ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଅଡୁଆରେ ତାମିଲନାଡୁ ମନ୍ତ୍ରୀ । ବିଜେପିର ଅଭିଯୋଗ ପରେ ରାଜ୍ୟ ମତ୍ସ୍ୟସମ୍ପଦ ମନ୍ତ୍ରୀ ଅନିତା.ଆର ରାଧାକ୍ରିଷ୍ଣନଙ୍କ ବିରୋଧରେ ସ୍ଥାନୀୟ ପୋଲିସ ମାମଲା ରୁଜୁ କରିଛି । ଗଂଗ୍ରେସର ଦିବଙ୍ଗତ ଭେଟେରାନ ନେତା କାମରାଜଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଓ ଏଥିରେ ବିଜେପିର ଭୂମିକା ଥିବା କଥା ମନ୍ତ୍ରୀ ରାଧାକ୍ରିଷ୍ଣନ ଏକ ସଭାମଞ୍ଚରେ କହିଥିବା ଅଭିଯୋଗ ହୋଇଥିଲା । ଏପରିକି ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକୁ ନେଇ ରାଜ୍ୟ ବିଜେପି ତୀବ୍ର ପ୍ରତିକ୍ରିୟାଶୀଳ ହେବା ସହ ଅଭିଯୋଗ ମଧ୍ୟ କରିଥିଲା । ଆଜି ତାମିଲନାଡୁ ପୋଲିସ ମନ୍ତ୍ରୀ ରାଧାକ୍ରିଷ୍ଣନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
22 ମାର୍ଚ୍ଚରେ ଥୁଥୁକୁଡିରେ ଆୟୋଜିତ ‘ଇଣ୍ଡିଆ’ ମେଣ୍ଟର ଏକ କାର୍ଯ୍ୟକ୍ରମରୁ ଏହି ବିବାଦ ଆରମ୍ଭ ହୋଇଥିଲା । ତୁତିକୋରିନ ସାଂସଦ ତଥା ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଉଭଣୀ କାନିମୋଝୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ରାଜ୍ୟ ମତ୍ସ୍ୟସମ୍ପଦ ମନ୍ତ୍ରୀ ରାଧାକ୍ରିଷ୍ଣନ ସମ୍ବୋଧିତ କରି ଏହି ଟିପ୍ପଣୀ କରିଥିଲେ । କାମରାଜଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା ଓ ଏଥିରେ ବିଜେପି ନେତାଙ୍କ ଭୂମିକା ଥିବା ସେ ଅଭିଯୋଗ କରିଥିଲେ । କହିଥିଲେ,‘‘ ଆପଣ ସେହିମାନେ ନୁହନ୍ତି କି, ଯିଏ କାମରାଜଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ ।’’ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସର ଦିବଙ୍ଗତ ଭେଟେରାନ ନେତା କାମରାଜଙ୍କୁ ପ୍ରଂଶସା କରିଥିଲେ । ମୋଦିଙ୍କ ଏହି ପ୍ରଶଂସାକୁ ଟାର୍ଗେଟ କରି ରାଧାକ୍ରିଷ୍ଣନ ଏହି ମନ୍ତବ୍ୟ ଦେଇଥିଲା ।
ପରେ ଏହି ଭିଡିଓକୁ ସେୟାର କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ରାଜ୍ୟ ବିଜେପି ମୁଖ୍ୟ କେ.ଆନ୍ନାମଲାଇ । ବିଜେପି ପୋଲିସରେ ଅଭିଯୋଗ କରିବା ସହ ନିର୍ବାଚନ କମିଶନଙ୍କୁ ମଧ୍ୟ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଥିଲା । ଆଜି ତାମିଲନାଡୁ ପୋଲିସ କହିଛି, ବିଜେପିର ଅଭିଯୋଗ କ୍ରମେ ମନ୍ତ୍ରୀ ରାଧାକ୍ରିଷ୍ଣନଙ୍କ ବିରୋଧରେ ସେକ୍ସନ 294-B ଅନୁସାରେ ମାମଲା ରୁଜୁ ହୋଇଛି । ତଦନ୍ତ ଜାରି ରହିଛି ଓ ସେହି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଡିଏମକେର ଅନେକ କାର୍ଯ୍ୟକର୍ତ୍ତା ଅଭିଯୋଗକୁ ଖଣ୍ଡନ କରିବା ସହ ମନ୍ତ୍ରୀଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ