ହାଇଦ୍ରାବାଦ: ସାଧାରଣତଃ ଅମୃତଭଣ୍ଡା ଗଛରେ ଗୋଟିଏ ଶାଖା ଥାଏ । କେଉଁଠି କେଉଁଠି ଆପଣ ଭଣ୍ଡା ଗଛରେ ଦୁଇରୁ ତିନୋଟି ଶାଖା ହୁଏତ ଦେଖି ଥାଇପାରନ୍ତି । କିନ୍ତୁ ୧୩ ଶାଖା ଥିବା ଗୋଟିଏ ଭଣ୍ଡା ଗଛ କେବେ ଦେଖିଛନ୍ତି କି ? କଥାଟା ସହଜରେ ବିଶ୍ବାସ ହେଉନଥିବେ ବି ଏଭଳି ଏକ ବିରଳ ଭଣ୍ଡା ଗଛ ଦେଖିବାକୁ ମିଳିଛି ତେଲେଙ୍ଗାନାର ଆଦିଲାବାଦ ଜିଲ୍ଲାରେ । ଏହି ଗଛରେ ଏକାଥରେ ୧୩ଟି ଶାଖା ଥିବାର ଦେଖିବାକୁ ମିଳିଛି । ପ୍ରତିଟି ଶାଖାରେ ୧୫ରୁ ୨୦ଟି ଭଣ୍ଡା ଝୁଲି ରହିଛି । ଯାହାକି ସ୍ଥାନୀୟ ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିଛି ।
ଘଟଣାଟି ଆଦିଲାବାଦ ଜିଲ୍ଲା ନେୱାନନ୍ତପୁରର । ସାମ୍ବାଜୀ ନାମକ ଜଣେ ଚାଷୀ ନିଜ ବାଡ଼ିରେ ଏହି ଭଣ୍ଡା ଗଛକୁ ଲଗାଇଛନ୍ତି । ଏହି ବିରଳ ଗଛକୁ ନେଇ ଚାଷୀ ଜଣକ କହିଛନ୍ତି, ''ଦୁଇ ବର୍ଷ ତଳେ ମୁଁ ମହାରାଷ୍ଟ୍ରରେ ଏହି ଭଣ୍ଡା ମଞ୍ଜି ଆଣି ବାଡିରେ ପୋତିଥିଲି । ଗଛରେ କେବେ କୌଣସ କୀଟନାଶକର ମଧ୍ୟ ବ୍ୟବହାର କରିନି ।'' ଏହାସତ୍ତ୍ବେ ଏହି ଗଛରେ ଏତେ ସଂଖ୍ୟକ ଶାଖା ସହିତ ଅମୃତଭଣ୍ଡା ଲଦି ହୋଇଛି । ବର୍ତ୍ତମାନ ଗଛରେ ୧୫୦ରୁ ଅମୃତଭଣ୍ଡା ଫଳିଛି ।
ଏହା ମଧ୍ୟ ପଢନ୍ତୁ: ଚୋରି କରି ଫସିଲା ଚୋର, ଟ୍ରେନରେ ଝୁଲି ରହିବାର ଭିଡିଓ ହେଲା ଭାଇରାଲ
ଏହା ମଧ୍ୟ ପଢନ୍ତୁ: ବର ସାଜିଲା ବାଛୁରୀ, ଧୁମଧାମରେ ଗଲେ ବରଯାତ୍ରୀ
ଏହି ଭଣ୍ଡା ଗଛ ସମ୍ପର୍କରେ ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ଶ୍ରୀନିବାସ ରେଡ୍ଡିଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଏହା ଏକ ବିରଳ ଅମୃତଭଣ୍ଡା ଗଛ । ସାଧାରଣତଃ ଭଣ୍ଡା ଗଛରେ ଏତେ ସଂଖ୍ୟକ ଶାଖା ନଥାଏ । ଉର୍ବର ମାଟି ଯୋଗୁଁ ଏଭଳି ହୋଇଛି । ଆଖପାଖର ଗଛ ପତ୍ର ମାଟିରେ ପଡି ଖତରେ ପରିଣତ ହେବାରୁ ଭଣ୍ଡା ଗଛଟିର ଏହି ବୃଦ୍ଧି ହେବା ସହିତ ଭଲ ଫଳ ଫଳୁଛି । ଏବେ ଗଛ ସାରା ଅମୃତଭଣ୍ଡା ଲଦି ହୋଇଛି ।
ବର୍ତ୍ତମାନର ସୋସିଆଲ ମିଡିଆ ଯୁଗରେ ବିଭିନ୍ନ ସମୟରେ ଅନେକ ତାଜୁବ କଲାଭଳି ଦୃଶ୍ୟ ସାମ୍ନାକୁ ଆସୁଛି । ଯାହାକୁ ବେଳେବେଳେ ବିଶ୍ବାସ କରିବା ମଧ୍ୟ ସମ୍ଭବ ହୁଏନି । ଆଦିଲାବାଦର ଚାଷୀ ସାମ୍ବାଜୀ ଭଣ୍ଡା ଗଛ ମଧ୍ୟ ସେହି ଘଟଣାରୁ ଗୋଟିଏ । ସାମ୍ବାଜୀଙ୍କ ବିରଳ ଭଣ୍ଡା ଗଛ ଦେଖିବାକୁ ଆଖପାଖର ଲୋକେ ଆସୁଛନ୍ତି । ଆଉ ଗଛକୁ ଦେଖି ତାଜୁବ ମଧ୍ୟ ହେଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ