ଭୋପାଳ: ସ୍କୁଲରେ ଶିକ୍ଷକଙ୍କ କାର୍ଯ୍ୟ ହେଉଛି ଶିକ୍ଷାଦାନ କରିବା । ଆଉ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଚାଲେ । ହେଲେ ଏମିତି ଏକ ସ୍କୁଲ ଅଛି ଯେଉଁଠି ପିଲା ନାହାନ୍ତି, କିନ୍ତୁ ଶିକ୍ଷକ ଅଛନ୍ତି । ଆପଣ ଭାବୁଥିବେ ଯଦି ଛାତ୍ରଛାତ୍ରୀ ନାହାନ୍ତି ସେଠାରେ ଶିକ୍ଷକଙ୍କ କାମ କ'ଣ । ତେବେ ଏଠାରେ ଶିକ୍ଷକଙ୍କ କାମ ହେଉଛି ପ୍ରତିଦିନ ସ୍କୁଲ ଆସିବା ଆଉ ସମୟ ହେଲେ ସ୍କୁଲ ବନ୍ଦ କରି ଘରକୁ ଯିବା । କାରଣ ଏହା ଏକ ସରକାରୀ ସ୍କୁଲ ! ଯେଉଁଠି ପିଲା ରୁହନ୍ତୁ କି ନରୁହନ୍ତୁ ସେଥିପ୍ରତି କାହାର ଫରକ ପଡେନାହିଁ । ଏମିତି ଏକ ସ୍କୁଲ ଅଛି ମଧ୍ୟପ୍ରଦେଶର ଛିଣ୍ଡୱାରା ଠାରୁ ମାତ୍ର 7 କିଲୋମିଟର ଦୂରରେ । ଯେଉଁଠାରେ ପୋଷ୍ଟ କରାଯାଇଥିବା ଶିକ୍ଷକମାନେ କେବଳ ଚାକିରି କରିଛନ୍ତି ବୋଲି ସ୍କୁଲ ଆସି ନିଜ କର୍ତ୍ତବ୍ୟ ପାଳନ କରୁଛନ୍ତି ।
ତେବେ ମଧ୍ୟପ୍ରଦେଶର ଛିଣ୍ଡୱାରା ଜିଲ୍ଲା ମୁଖ୍ୟାଳୟଠାରୁ ମାତ୍ର 7 କିଲୋମିଟର ଦୂରରେ ଥିବା ଥୁନିଆ ଉଦନା ଗ୍ରାମରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏକ ସରକାରୀ ବିଦ୍ୟାଳୟ ଅଛି । ସ୍କୁଲରେ ଶିକ୍ଷାର ଗୁଣବତ୍ତା ହ୍ରାସ ପାଇବାରୁ ଅଭିଭାବକମାନେ ନିରାଶ ହୋଇ ଧୀରେ ଧୀରେ ସମସ୍ତେ ଏହି ସ୍କୁଲରେ ନିଜ ପିଲାମାନଙ୍କୁ ପାଠ ପଢ଼ାଇବା ବନ୍ଦ କରିଦେଲେ । ସ୍କୁଲରେ ବର୍ତ୍ତମାନ ଏଭଳି ସ୍ଥିତି ହୋଇଛି ଯେ, ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗୋଟିଏ ବି ପିଲା ନାମ ଲେଖାଇ ନାହାନ୍ତି । ସ୍କୁଲରେ ପିଲା ନାହାନ୍ତି କିନ୍ତୁ ଶିକ୍ଷକ ଅଛନ୍ତି । ଯାହାକୁ ନେଇ ଗ୍ରାମବାସୀ କହିଛନ୍ତି ଯେ, ଶିକ୍ଷକମାନଙ୍କ କାମ ହେଉଛି ପ୍ରତିଦିନ ସ୍କୁଲକୁ ଆସିବା ଆଉ ସନ୍ଧ୍ୟାରେ ଘରକୁ ଯିବା ।
ଥୁନିଆ ଉଦନା ଗ୍ରାମର ଜନସଂଖ୍ୟା ପ୍ରାୟ 1500 । ଏହା ମଧ୍ୟରୁ ଗାଁରେ ପ୍ରାୟ 500 ପିଲା ଅଛନ୍ତି । କିନ୍ତୁ କୌଣସି ପିଲା ଗାଁ ସ୍କୁଲରେ ପାଠ ପଢ଼ନ୍ତି ନାହିଁ । ସମସ୍ତ ପିଲା ଗାଁ ବାହାରେ ଘରୋଇ ଏବଂ ଅନ୍ୟାନ୍ୟ ସରକାରୀ ବିଦ୍ୟାଳୟରେ ପଢିବାକୁ ଯାଆନ୍ତି । ଏନେଇ ଗାଁର ସରପଞ୍ଚ ସୁନୀଲ ଯଦୁବଂଶି କହିଛନ୍ତି, "ବିଦ୍ୟାଳୟରେ ଶିକ୍ଷାର ଗୁଣାତ୍ମକ ମାନ କମିବାରୁ ଗ୍ରାମବାସୀ ସେମାନଙ୍କ ପିଲାମାନଙ୍କୁ ଏହି ବିଦ୍ୟାଳୟରେ ନାମ ଲେଖାଉ ନାହାନ୍ତି । ତେଣୁ ବର୍ତ୍ତମାନ ବିଦ୍ୟାଳୟଟି ସମ୍ପୂର୍ଣ୍ଣ ଖାଲି ହୋଇଯାଇଛି । ଗ୍ରାମବାସୀମାନେ ସେମାନଙ୍କ ପିଲାମାନଙ୍କୁ ଏଠାରୁ ଘରୋଇ କିମ୍ବା ନିକଟସ୍ଥ ସରକାରୀ ସ୍କୁଲକୁ ସ୍ଥାନାନ୍ତର କରିଛନ୍ତି । ଗାଁ ସ୍କୁଲରେ କେବଳ ଜଣେ ଶିକ୍ଷକ ଅଛନ୍ତି, ଯିଏ BLO ଭାବରେ କାର୍ଯ୍ୟ କରନ୍ତି ।"
ବୁରୋ ରିପୋର୍ଟ, ଇଟିଭି ଭାରତ