ଚେନ୍ନାଇ: ସମ୍ପତ୍ତି ପାଇଁ ଜନ୍ମକଲା ପୁଅର ନାରକୀୟ କାଣ୍ଡ । କ୍ରୋଧରେ ଜର୍ଜିରିତ ହୋଇ ନେଲା ବାପାର ଜୀବନ । ଏଭଳି ଏକ ଅମାନବୀୟ ଘଟଣା ଘଟିଛି ତାମିଲନାଡୁରେ । ସମ୍ପତ୍ତି ବିବାଦରେ ଜଣେ ପୁଅ ତାଙ୍କ ପିତାଙ୍କୁ ଅତି ନିର୍ମମ ଭାବରେ ଆକ୍ରମଣ କରିଛି । ଯାହାଫଳରେ ପେରମ୍ବାଲୁର ଜିଲ୍ଲାର ଭେପନ୍ତଥାଟାଇ ଅଞ୍ଚଳର ୬୮ବର୍ଷିୟା କୁଜନ୍ତଭାଇଭେଲ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେପଟେ ଘଟଣା ସମୟର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପୁଅ ଶକ୍ତିଭେଲକୁ ଗିରଫ କରିଛି ।
ଅଭିଯୋଗ ଅନୁସାରେ, ଶକ୍ତିଭେଲ ତାଙ୍କ ପିତାଙ୍କୁ ସାଗୋ ପ୍ଲାଣ୍ଟ ସମେତ କିଛି ସମ୍ପତ୍ତି ତାଙ୍କ ନାମରେ କରିବାକୁ କହିଥିଲେ । କିନ୍ତୁ ବାପା କୁଜନ୍ତଭାଇଭେଲ ସଫା ସଫା ମନା କରି ଦେଇଥିଲେ । କୁଜନ୍ତଭାଇଭେଲଙ୍କ ସାଲେମ ଜିଲ୍ଲାର ଥାଲାଇଭାସାଲ ନିକଟ ସରଭୋଇ ପୁଦୁରରେ ଏକ ସାଗୋ ପ୍ଲାଣ୍ଟ, ପେରମ୍ବାଲୁରରେ ଏକ ଚାଉଳ କାରଖାନା ରହିଛି । ହେଲେ ପୁଅ ଶକ୍ତିଭେଲ ତାର ପରିବାର ସହିତ ସାଲେମର ଆଟୁରରେ ରହୁଥିଲା ।
ଫେବୃଆରୀ ୧୬ରେ ଶକ୍ତିଭେଲ ତାଙ୍କ ପିତାଙ୍କ ଘରକୁ ଆସି ଆକ୍ରମଣ କରିଥିଲେ । କୁଜନ୍ତଭାଇଭେଲଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପୁଅର କ୍ରୋଧ ଶାନ୍ତ ହୋଇନଥିଲା ସେ ପୁଣିଥରେ ତାଙ୍କ ପିତାଙ୍କୁ ଆକ୍ରମଣ କରିଥିଲେ ।ଫଳରେ ତାଙ୍କର ଏପ୍ରିଲ ୧୮ ତାରିଖରେ ମୃତ୍ୟୁ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ ....ଦୁଇ ମାସର ଦରମା ଦେଲାନି ମାଲିକ, ଜୀବନରୁ ମାରିଦେଲା କର୍ମଚାରୀ - Worker Killed Owner
ସେପଟେ ଘଟଣା ଦିନର ସମସ୍ତ ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇ ରହିଥିଲା । ଗତ ୨୫ ତାରିଖ ଦିନରୁ ତାହା ଭାଇରାଲ ହେବାରେ ଲାଗିଛି । ପରବର୍ତ୍ତୀ ସମୟରେ ପୋଲିସ ଆଟୁର ଡିଏସପି ସତୀଶ କୁମାରଙ୍କ ନେତୃତ୍ୱରେ ଏହି ଘଟଣାର ଅନୁସନ୍ଧାନ କରାଯାଇଥିଲା ।
ସେପଟେ ଆଟୁର ଡିଏସପି ସତୀଶ କୁମାର କହିଛନ୍ତି,"ଯୁବକ ଜଣକ ପେରମ୍ବାଲୁର ଜିଲ୍ଲାରେ ରହୁଥିବାବେଳେ ପିତାଙ୍କୁ ଆକ୍ରମଣ କରିଥିଲେ । ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ସବୁ ରେକର୍ଡ ହୋଇଥିଲା । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । କାଇକାଲାଥୁର ପୋଲିସ ଏହାର ତଦନ୍ତ କରୁଛି "।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ