ହାଇଦ୍ରାବାଦ: ପ୍ରକାଶ ପାଇଲା ବିବାଦୀୟ NEET UG ୨୦୨୪ ରେଜଲ୍ଟ । ନେସନ୍ୟାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ଏହି ରେଜଲ୍ଟ ପ୍ରକାଶିତ ହୋଇଛି । ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ଫଳାଫଳ ସହର ଓ ସେଣ୍ଟର ଅନୁଯାୟୀ ଜାରି କରାଯାଇଛି । ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ସେମାନଙ୍କ ରେଜଲ୍ଟ NTA NEET ଅଫିସିଆଲ୍ ଓ୍ବେବସାଇଟ exam.nta.ac.in/NEET/ ରେ ପାଇପାରିବେ । ତେବେ ଏହା ଛଡା neet.ntaonline.in ଓ୍ବେସସାଇଟରେ ମଧ୍ୟ ରେଜଲ୍ଟ ଉପଲବ୍ଧ ଥିବା ବେଳେ ଏଥିରୁ ମଧ୍ୟ ରେଜଲ୍ଟ ଜାଣିହେବ ।
ସୂଚନାଯୋଗ୍ୟ ଜୁଲାଇ ୧୮ ତାରିଖ ଦିନ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2024 ପେପରଲିକ୍ ଘଟଣାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ଶୁଣାଇଥିଲେ । ସେଣ୍ଟର ଅନୁଯାୟୀ ଅନଲାଇନରେ ସମସ୍ତ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ପ୍ରକାଶ କରିବାକୁ NTAକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ଫଳାଫଳ ଘୋଷଣା କରିଛି NTA ।
ଗୁରୁବାର ଶୁଣାଣି ସମୟରେ NEET-UG ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ମିଳିଥିବା ମାର୍କକୁ NTA ୱେବସାଇଟରେ ଜୁଲାଇ 20 ମଧ୍ୟାହ୍ନ 12ଟା ସୁଦ୍ଧା ପ୍ରକାଶ କରିବାକୁ NTAକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏହାସହିତ ପରୀକ୍ଷାର୍ଥୀଙ୍କ ପରିଚୟ ଗୁପ୍ତ ରଖିବା ସହ ରେଜଲ୍ଟକୁ ସହର ଓ କେନ୍ଦ୍ର ଅନୁଯାୟୀ ପୃଥକ ଭାବରେ ୱେବସାଇଟରେ ପ୍ରକାଶ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ 22ତାରିଖକୁ ଧାର୍ଯ୍ୟ କରାଯାଇଛି ।
ସୂଚନା ଯୋଗ୍ୟ, ମେ’ 5 ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ 24 ଲକ୍ଷ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ । ଜୁନ 4ରେ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ପ୍ରାୟ 67 ଜଣ ପରୀକ୍ଷାର୍ଥୀ 720ରୁ 720 ମାର୍କ ରଖିଥିଲେ । ଏହାପରେ ପେପରଲିକ୍ ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାରେ ଏବେସୁଦ୍ଧା ସିବିଆଇ ୬୦ରୁ ଉର୍ଦ୍ଧୱ ଜଣଙ୍କୁ ଗିରଫ କରିସାରିଥିବା ବେଳେ ଏହି ମାମଲାର ତଦନ୍ତ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ