଇଛନ୍ତି । 2023ରେ କମ୍ପାନୀର ସବସ୍କ୍ରାଇବରଙ୍କ ସଂଖ୍ୟା 448.50 ମିଲିୟନ ଥିଲା । ଏବେ ଏହି ସଂଖ୍ୟା 41.20 ପ୍ରତିଶତ ବୃଦ୍ଧି ପାଇ 489.70 ମିଲିୟନରେ ପହଞ୍ଚିଛି ।
ଏହା ବି ପଢନ୍ତୁ- Jio ଓ Airtel ୟୁଜର୍ସଙ୍କୁ ଝଟକା, ଏତିକି ଟଙ୍କା ମହଙ୍ଗା ହେଲା ମୋବାଇଲ ରିଚାର୍ଜ
RIL ବ୍ୟତୀତ, Q1 ଫଳାଫଳ ଘୋଷଣା କରିଥିବା ଅନ୍ୟ କମ୍ପାନୀଗୁଡିକ ମଧ୍ୟରେ ୱିପ୍ରୋ, ଜେଏସଡବ୍ଲୁ ଷ୍ଟିଲ, ବିପିସିଏଲ, ୱାନ 97 କମ୍ୟୁନିକେସନ, ICICI ଇନସୁରାନ୍ସ କମ୍ପାନୀ, ପିଭିଆର ଆଇନକ୍ସ, ବିଇଏମଏଲ, ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ, ଅଥର ଇଣ୍ଡଷ୍ଟ୍ରିଜ, ଓବରଏ ରିଅଲିଟି, ତେଜସ ନେଟୱାର୍କ ଏବଂ ପତଞ୍ଜଳି ଫୁଡ୍ସ ମଧ୍ୟ ସାମିଲ ଅଛନ୍ତି ।
ଏହା ବି ପଢନ୍ତୁ-ମୋବାଇଲ ଗ୍ରାହକଙ୍କୁ ରିଚାର୍ଜ ମାଡ: ଆଜିଠୁ ମହଙ୍ଗା ହେଲା ପ୍ଲାନ, ଜାଣନ୍ତୁ କେତେ ଟଙ୍କା ଗଣିବେ ?