ହାଇଦ୍ରାବାଦ: ଆଜି ଜାତୀୟ ପର୍ଯ୍ୟଟନ ଦିବସ । ପ୍ରତିବର୍ଷ ଜାନୁଆରୀ ମାସ 25 ତାରିଖକୁ ଜାତୀୟ ପର୍ଯ୍ୟଟନ ଦିବସ ଭାବେ ପାଳନ କରାଯାଏ । ଭାରତରେ ପର୍ଯ୍ୟଟନର ଗୁରୁତ୍ବ ଉପରେ ସଚେତନତା ସୃଷ୍ଟି କରିବା ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଏହି ଦିବସର ମୂଳ ଉଦ୍ଦେଶ୍ୟ । ଭାରତ ସରକାରଙ୍କ ଦ୍ବାରା ଏହି ଦିବସ ପ୍ରତିଷ୍ଠା କରାଯାଇଥିଲା ।
ପର୍ଯ୍ୟଟନ କେବଳ ଏକଂ ଅଂଶ ନୁହେଁ ବରଂ ଏହା ଦେଶର ଅର୍ଥନୀତିର ଏକ ଅଂଶ ଅଟେ । ଦେଶର ଅର୍ଥନୀତିରେ ପର୍ଯ୍ୟଟନ କ୍ଷେତ୍ରର ଭୂମିକା ଉପରେ ଆଲୋକପାତ କରିବା ଏହି ଦିବସର ମୂଳ ଉଦ୍ଦେଶ୍ୟ ଅଟେ । ତେବେ ପ୍ରତ୍ୟକ ବର୍ଷ ଏକ ଥିମ ନେଇ ଜାତୀୟ ପର୍ଯ୍ୟଟନ ଦିବସ ପାଳନ କରାଯାଇଥାଏ । ଚଳିତ ବର୍ଷର ଥିମ ରହିଛି 'ନିରନ୍ତର ଯାତ୍ରା, ସମୟାତିତ ସ୍ମୃତି ।'
ଜାତୀୟ ପର୍ଯ୍ୟଟନ ଦିବସର ଇତିହାସ: ଦେଶ ସ୍ବାଧୀନତା ହେବା ପରବର୍ଷ ଅର୍ଥାତ 1948 ମସିହାରେ ଆରମ୍ଭ ହୋଇଥିଲା ଜାତୀୟ ପର୍ଯ୍ୟଟନ ଦିବସ । ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ 1948 ମସିହାରେ ଏକ ଟ୍ରାଫିକ କମିଟି ଗଠନ କରାଯାଇଥିଲା । କମିଟି ଗଠନ ହେବାର 3 ବର୍ଷ ପରେ ଅର୍ଥାତ 1951 ମସିହାରେ କୋଲକାତା ଏବଂ ଚେନ୍ନାଇରେ ପର୍ଯ୍ୟଟନ ଦିବସର ଆଞ୍ଚଳିକ କାର୍ଯ୍ୟାଳୟ ଆରମ୍ଭ ହୋଇଥିଲା । ପରେ ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତାରେ ମଧ୍ୟ ପର୍ଯ୍ୟଟନ କାର୍ଯ୍ୟାଳୟ ନିର୍ମାଣ କରାଯାଇଥିଲା । ଏହାପରେ ସରକାର ଜାତୀୟ ପର୍ଯ୍ୟଟନ ଦିବସ ପାଳନ କରିବା ନେଇ ନିଷ୍ପତ୍ତି ନେଇଥିଲେ ।
ଏହା ମଧ୍ୟ ପଢନ୍ତୁ: World Tourism Day 2021: ଆର୍ଥିକ ବିକାଶ କ୍ଷେତ୍ରରେ ପର୍ଯ୍ୟଟନ ସ୍ଥଳୀ ଗୁରୁତ୍ବପୂର୍ଣ୍ଣ
ଭାରତରେ ସଂସ୍କୃତି, ଐତିହ୍ୟ, ଇକୋ ଟୁରିଜମ ଇତ୍ୟାଦି ବିଭିନ୍ନ ପ୍ରକାରର ପର୍ଯ୍ୟଟନ ରହିଛି । ଭାରତକୁ ବିଶ୍ବ ସ୍ତରରେ ପର୍ଯ୍ୟଟକଙ୍କ ପାଇଁ ବିଶ୍ବସ୍ତରୀୟ ଗନ୍ତବ୍ୟସ୍ଥଳ ଭାବେ ପ୍ରୋତ୍ସାହିତ କରିବା ପାଇଁ ଏହି ଦିବସ ପାଳନ କରାଯାଏ । ପର୍ଯ୍ୟଟନ ଶିଳ୍ପ ସହିତ ଜଡିତ ବ୍ୟକ୍ତିବିଶେଷମାନଙ୍କର ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥାଏ । ଭାରତରେ 2ଥର ପର୍ଯ୍ୟଟନ ଦିବସ ପାଳନ କରାଯାଇଥାଏ । ଜାନୁଆରୀ 25 ତାରିଖକୁ ଜାତୀୟ ପର୍ଯ୍ୟଟନ ଦିବସ ଭାବେ ପାଳନ କରାଯାଏ ଏବଂ ସେପ୍ଟେମ୍ବର 27 ତାରିଖକୁ ବିଶ୍ବ ପର୍ଯ୍ୟଟନ ଦିବସ ଭାବେ ପାଳନ କରାଯାଏ ।
ଜାତୀୟ ପର୍ଯ୍ୟଟନ ଦିବସର ଉଦ୍ଦେଶ୍ୟ: ପର୍ଯ୍ୟଟନ କ୍ଷେତ୍ରର ଗୁରୁତ୍ୱ ବିଷୟରେ ଜନସଚେତନତା ସୃଷ୍ଟି କରିବା ଏବଂ ଏହାର ସାମାଜିକ, ରାଜନୈତିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ଅବଦାନ ଦୃଷ୍ଟିରୁ ପର୍ଯ୍ୟଟନର ମୂଲ୍ୟ ବିଷୟରେ ବିଶ୍ୱସ୍ତରୀୟ ସଚେତନତା ସୃଷ୍ଟି କରିବା ଜାତୀୟ ପର୍ଯ୍ୟଟନ ଦିବସର ଉଦ୍ଦେଶ୍ୟ ଅଟେ । ଦେଶର ଅର୍ଥବ୍ୟବସ୍ଥା ପାଇଁ ପର୍ଯ୍ୟଟନର ଗୁରୁତ୍ୱକୁ ଆଲୋକପାତ କରିବା ପାଇଁ ଏହି ଦିନ ପାଳନ କରାଯାଏ । ଦେଶର ମୋଟ ଜିଡିପିର 9.2 ପ୍ରତିଶତ ଏବଂ ରୋଜଗାରର 8.1 ପ୍ରତିଶତ ଏହି କ୍ଷେତ୍ରର ଯୋଗଦାନ ରହିଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ