ମୁମ୍ବାଇ: ଏକ୍ଜିଟ ପୋଲ ପ୍ରକାଶ ପରେ ରେକର୍ଡ ଭାଙ୍ଗିଥିଲା ଷ୍ଟକ ବଜାର । ଏନଡିଏ ୩୫୦ରୁ ୪୦୦ ଆସନ ଜିତି ସରକାର ଗଢିବା ଆକଳନ କରାଯାଇ ଥିବାରୁ ୨୫୦୦ରୁ ଅଧିକ ପଏଣ୍ଟ ଉଛୁଳିଥିଲା ସେନସେକ୍ସ । ଉଭୟ ଘରୋଇ ଓ ବିଦେଶୀ ନିବେଶକ ବିପୁଳ ପରିମାଣର ଷ୍ଟକ କିଣିଥିଲେ । ହେଲେ ଫଳାଫଳ ଘୋଷଣା ଦିନ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ବିଜେପିକୁ ସ୍ପଷ୍ଟ ବହୁମତ ନମିଳିବା ଦଲାଲ୍ ଷ୍ଟ୍ରିଟରେ ଆଣିଥିଲା ବଡ଼ ଭୂକମ୍ପ । କାଲି (ମଙ୍ଗଳବାର) ପୁଞ୍ଜି ବଜାରରେ ବଡ ଧରଣର ହ୍ରାସ ଦେଖିବାକୁ ମିଳିଛି ।
ମଙ୍ଗଳବାର ବମ୍ବେ ଷ୍ଟକ ବଜାରର ସେନସେକ୍ସରେ ୪,୩୯୦ ପଏଣ୍ଟ ବା ୫.୭୪ ପ୍ରତିଶତ ଭାରି ହ୍ରାସ ସହ ୭୨,୦୭୯.୦୫ ପଏଣ୍ଟରେ କାରବାର ବନ୍ଦ ହୋଇଛି । ସେପଟେ ୫୦ ସେୟାର ବିଶିଷ୍ଟ ଏନଏସଇ ସୂଚକାଙ୍କ ନିଫ୍ଟି ମଧ୍ୟ ୧,୩୭୯ ପଏଣ୍ଟ ବା ୫.୯୩ ପ୍ରତିଶତ ଖସି ୨୧,୮୮୪.୫୦ରେ ବନ୍ଦ ହୋଇଛି, ଯାହାକି ଗତ ୪ ବର୍ଷ ମଧ୍ୟରେ ନିଫ୍ଟିର ସବୁଠୁ ବଡ ଦୈନିକ ହ୍ରାସ । ୨୦୨୦ ମାର୍ଚ୍ଚରେ ବିଶ୍ବର କୋଭିଡ ମହାମାରୀର ପାଦୁର୍ଭାବ ଯୋଗୁଁ ଏନଏସଇ ସୂଚକାଙ୍କରେ ବଡ ପତନ ହୋଇଥିଲା ।
୨୦୨୪ ସାଧାରଣ ନିର୍ବାଚନ ପାଇଁ କାଲି ଭୋଟ ଗଣତି ଆରମ୍ଭ ହେବା ପରେ ବଜାରରେ ଭୟ ଖେଳିଯାଇଥିଲା । ବିଜେପିର ପ୍ରଦର୍ଶନ ଆଶାନୁରୂପ ନଥିବାରୁ ଭୟରେ ନିବେଶକମାନେ ଷ୍ଟକଗୁଡିକ ବିକିବାକୁ ଲାଗିଥିଲେ । ମଧ୍ୟାହ୍ନ ସମୟରେ ବଜାରରେ ସାମାନ୍ୟ ସୁଧାର ଦେଖିବାକୁ ମିଳିଥିଲେ ହେଁ ବେଶୀ ସମୟ ଏହା ଚାଲିନଥିଲା । ମାତ୍ର କାରବାର ଶେଷ ବେଳକୁ ୧୩୭୯.୪୦ ପଏଣ୍ଟର ବଡ ହ୍ରାସ ସହ ୨୧,୮୮୪.୫୦ ପଏଣ୍ଟରେ ବନ୍ଦ ହୋଇଥିଲା ନିଫ୍ଟି ।
ସେହିପରି ବଜାର ଖୋଲିଲା ବେଳକୁ ସେନସେକ୍ସ ୨୦୦୦ରୁ ଅଧିକ ପଏଣ୍ଟ ହ୍ରାସ ପାଇଥିଲା । ସାରା ଦିନ ଏହି ହ୍ରାସ ଧାରା ଜାରି ରହିଥିଲା । ଏମିତିକି ଗୋଟିଏ ସମୟରେ ସେନସେକ୍ସ ୬୧୦୦ରୁ ଅଧିକ ପଏଣ୍ଟ ତଳକୁ ଖସି ଯାଇଥିଲା, ଏହା ଥିଲା ଗତ ୪ ବର୍ଷରେ ସେନସେକ୍ସର ସବୁଠୁ ବଡ ହ୍ରାସ ।
ଷ୍ଟକ ମାର୍କେଟ କ୍ରାସ ନେଇ କ'ଣ କହୁଛନ୍ତି ଏକ୍ସପର୍ଟ:
Geojit ଫାଇନାନ୍ସିଆଲ ସର୍ଭିସର ରିସର୍ଚ୍ଚ ହେଡ୍ ବିନୋଦ ନାୟରଙ୍କ କହିବା କଥା, ସାଧାରଣ ନିର୍ବାଚନର ଅପ୍ରତ୍ୟାଶିତ ଫଳାଫଳ ଘରୋଇ ବଜାରରେ ଭୟର ମାହୋଲ ସୃଷ୍ଟି କରିଥିଲା, ଯାହା ଦିନକ ପୂର୍ବରୁ ବଜାରରେ ଆସିଥିବା ବଡ ବୃଦ୍ଧିକୁ ପ୍ରଭାବିତ କରିଥିଲା । ଏହାସତ୍ତ୍ବେ ଯଦି ବଜାର ବିଜେପି ନେତୃତ୍ବାଧୀନ ମେଣ୍ଟ ସରକାରର ସ୍ଥିତାବସ୍ଥା ଉପରେ ବିଶ୍ବାସ ରଖେ, ତାହେଲେ ମଧ୍ୟମ ଅବଧିରେ ବଜାରରେ ହ୍ରାସ କମ୍ ହୋଇପାରେ ।
ବଜାର ସମୀକ୍ଷକଙ୍କ ବିଶ୍ବାସ, ନିର୍ବାଚନୀ ଫଳାଫଳ ସାମାଜିକ ଅର୍ଥନୀତିକୁ ଫୋକସ୍ କରି ରାଜନୀତିକ ନୀତିରେ ବଡ ପରିବର୍ତ୍ତନ ଆଣିପାରେ, ଯାହାକି ଗ୍ରାମୀଣ ଅର୍ଥବ୍ୟବସ୍ଥା ଉପରେ ସକରାତ୍ମକ ପ୍ରଭାବ ପକାଇବ । ଏପରି ହେଲେ ଗତ ୫ ବର୍ଷ ଧରି ଶୀର୍ଷରେ ଥିବା ବିଜୁଳ, ଭିତ୍ତିଭୂମି, ରିଅଲ ଇଷ୍ଟେଟ, ଇଣ୍ଡଷ୍ଟ୍ରୀ ଭଳି କ୍ଷେତ୍ରଗୁଡିକ ନିକଟ ଭବିଷ୍ୟତରେ ଅତି ସାବଧାନତା ଅବଲମ୍ବନ କରିବାକୁ ନାୟର ପରାମର୍ଶ ଦିଅନ୍ତି । ତଥାପି ଏହି କ୍ଷେତ୍ରଗୁଡିକ ପାଇଁ ଦୀର୍ଘକାଳୀନ ବିକାଶ ସମ୍ଭାବନା ସୁଦୃଢ ରହିଥିବା କୁହାଯାଇଛି ।
ବଜାରରେ ପିଏସୟୁ ଷ୍ଟକ ମଧ୍ୟରେ ଭେଲ୍, ହିନ୍ଦ କପର, ବେଲ୍, ନାଲକୋ, କନକୋର ସବୁଠୁ ଅଧିକ ଘାଟା ସହିଛି । ପିଏସୟୁ ଷ୍ଟକ ପ୍ରାୟ ୨୫ ପ୍ରତିଶତ ହ୍ରାସ ପାଇଛି । କେବଳ ଉପଭୋଗ ସହ ଜଡିତ ଷ୍ଟକ ଯେମିତିକି, ଡାବର, କୋଲଗେଟ କମ୍ପାନୀ ଷ୍ଟକରେ ଲାଭ ହୋଇଥିଲା । ବ୍ୟାଙ୍କ ନିଫ୍ଟି ଲାଲ୍ ସଙ୍କେତରେ ଖୋଲିବା ସହ ଦିନତମାମ ଚାପରେ ରହିଥିଲା ଏବଂ ଶେଷରେ ୪୬,୯୨୮.୬୦ ପଏଣ୍ଟରେ ବନ୍ଦ ହୋଇଥିଲା ।
ନିବେଶକ କ'ଣ କରିବା ଉଚିତ୍ ?
Geojit ଫାଇନାନ୍ସିଆଲର ଭିକେ ବିକାୟକୁମାର କହିଛନ୍ତି, ନିବେଶକମାନେ ବିଗ୍ କ୍ୟାପ (୧୦ ଅରବ ଡଲାରରୁ ଅଧିକ ବଜାର ପୁଞ୍ଜି ମୂଲ୍ୟ ବିଶିଷ୍ଟ କମ୍ପାନୀ)ରେ ନିବେଶ ସହ ସ୍ମଲ କ୍ୟାପରେ କିଛି ଲାଭ୍ ବସୁଲ କରିବା ଉଚିତ୍ । ଜୁନ ୩ରେ ବିଗ୍ ବା ଲାର୍ଜ କ୍ୟାପ ସେୟାର ସ୍ମଲ କ୍ୟାପ ତୁଳନାରେ ଭଲ ପ୍ରଦର୍ଶନ କରିଥିଲା । ଏହାର ମୁଖ୍ୟ କାରଣ ଥିଲେ ଏଫଆଇଆଇ (ବିଦେଶିକ ସଂସ୍ଥାଗତ ନିବେଶକ) କ୍ରେତା । ଯଦି ବୈଦେଶିକ ସଂସ୍ଥାଗତ ନିବେଶକମାନେ ସେୟାର କିଣିବା ଜାରି ରଖନ୍ତି, ତାହେଲେ ବଜାରରେ ସକରାତ୍ମକ ପ୍ରଦର୍ଶନ ଜାରି ରହିବ । RIL, L&T, HDFC, ICICI ଏବଂ M&M କମ୍ପାନୀ ଦୃଢ ସ୍ଥିତିରେ ଅଛନ୍ତି ।
କ୍ବାଣ୍ଟମ ଏଏମସିର ଫଣ୍ଡ ମ୍ୟାନେଜର-ଇକ୍ବିଟି କ୍ରିଷ୍ଟି ମାଥାଇ କହିଛନ୍ତି ଯେ, ଆମେ ବିଭିନ୍ନ ସରକାରରେ ନୀତି ନିରନ୍ତରତା ଦେଖିଛୁ, ଯାହାର ପରିମାଣସୂରୁପ ନିରନ୍ତର ଆର୍ଥିକ ଗତି ବଜାୟ ରହିବା ସହ ଇକ୍ବିଟି ରିଟର୍ଣ୍ଣରେ ବୃଦ୍ଧି ହୋଇଛି । ଆଗକୁ ମଧ୍ୟ ଏ କ୍ଷେତ୍ରରେ କୌଣସି ବଡ ପରିବର୍ତ୍ତନ ହେବାର ଆଶା କରାଯାଉନି । ସମ୍ପ୍ରତ୍ତି ବେସରକାରୀ ବ୍ୟାଙ୍କିଙ୍ଗ କ୍ଷେତ୍ର ବ୍ୟତୀତ ଅଧିକାଂଶ କ୍ଷେତ୍ର ଅପେକ୍ଷାକୃତ ଅଧିକ ମୂଲ୍ୟରେ କାରବାର କରୁଛନ୍ତି । ଏହି ଦୃଷ୍ଟିରୁ ନିବେଶକମାନେ ଇକ୍ବିଟିରେ ଅଧିକ ବିନିଯୋଗ କରିବାକୁ ବିଚାର କରିପାରିବେ ।