ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଡୁଆ । ଇଡିର ସମନକୁ ଅଣଦେଖା କରିବା ପରେ ରାଉଜ ଆଭେନ୍ୟୁ କୋର୍ଟ ପକ୍ଷରୁ ମିଳିଲା ସମନ । କେଜ୍ରିଓ୍ବାଲଙ୍କୁ ଆସନ୍ତା 16 ତାରିଖରେ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ମହାନଗର ନିଗମ ମାଜିଷ୍ଟ୍ରେଟ ଦିବ୍ୟା ମଲହୋତ୍ରା କୋର୍ଟରେ ହାଜର ହେବାକୁ କହିଛନ୍ତି ।
ତେବେ ଏନେଇ ଇଡି ପକ୍ଷରୁ ଏଏସଜି ଏସବି ରାଜୁ କହିଛନ୍ତି, "ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଇଡି ମନି ଲଣ୍ଡରିଂ ଆକ୍ଟର ଧାରା 50 ଅନୁସାରେ ସମନ ପଠାଯାଉଛି । କିନ୍ତୁ ସେ ହାଜର ହେଉ ନାହାନ୍ତି । ଅରବିନ୍ଦ କେଜ୍ରିଓ୍ବାଲ କୌଣସି ତଦନ୍ତରେ ସହଯୋଗ କରୁନାହାନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଇଡି 8 ଥର ସମନ ଜାରି କରିଛି । କେଜ୍ରିଓ୍ବାଲଙ୍କ ବିରୋଧରେ ଇଡି ରାଉଜ ଆଭେନ୍ୟୁ କୋର୍ଟରେ ଦ୍ବିତୀୟ ଥର ପାଇଁ ଅଭିଯୋଗ କରିଛି ।"
ଏହା ପୂର୍ବରୁ ଅର୍ଥାତ ଫେବୃଆରୀ 17 ତାରିଖରେ କୋର୍ଟରୁ ଆଶିଂକ ଆଶ୍ବସ୍ତି ମିଳିଥିଲା । ମାର୍ଚ୍ଚ 16 ତାରିଖରେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଫେବୃଆରୀ 17 ତାରିଖ ପରେ କେଜ୍ରିଓ୍ବାଲକୁ 3ଥର ସମନ ଜାରି କରାଯାଇଥିବା ବେଳେ ହାଜର ହୋଇନଥିଲେ । ଫେବୃଆରୀ 17 ତାରିଖରେ ଦିଲ୍ଲୀ ବିଧାନସଭା ବଜେଟ ଏବଂ ଟ୍ରଷ୍ଟ ମୋସନ ଦର୍ଶାଇ ଶାରୀରିକ ଭାବେ ହାଜର ହୋଇପାରିବେ ନାହିଁ ବୋଲି ଦର୍ଶାଇଥିଲେ । ଏହାପରେ ସେ ନିଜେ ଇଡିରେ ହାଜର ହେବା ପାଇଁ ତାରିଖ ମାଗିଥିଲେ ।
ଏହା ମଧ୍ୟ ପଢନ୍ତୁ: EDକୁ କେଜ୍ରିୱାଲଙ୍କ ଜବାବ, ' ଆଜି ନୁହେଁ, ମାର୍ଚ୍ଚ ୧୨ ପରେ ଭର୍ଚ୍ଚୁଆଲରେ ହେବି ହାଜର'
ପ୍ରକାଶଥାଉକି, ଇଡିର ପ୍ରଥମ ଅଭିଯୋଗ ଆଧାରରେ ଗତ ଫେବୃଆରୀ 7 ତାରିଖରେ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂ ବର୍ତ୍ତମାନ ନ୍ୟାୟିକ ହେପାଜତରେ ରହିଛନ୍ତି । ଅକ୍ଟୋବର 4 ତାରିଖରେ ସଞ୍ଜୟ ସିଂ ପଚରାଉଚରା କରିବା ପରେ ଗିରଫ କରିଥିଲା ଇଡି । 2023 ମସିହା ମାର୍ଚ୍ଚ 9 ତାରିଖ ଦିନ ଇଡିର ପଚରାଉଚରା ପରେ ତିହାର ଜେଲରୁ ମନୀଷ ସିସୋଦିଆକୁ ଗିରଫ କରିଥିଲା ଇଡି । ଏହା ପୂର୍ବରୁ ଫେବୃଆରୀ 26 ତାରିଖରେ ସେ ସିବିଆଇ ଦ୍ବାରା ଗିରଫ ହୋଇଥିଲେ । ସଞ୍ଜୟ ସିଂଙ୍କ ଜାମିନ ଆବେଦନକୁ ରାଉସ୍ ଆଭେନ୍ୟୁ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ