ହାଇଦ୍ରାବାଦ: ଦୁଇ ହୃଦୟର ମିଳନରେ ଆରମ୍ଭ ହୁଏ ପ୍ରେମ । କଥାରେ ଅଛି ପ୍ରେମ ନିସ୍ୱାର୍ଥ । ପ୍ରେମ ସଫଳ କିମ୍ବା ବିଫଳ ହୋଇପାରେ କିନ୍ତୁ ଅନୁଭବ ଅନନ୍ୟ । ବସନ୍ତ ଋତୁର ମଳୟ ପବନରେ ପୁଲକିତ ହୁଏ ମନ ଏବଂ ହୃଦୟ । ଆରମ୍ଭ ହୋଇଯାଇଛି ପ୍ରେମ ଋତୁ । ରଙ୍ଗୀନ ଆକାଶରେ ଉଡି ବୁଲିବେ ପ୍ରେମ ପକ୍ଷୀ । ଗୋଲାପ ଫୁଲରୁ ପଡିବ ପ୍ରେମର ମୂଳଦୁଆ । କୁହାଯାଏ ପ୍ରେମ ଏକ ଭାବନା, ସମର୍ପଣ ଏବଂ ଶାଶ୍ୱତ । ସମାଜର ଆକଟ ପାଇଁ ପ୍ରେମ କେବେ ଯନ୍ତ୍ରଣା ଦିଏ ଆଉ କେତେକ ସମୟରେ ଦୁଇ ହୃଦୟର ମିଳନ ଆତ୍ମାକୁ ଶାନ୍ତି ଦେଇଥାଏ । ସବୁ ପରିସ୍ଥିତିରେ ମନ ଖୋଜିଥାଏ ସାଥି ।
ପୁରାଣଠାରୁ ଆରମ୍ଭ କରି ଇତିହାସ ସବୁ ସ୍ଥାନରେ ରହିଛି ପ୍ରେମର ଛାପ । ତେବେ ଫେବୃଆରୀ ମାସ ପ୍ରେମୀ ଯୁଗଳଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ । କାରଣ ହୃଦୟର ସ୍ପନ୍ଦନ ଭାବୁଥିବା ପ୍ରେମୀକୁ ପାଇପାରିବେ । ଆଜି ଗୋଲାପ ଦେଇ ନିଜ କୋମଳମତୀ ପ୍ରେମିକାକୁ ନିଜର କରିବାକୁ ଚେଷ୍ଟା କରିବେ ପ୍ରେମିକ । ରାଗ, ଋଷା, ମାନ ଅଭିମାନରେ ପୂର୍ଣ୍ଣଚ୍ଛେଦ ପକାଇବ ଲାଲ ରଙ୍ଗର ସୁଗନ୍ଧଯୁକ୍ତ ଗୋଲାପ । କୁହାଯାଏ ପ୍ରେମର ପ୍ରତୀକ ହେଉଛି ଗୋଲାପ । ତେଣୁ ଆଜିର ଦିନରେ ଗୋଲାପ ବା ରୋଜ୍ ଦେଇ ନିଜର ମନର ଭାବନା ପରିପ୍ରକାଶ କରନ୍ତି ପ୍ରେମୀ ଯୁଗଳ । ପରସ୍ପରକୁ ସୋସିଆଲ ମିଡିଆରେ ଗୋଲାପ ଦିବସର ଶୁଭକାମନା ଜଣାଇବା ପରେ ଗୋଲାପ ମଧ୍ୟ ଦେବ । ଆଜିର ଦିନରେ ଫୁଲ ଜରିଆରେ ନିଜ ପାର୍ଟନରକୁ ମନର ଭାବନା ଜଣାଇବାକୁ ସୁଯୋଗ ମିଳେ । ଗୋଲାପର ରକ୍ତିମ ପାଖୁଡା ପରି ପ୍ରେମର ଗଭୀରତା ମଧ୍ୟ ଗାଢ ବୋଲି ଦର୍ଶାଇବେ ପ୍ରେମୀ ଯୁଗଳ ।
ଏହା ମଧ୍ୟ ପଢନ୍ତୁ: World Rose Day 2023: କ୍ୟାନ୍ସର ରୋଗୀଙ୍କୁ ଗୋଲାପ ଦେଇ ବଢାନ୍ତୁ ମନୋବଳ
ROSEର ଅର୍ଥ କଣ: Rରେ ରେୟାର, Oରେ ୱ।ନସ୍, Sରେ ସପେ।ଟିଂ ଏବଂ Eରେ ଏଣ୍ଟାଏର ଲାଇଫ୍ ମାନେ ପୂରା ଜୀବନ । ଅର୍ଥାତ ସୁନ୍ଦର ଜୀବନ ବିତାଇବା ପାଇଁ କେବଳ ଗୋଟିଏ ରୋଜ ହିଁ ଯଥେଷ୍ଟ । ରୋଜ ଡେ' ଶୁଭେଚ୍ଛା ପାଇଁ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ରହିଛି #Roseday #ଗୋଲାପଦିବସ । ଭାଲେଣ୍ଟାଇନ ଦିବସ ଆଜିର ଯୁବପିଢି ପାଇଁ ବେଶ ଖାସ ହୋଇଥାଏ । ସ୍କୁଲ କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନେ ବେଶ ଉତ୍ସାହର ସହ ଏହି ଦିନଗୁଡିକୁ ନିଜ ପ୍ରିୟଜନ ପାଇଁ ସ୍ପେସିଆଲ କରିଥାନ୍ତି । ତେବେ କେବଳ ପ୍ରେମିକ ପ୍ରେମିକାଙ୍କୁ କେବଳ ଗୋଲାପ ଦିଆଯାଏ ନାହିଁ । ବରଂ ସାଙ୍ଗକୁ ମଧ୍ୟ ଗୋଲାପ ଫୁଲ ଦେଇ ଖାସ୍ ଅନୁଭବ ଜତାଇପାରିବେ ।
ଏକ ରିପୋର୍ଟ ଅନୁସାରେ, ମୋଗଲ ବେଗମ୍ ନୁରଜାହାନ ନାଲି ଗୋଲାପକୁ ପସନ୍ଦ କରିଥିଲେ । ତେଣୁ ନୁରଜାହାନଙ୍କୁ ଖୁସି କରିବା ପାଇଁ ଜାହାଙ୍ଗୀର ପ୍ରତିଦିନ ତାଙ୍କ ପ୍ରାସାଦକୁ ଗୋଲାପ ପଠାଉଥିଲେ । ସେମାନଙ୍କର ପ୍ରେମ କାହାଣୀ ବହୁତ ଚର୍ଚ୍ଚାକୁ ଆସିଥିଲା । ଏହା ବ୍ୟତୀତ ରାଣୀ ଭିକ୍ଟୋରିଆଙ୍କ ଯୁଗରୁ ଏକ କାହାଣୀ ଅଛି ଯେତେବେଳେ ଲୋକମାନେ ପରସ୍ପରକୁ ନିଜର ଭାବନା ପ୍ରକାଶ କରିବାକୁ ଗୋଲାପ ଦେଉଥିଲେ । ଏହି ପରମ୍ପରାକୁ ଜାରି ରଖିବା ପାଇଁ ଭାଲେଣ୍ଟାଇନ୍ ସପ୍ତାହର ଗୋଟିଏ ଦିନ ରୋଜ ଡେ ଭାବରେ ପାଳନ କରାଯାଏ ।