ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଅବକାରୀ ଘୋଟାଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଧରା ଦେଉନାହାନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ‘ଆମ ଆଦମୀ ପାର୍ଟି’ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ । ବାରମ୍ବାର ସମନ ପାଇବା ପରେ ମଧ୍ୟ ହାଜର ହେବାକୁ କେଜ୍ରିଓ୍ବାଲ ନାରାଜ । ବିଭିନ୍ନ କାରଣ ଦର୍ଶାଇ ସମନ ଏଡାଇବାରେ ଲାଗିଛନ୍ତି । ଗତକାଲି ଏହି ମାମଲାରେ 5ମ ସମନକୁ ଏଡାଇବା ପରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟର ଦ୍ବାରସ୍ଥ ହୋଇଛି । ଆଜି ତଦନ୍ତକାରୀ ସଂସ୍ଥା ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ କେଜ୍ରିଓ୍ବାଲଙ୍କ ବିରୋଧରେ ମାମଲା ଦାଏର କରିଛି । କୋର୍ଟ ଏହି ମାମଲାରେ ବୁଧବାର ଶୁଣାଣି କରିବେ ।
ଏହି ବହୁଚର୍ଚ୍ଚିତ ମାମଲାରେ ଏକାଧିକ ‘ଆପ’ ନେତା ଏବେ ଗିରଫ ହୋଇ ଜେଲରେ ଅଛନ୍ତି । ତେବେ ଏହି ମାମଲାରେ ନଭେମ୍ବର 2 ତାରିଖରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ପ୍ରଥମଥର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା ପାଇଁ ସମନ କରିଥିଲା । ତେବେ ସେ ହାଜର ନହେବା କାରଣରୁ ତାଙ୍କୁ କ୍ରାମାଗତ ସମନ କରିଥିଲା ଇଡି । ତେବେ ତାଙ୍କୁ 5ମ ସମନରେ ଗତକାଲି (ଶୁକ୍ରବାର) ହାଜର ହେବା ପାଇଁ କୁହାଯାଇଥିଲା । ସେ ଗତକାଲି ମଧ୍ୟ 5ମ ସମନକୁ ମଧ୍ୟ ଏଡାଇ ଯାଇଥିଲେ । ଏହା ପରେ ତଦନ୍ତକାରୀ ସଂସ୍ଥା କୋର୍ଟର ଦ୍ବାରସ୍ଥ ହୋଇଛି ।
ମନିଲଣ୍ଡ୍ରିଂ ଆକ୍ଟ (PMLA)ର ଧାରା-63 (4) ରେ କେନ୍ଦ୍ରୀୟ ସଂସ୍ଥା ରାଉଜ ଆଭିନ୍ୟୁ କୋର୍ଟରେ ଏହି ମାମଲା ରୁଜୁ କରିଛି । ବାରମ୍ବାର ସମନ କରିବା ପରେ କେଜ୍ରିଓ୍ବାଲ ଉଦ୍ଦେଶ୍ୟମୂଳକ ଭାବେ ତଦନ୍ତରେ ସହଯୋଗ କରୁନଥିବା ସଂସ୍ଥା ମାମଲାରେ ଦର୍ଶାଇଛି । ଏବେ କୋର୍ଟ କେଜ୍ରିଓ୍ବାଲଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଜାରି କରିପାରନ୍ତି । କୋର୍ଟଙ୍କ ଆଦେଶ ସତ୍ତ୍ବେ କେଜ୍ରିଓ୍ବାଲ ତଦନ୍ତକାରୀ ସଂସ୍ଥା ନିକଟରେ ହାଜର ନହେଲେ, ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇପାରେ ।
ପ୍ରଥମରୁ ଏହି ସମନକୁ କେଜ୍ରିଓ୍ବାଲ ରାଜନୈତିକ ଉଦ୍ଦେଶ୍ୟମୂଳକ ଓ ବେଆଇନ ବୋଲି କହିଆସିଛନ୍ତି । ତାଙ୍କୁ ଗିରଫ କରିବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ସରକାରୀ କାର୍ଯ୍ୟ ଓ ରାଜ୍ୟସଭା ନିର୍ବାଚନରେ ବ୍ୟସ୍ତ କାରଣରୁ ସେ ଇଡିରେ ହାଜର ନହୋଇ ଲିଖିତ ପ୍ରଶ୍ନ ମଧ୍ୟ ମାଗିଥିଲେ । ତେବେ ତାଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହି ମାମଲାରେ ଗିରଫ ହେବା ପରେ ଏବେ ପର୍ଯ୍ୟନ୍ତ ବେଲ ପାଇନାହାନ୍ତି । ସେ ଏବେ ତିହାର ଜେଲରେ ଅଛନ୍ତି । ପରେ ପରେ ଏହି ମାମଲାରେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ମଧ୍ୟ ଗିରଫ ହୋଇ ଜେଲରେ ଅଛନ୍ତି । ତେଣୁ ଗିରଫଦାରୀ ଭୟରେ କେଜ୍ରିଓ୍ବାଲ ବାରମ୍ବାର ସମନକୁ ଏଡାଇବାରେ ଲାଗିଥିବା ଚର୍ଚ୍ଚା ହେଉଛି । ତେବେ ଏଠାରେ ସୂଚନାଯୋଗ୍ୟ ଯେ, ଝା଼ଡଖଣ୍ଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜମି ଘୋଟାଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ