ନୂଆଦିଲ୍ଲୀ: ‘ଓ୍ବାକଫ (ସଂଶୋଧନ) ବିଲ୍- 2024’ ଲୋକସଭାର ଆଗତ ହେବା ପରେ ଏହାକୁ ପ୍ରବଳ ବିରୋଧ କରିଥିଲେ ବିରୋଧୀ । ଫଳରେ ଏହାକୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଇଛି । ଏହାକୁ ଆଗତ କରିବା ପୂର୍ବରୁ ସରକାର କୌଣସି ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ପଠାଇନଥିବା ଅଭିଯୋଗ ହୋଇଥିଲା । ଏବେ ଏହି ବିଲ ଯଗ୍ମ ସଂସଦୀୟ କମିଟି ଦ୍ବାରା ତର୍ଜମା ହେବ । ଏହି କମିଟିରେ ରାଜ୍ୟସଭା ଓ ଲୋକସଭାର 31 ସଦସ୍ୟ ରହିଛନ୍ତି । ଗତ 8ତାରିଖରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜଜୁ ଏହାକୁ ଲୋକସଭାରେ ଆଗତ କରିଥିଲେ । ଚର୍ଚ୍ଚାରେ ବିରୋଧୀ ସାଂସଦମାନେ ବିରୋଧ କରିବା ସହ ଏହାକୁ ସମ୍ବିଧାନ ବିରୋଧୀ ବୋଲି କହିଥିଲେ । ଏହା ସହ କମିଟିକୁ ପଠାଇବାକୁ ଘୋଷଣା କରିଥିଲେ ।
ବିରୋଧୀଙ୍କ ଦାବିରେ ମନ୍ତ୍ରୀ ରିଜଜୁ କହିଥିଲେ,‘‘ଆମର ଆଭିମୁଖ୍ୟ ସ୍ପଷ୍ଟ ଅଛି । ଆମେ ଆମ ଦାୟିତ୍ବରୁ ଓହରିବାକୁ କିମ୍ବା ଭାଗିବାକୁ ଚାହୁଁନାହୁ । ବିସ୍ତୃତ ଚର୍ଚ୍ଚା ପାଇଁ ସରକାର ପ୍ରସ୍ତୁତ ଅଛି । ଏହାକୁ ସରକାର ଜେପିସିକୁ ପଠାଯାଉଛନ୍ତି । ଆମେ ଆଗକୁ ମଧ୍ୟ ବିରୋଧୀଙ୍କଠାରୁ ଏହିପରି ପରାମର୍ଶ ମଧ୍ୟ ସ୍ବୀକାର କରିବୁ ।’’ ତେବେ ଏହି ମାମଲାରେ ସରକାର ଗଠନ କରିଥିବା କମିଟିରେ ମୋଟ 31 ସଦସ୍ୟ ରହିଛନ୍ତି । ଲୋକସଭାରୁ ସର୍ବାଧିକ 21 ଓ ରାଜ୍ୟସଭାରୁ ଅବଶିଷ୍ଟ 10 ସଦସ୍ୟଙ୍କୁ ସ୍ଥାନ ମିଳିଛି ।
- ଯୁଗ୍ମ ସଂସଦୀୟ କମିଟି (JPC) କ୍ଷମତା ପରିସର ଓ କାର୍ଯ୍ୟାବଳି
ସଂସଦରେ ଆଗତ ହୋଇଥିବା କୌଣସି ବିଧେୟକ କିମ୍ବା ଦେଶର କୌଣସି ଅନିୟମିତତା ମାମଲାର ତଦନ୍ତ ପାଇଁ ଏହି କମିଟି ଗଠନ ହୋଇଥାଏ । ଏଥିରେ ଉଭୟ ଗୃହର ଉଭୟ ବିରୋଧୀ ଓ ଶାସକ ସଦସ୍ୟମାନେ ସ୍ଥାନ ପାଉଥିବାରୁ ଏହାକୁ ଯୁଗ୍ମ କମିଟି କୁହାଯାଏ । ଏଥିରେ ରାଜ୍ୟସଭା ତୂଳନାରେ ନିର୍ବାଚିତ ସଦନ ଲୋକସଭାର ସଦସ୍ୟ ଏକ ଅନୁପାତ ଦୁଇରେ ଥାଆନ୍ତି । ଏହା ସଂସଦର ଅନ୍ୟ ସ୍ଥାୟୀ କମିଟି ପରେ ନୁହେଁ । ଏହାର ଗଠନ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ହୋଇଥାଏ । ଏହାକୁ ଉଭୟ ଗୃହର ଅଧ୍ୟକ୍ଷ କିମ୍ବା କେନ୍ଦ୍ର ସରକାର ଗଠନ କରିପାରିବେ ।
ଏହା ଏକ ସାମ୍ବିଧାନିକ ସଂସ୍ଥା ଭାବେ କ୍ଷମତା ଉପଭୋଗ କରେ । କମିଟି ତଦନ୍ତ କରୁଥିବା ପ୍ରସଙ୍ଗର ସମ୍ପର୍କିତ କୌଣସି ବ୍ୟକ୍ତିବିଶେଷ କିମ୍ବା ସଂସ୍ଥାକୁ କମିଟି ହାଜର ପାଇଁ ସମନ ଜାରି କରିପାରିବ । ସେମାନେ ଏହାକୁ ଅବମାନନା କଲେ, ଏହାକୁ ଗୃହର ଅବମାନନା ବୋଲି ବିଚାର କରାଯାଏ । ତେବେ କୌଣସି ମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ଏହି କମିଟି ଦ୍ବାରା ସମନ ପାଇବାର ନଜିର ନାହିଁ । ଏହି କମିଟି ନିଜର ତଦନ୍ତ ସାରିବା ପରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥାଏ । ଜେପିସି ର ସୁପାରିଶ କମିଟି ଆଧାରରେ ସରକାର ପରିବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିଥାନ୍ତି ।
ଜେପିସିକୁ ଯାଇଥିବା ପ୍ରଥମ ମାମଲା:-
ତେବେ ଦେଶରେ ସ୍ବାଧୀନତା ପରବର୍ତ୍ତୀ ସମୟରୁ ଏପର୍ଯ୍ୟନ୍ତ ପ୍ରାୟ 10ଟି ଚର୍ଚ୍ଚିତ ଘଟଣାରେ କେନ୍ଦ୍ର ସରକାର ଯୁଗ୍ମ ସଂସଦୀୟ କମିଟି ଗଠନ କରିଛନ୍ତି । 1987 ଅଗଷ୍ଟରେରେ ଭାରତରେ ସଂସଦୀୟ କାର୍ଯ୍ୟପ୍ରଣାଳୀରେ ପ୍ରଥମ ଥର ଏହି ଯୁଗ୍ମ କମିଟି ଗଠନ କରାଯାଇଥିଲା । ତତ୍କାଳୀନ ସରକାର ବିରୋଧରେ ଆସିଥିବା ବହୁଚର୍ଚ୍ଚିତ ‘ବୋଫର୍ସ ଦୁର୍ନୀତି’ ମାମଲାର ତଦନ୍ତ କରିଥିଲା ଏହି କମିଟି । କଂଗ୍ରେସ ସାଂସଦ ବି.ଶଙ୍କରଆନନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି 1988 ଏପ୍ରିଲରେ ଏହାର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲା । ଏଥିରେ କଂଗ୍ରେସ ସଦସ୍ୟଙ୍କ ସଂଖ୍ୟା ଅଧିକ ଥିବା ଦର୍ଶାଇ ବିରୋଧୀ ସଦସ୍ୟମାନେ ଏହାକୁ ବର୍ଜନ କରିଥିଲେ । ପରେ ଏହି କମିଟି ସରକାରଙ୍କୁ ବୋଫର୍ସ ମାମଲାରେ କ୍ଲିନଚିଟ ଦେଇଥିଲା । ସେତେବେଳେ ମଧ୍ୟ ଏହି କମିଟିର ସ୍ବଚ୍ଛ୍ବତା ଓ ପାରଦର୍ଶିତା ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ ।
ଯୁଗ୍ମ ସଂସଦୀୟ କମିଟିକୁ ଯାଇଥିବା କିଛି ପ୍ରମୁଖ ପ୍ରସଙ୍ଗ:-
- 1992: ‘ହର୍ଷଦ ମେହେଟ୍ଟା ଷ୍ଟକ ମାର୍କେଟ ଘୋଟାଲା’ ମାମଲାର ତଦନ୍ତ କରିବା ପାଇଁ ଏହି କମିଟି ଗଠନ ହୋଇଥିଲା । ଏହାର ଅଧ୍ୟକ୍ଷ ହୋଇଥିଲେ ରାମନିବାସ ନିର୍ଦ୍ଧା ।
- 2001 : ଖେତନ ପାରେଖ ଘୋଟାଲା ମାମଲା
- 2003: କୋଲ୍ଡଡ୍ରିଙ୍କସରେ ବିଷାକ୍ତ ରାସାୟନିକ ଅପମିଶ୍ରଣ ଅଭିଯୋଗ ମାମଲା
- 2011: ବହୁଚର୍ଚ୍ଚିତ ଟୁଜି ସ୍ପେକ୍ଟ୍ରମ ସ୍କାମ ପାଇଁ 30 ଜଣିଆ କମିଟି ଗଠନ ହୋଇଥିଲା । ଏହି ମାମଲାରେ ଏହି କମିଟି 2013 : ସରକାରଙ୍କୁ କ୍ଲିନଚିଟ ସହ ରିପୋର୍ଟ ସୁପାରିଶ କରିଥିଲା ।
- 2013 : ଭିଭିଆଇପିଙ୍କ ପାଇଁ ବହୁଚର୍ଚ୍ଚିତ ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ହେଲିକପ୍ଟର କ୍ରୟ ଘୋଟାଲାରେ ଯୁଗ୍ମ ସଂସଦୀୟ କମିଟି ଗଠନ ହୋଇଥିଲା ।
2014 ରେ ମୋଦି ସରକାର କ୍ଷମତାକୁ ଆସିବା ପରେ....
- 2015 : ଜମି ଅଧିଗ୍ରହଣ ଓ ପୁନଃଥଇଥାନ ସଂଶୋଧନ ଅଧିନିୟମ ବିଲକୁ ଏହି କମିଟିକୁ ପଠାଯାଇଥିଲା । ଏସ ଏସ ଆଲୁଓ୍ବାଲିଆ ଏହି କମିଟିର ମୁଖ୍ୟ ହୋଇଥିଲେ ।
- 2015 : ନାଗରିକତ୍ବ ସଂଶୋଧନ ଅଧିନିୟମ ମଧ୍ୟ ଯୁଗ୍ମ କମିଟିକୁ ଯାଇଥିଲା ।
- 2019 : ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଅଧିନିୟମ
- 2023 : ବନ (ସଂରକ୍ଷଣ) ସଂଶୋଧନ ଅଧିନିୟମ ଲୋକସଭାରେ ଆଗତ ହେବା ପରେ ଯୁଗ୍ମ ସଂସଦୀୟ କମିଟିକୁ ପ୍ରେରଣ ହୋଇଥିଲା । ଏହାକୁ ମଧ୍ୟ କମିଟି ପରବର୍ତ୍ତୀ ସମୟରେ ଗ୍ରୀନ ସିଗନାଲ ଦେଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ