ଭୋପାଳ : ମନ୍ତ୍ରୀ ପୁଅଙ୍କ ଗୁଣ୍ଡାରାଜ ! ମଧ୍ୟପ୍ରଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ନରେନ୍ଦ୍ର ଶିବାଜୀ ପଟେଲଙ୍କ ପୁଅଙ୍କ ନାଁରେ ସାଂଘାତିକ ଅଭିଯୋଗ । ସାମ୍ବାଦିକ ଓ ତାଙ୍କ ପତ୍ନୀଙ୍କୁ ନିଜ ସାଙ୍ଗମାନଙ୍କ ସହ ମିଶି ମାରପିଟ କରିବା ସହ ଧମକ ଦେଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ତେବେ ଏତଲା ଦେବାକୁ ନେଇ ଥାନା ପରିସରରେ ମଧ୍ୟ ଦୀର୍ଘ ସମୟ ଧରି ଝଗଡା ହୋଇଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ପୁଅକୁ ବଞ୍ଚାଇବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଥାନାକୁ ଯିବାକୁ ପଡିଥିଲା ।
ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଶାହପୁରା ଥାନା ଅଞ୍ଚଳରେ ରବିବାର ରାତିରେ ସ୍ୱାସ୍ଥ୍ୟମନ୍ତ୍ରୀ ନରେନ୍ଦ୍ର ଶିବାଜୀ ପଟେଲଙ୍କ ପୁଅ ମାରପିଟ କରୁଥିବା ଅଭିଯୋଗ ଆସିଛି । ସୂଚନା ଅନୁଯାୟୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପୁଅ ଅଭିଯାନ ପଟେଲ ନିଜ କିଛି ସାଙ୍ଗମାନଙ୍କ ସହ ବୁଲୁଥିବା ବେଳେ ଜଣେ ସାମ୍ୱାଦିକ ଡ୍ୟୁଟିରୁ ନିଜ ପତ୍ନୀଙ୍କ ସହ ଘରକୁ ଫେରୁଥିଲେ । ଏହି ସମୟରେ ଟ୍ରାଫିକ ସିଗ୍ନାଲ ଦେଖି ରାସ୍ତାରେ ଗାଡି ଅଟକାଇ ଛିଡା ହୋଇଥିବା ସମୟରେ ପଛରୁ ଅଭିଯାନଙ୍କ ଗାଡି ହର୍ଣ୍ଣ ମାରିଥିଲା । ଏହି ସମୟରେ ସାମ୍ବାଦିକ ଜଣକ ତାଙ୍କୁ ପଛକୁ ଅନାଇ ଚାହିଁଥିଲେ । ଏହାକୁ ନେଇ ଅଭିଯାନ ଓ ସାମ୍ବାଦିକଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ସାମ୍ବାଦିକଙ୍କୁ ଅଟକାଇ ନିଜ ସାଙ୍ଗମାନଙ୍କ ସହ ମିଶି ମାରପିଟ କରିଥିଲେ ।
ନିଜକୁ ବଞ୍ଚାଇବା ପାଇଁ ସାମ୍ବାଦିକ ଜଣକ ନିକଟରେ ଥିବା ଏକ ରେଷ୍ଟୁରାଣ୍ଟ ପଶିଯାଇଥିଲେ ମଧ୍ୟ ସେଠାରେ ମଧ୍ୟ ତାଙ୍କୁ ପିଟିଥିଲେ ମନ୍ତ୍ରୀ ପୁଅ ଓ ତାଙ୍କର ସାଙ୍ଗମାନେ । ରେଷ୍ଟୁରାଣ୍ଟ ମାଲିକ ସାମ୍ବାଦିକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କୁ ମଧ୍ୟ ମାଡ ମାରିଥିଲେ । ରେଷ୍ଟୁରାଣ୍ଟ ମାଲିକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଏନେଇ ନେଇ ସାମ୍ବାଦିକ ଜଣଙ୍କ ଅଭିଯୋଗ କରିବା ପାଇଁ ଥାନାରେ ପହଞ୍ଚିବା ବେଳକୁ ତାଙ୍କ ପଛରେ ମନ୍ତ୍ରୀଙ୍କ ପୁଅ ଅଭିଯାନ ମଧ୍ୟ ଆସିଥିଲା । ଥାନାରେ ପହଞ୍ଚିବା ପରେ ପୋଲିସ ଅଧିକାରୀଙ୍କ ସହ ମଧ୍ୟ ଝଗଡା କରିଥିଲା ମନ୍ତ୍ରୀଙ୍କ ପୁଅ । ଦୀର୍ଘ ସମୟ ଧରି ଥାନା ପରିସରରେ ଅପ୍ରିତିକର ସ୍ଥିତି ଦେଖିବାକୁ ମିଳିଥିଲା । ଏଭଳିକି ମନ୍ତ୍ରୀ ମଧ୍ୟ ନିଜେ ପୁଅକୁ ବଞ୍ଚାଇବାକୁ ଥାନାରେ ପହଞ୍ଚିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ