ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଗାଜିପୁରରେ ବଡ ଦୁର୍ଘଟଣା । ହାଇଭୋଲଟେଜ ବିଦ୍ୟୁତ ତାରରେ ଲାଗି ଏକ ବସ ଜଳିଯାଇଛି । ଏଥିରେ ପ୍ରାୟ 20ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ବସରେ ପ୍ରାୟ 30ରୁ ଅଧିକ ଯାତ୍ରୀ ଥିବା ମଧ୍ୟ ଜଣାପଡିଛି । ମୃତାହତଙ୍କ ନିର୍ଦ୍ଦିଷ୍ଟ ସଂଖ୍ୟା ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବସଟି ସମ୍ପୂର୍ଣ୍ଣ ଜଳିଯାଇଛି । ଏବେ ସୁଦ୍ଧା 5 ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ପ୍ରଶାସନ କହିଛି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,ଅନେକ ଗୁରୁତର ଥିବା କାରଣରୁ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାର ଯଥେଷ୍ଟ ଆଶଙ୍କା ରହିଛି ।
ମିଳିଥିବା ସୂଚନା ଅନୁସାରେ, ମରଦହ ଥାନା କ୍ଷେତ୍ର ଅଧୀନ ମହାହର ଧାମକୁ ସଂଯୋଗ କରୁଥିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଆଜି ପୂର୍ବାହ୍ନରେ ଏକ ବସ ହାଇଭୋଲଟେଜ 33 କେଭି ବିଜୁଳି ତାରରେ ଲାଗିଯାଇଥିଲା । ବସଟି ଚାର୍ଜ ହୋଇଯିବା ସହ ଜଳି ଉଠିଥିଲା । ବସରେ ପ୍ରାୟ 30ରୁ ଅଧିକ ଯାତ୍ରୀ ଥିବା ସନ୍ଦେହ କରାଯାଉଛି । ପ୍ରାୟ 20 ରୁ 25 ଯାତ୍ରୀ ବସ ଭିତରେ ଜଳିଯାଇଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ଲୋକେ ଏକାଠି ହୋଇଥିଲେ ମଧ୍ୟ ଚାର୍ଜ ହୋଇଥିବା କାରଣରୁ ବସରୁ ନିଆଁ ଲିଭାଇବା କିମ୍ବା ଯାତ୍ରୀଙ୍କୁ ଉଦ୍ଧାର କରିବା ସମ୍ଭବପର ହୋଇନଥିଲା । ବସଟି ପୁରା ଜଳିଯାଇଛି । ସ୍ଥାନୀୟ ପ୍ରଶାସନର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ :- ହାତ ମୁଠା ହେଉଛି ଟାଣ, ବିଜେପି ଛାଡି କଂଗ୍ରେସରେ ମିଶିଲେ ସାଂସଦ ରାହୁଲ କସୱା
ସ୍ଥାନୀୟ ପ୍ରଶାସନ ଏପର୍ଯ୍ୟନ୍ତ ମାତ୍ର 5 ଜଣଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଛି । ଅନ୍ୟ କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଛି । ସେମାନେ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଘଟଣରେ ଦୁଃଖ ପ୍ରକାଶ କରି ଟ୍ବିଟ କରିଛନ୍ତି । ମୃତକଙ୍କ ପରିବାର ସଦସ୍ୟଙ୍କୁ 5 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଓ ଆହତଙ୍କୁ 50 ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆହତଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସ୍ଥାନୀୟ ହସ୍ପିଟାଲକୁ ମଧ୍ୟ ନିର୍ଦ୍ଦେଶ ମିଳିଛି । ବସଟି ଜଳୁଥିବାର ଭିଡିଓ କ୍ୟାମେରାରେ କଏଦ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ