ଭୋପାଳ: ମଧ୍ୟପ୍ରଦେଶର ଶେହଦୋଲ ଅଞ୍ଚଳରେ ବାଲି ମାଫିଆଙ୍କର ଆତଙ୍କରାଜର ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ବେଆଇନ ବାଲି ଚାଲାଣ ବେଳେ ଚେକିଂ କରୁଥିବା ଜଣେ ପୋଲିସ ଅଧିକାରୀଙ୍କୁ ଟ୍ରାକ୍ଟର ଚଢାଇ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ମାଫିଆ । ହତ୍ୟାର ଶିକାର ହୋଇଥିବା ଅଧିକାରୀଙ୍କ ନାମ ମହେନ୍ଦ୍ର ବାଗରି ଓ ସେଶେହଦୋଲ ଥାନାରେ ଜଣେ ସବ-ଇନିସପେକ୍ଟରର ଭାବେ କାର୍ଯ୍ୟରତ ଥିଲେ । ଗତକାଲି ସଂଧ୍ୟାରେ ନିକଟସ୍ଥ ଘାଟରେ ବାଲି ଚାଲାଣ ହେଉଥିବା ସୂଚନା ମିଳିବା ପରେ ତାଙ୍କ ନେତୃତ୍ବାଧୀନ ଟିମ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ତାଙ୍କ ଉପରେ ଟ୍ରାକ୍ଟର ଚଢାଇ ମାଫିଆ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଅନ୍ୟ ଦୁଇଜଣ ସହଯୋଗୀ ଅଳ୍ପକେ ବର୍ତ୍ତି ଯାଇଥିଲେ ସୁଦ୍ଧା ଘଟଣାସ୍ଥଳରେ ହିଁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି ।
ସୂଚନା ଅନୁସାରେ, ଗତକାଲି ବେଆଇନ ବାଲି ଚାଲାଣ ରୋକିବା ପାଇଁ ସବ-ଇନସପେକ୍ଟର ମହେନ୍ଦ୍ର ବାଗରି ନିଜର ଦୁଇ ସହଯୋଗୀ କନେଷ୍ଟବଳଙ୍କୁ ସାଙ୍ଗରେ ଧରି ବାଲିଘାଟରେ ପହଞ୍ଚିଥିଲେ । ସେମାନେ ଚେକିଂ କରିବା ସହ ରାସ୍ତାରେ ଘେରାବନ୍ଦୀ ମଧ୍ୟ କରିଥିଲେ । ଏହି ସମୟରେ ବେଆଇନ ବାଲି ବୋଝେଇ କରି ଆସୁଥିବା ଏକ ଟ୍ରାକ୍ଟରକୁ ସେମାନେ ରୋକିବାକୁ ପ୍ରୟାସ କରିଥିଲେ । ଅଧିକାରୀ ମହେନ୍ଦ୍ର ବାଗରିଙ୍କ ଉପରେ ଗାଡି ମଡାଇଦେଇ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୁଇ କନେଷ୍ଟବଳ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ସ୍ଥାନୀୟ ଅଞ୍ଚଳରେ ବ୍ୟାପାକ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି । ବେଆଇନ ବାଲି ଉତ୍ତୋଳନ ଓ ବାଲି ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ଥାନୀୟ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି ।
ପୋଲିସ କହିଛି, ଟ୍ରାକ୍ଟର ଚଳାଉଥିବା ଅଭିଯୁକ୍ତକୁ ଚିହ୍ନଟ କରାଯାଇ ସାରିଛି । ସେ ଏବେ ଫେରାର ରହିଛି । ତା’ ସମ୍ପର୍କରେ ସୂଚନା ଦେଲେ 30ହଜାର ଟଙ୍କା ପୁରସ୍କାର ଘୋଷଣା କରିଛି ପୋଲିସ । ବେଆଇନ ବାଲି ଖନନରେ ସମ୍ପୃକ୍ତ ଥିବା ମାଫିଆଙ୍କ ବିରୋଧରେ ସ୍ବତନ୍ତ୍ର କାର୍ଯ୍ୟାନୁଷ୍ଠାନ ଡ୍ରାଇଭ ଆରମ୍ଭ କରିବାକୁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ମିଶନ ଆରମ୍ଭ କରିଛି । ତେବେ ଜଣେ ପୋଲିସ ଅଧିକାରୀଙ୍କୁ ଟ୍ରାକ୍ଟର ଚଢାଇ ହତ୍ୟା କରିବା ପରେ ବାଲି ମାଫିଆ ଫେରାର ମାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ