ଶ୍ରୀନଗର: ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ମଇଦାନକୁ ଓହ୍ଲାଇଛନ୍ତି ନେତା । ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ପାଇଁ ଉଧମପୁରରେ ପହଞ୍ଚିଛନ୍ତି । ଏହି ସମୟରେ ଏକ ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଜମ୍ମୁ-କାଶ୍ମୀରକୁ ଖୁବ ଶୀଘ୍ର ମାନ୍ୟତା ମିଳିବ ଏବଂ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ବୋଲି କହିଛନ୍ତି ମୋଦି ।
ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବା ସମୟରେ କହିଛନ୍ତି, "କଂଗ୍ରେସର ଦୁର୍ବଳ ସରକାର ଶାହପୁର କାଣ୍ଡି ଡ୍ୟାମକୁ 10 ବର୍ଷ ପର୍ଯ୍ୟନ୍ତ ବିଚାରଧୀନ ଅବସ୍ଥାରେ ରଖିଥିଲେ । ଏହି କାରଣରୁ ଜମ୍ମୁର ଅନେକ ଗ୍ରାମରେ ଜଳାଶୟ ଶୁଖିଯାଇଥିଲା । କଂଗ୍ରେସ ସରକାର ସମୟରେ ରାବି ନଦୀରୁ ଯେଉଁ ଜଳ ଆସୁଥିଲା ତାହା ପାକିସ୍ତାନ ଯାଉଥିଲା । ତେବେ ଲୋକେ ପ୍ରକୃତ ସତ୍ୟାସତ୍ୟ ଜାଣିବା ପରେ ଭ୍ରମର ମାୟାଜାଲ ଆଉ ଚାଲୁ ନାହିଁ । ଗତ ଦଶ ବର୍ଷ ମଧ୍ୟରେ ଆମେ ଆତଙ୍କବାଦୀ ଏବଂ ଦୁର୍ନୀତିଗ୍ରସ୍ତ ଲୋକଙ୍କ ଉପରେ ନଜର ରଖିଛୁ । ଆସନ୍ତା 5 ବର୍ଷ ମଧ୍ୟ ଆମକୁ ଏହି ରାଜ୍ୟ ବିକାଶ ଉପରେ କାର୍ଯ୍ୟ କରିବାକୁ ପଡିବ । ଗତ 10 ବର୍ଷ ମଧ୍ୟରେ ଜାମ୍ମୁ କାଶ୍ମୀର ସମ୍ପୁର୍ଣ୍ଣ ଭାବେ ପରିବର୍ତ୍ତନ ହୋଇଛି ।"
ଜନସଭାକୁ ସମ୍ବୋଧନ କରି ମୋଦି ଆହୁରି ମଧ୍ୟ କହିଛନ୍ତି, "ମୋଦି ସରକାର ସବୁବେଳେ ଆଗୁଆ ଚିନ୍ତା କରନ୍ତି । ତେଣୁ ବର୍ତ୍ତମାନ ସୁଦ୍ଧା ଯାହା ହୋଇଛି ତାହା ଟ୍ରେଲର ମାତ୍ର । ଜମ୍ମୁ କାଶ୍ମୀରରେ ନୂଆ ଚିତ୍ର ସୃଷ୍ଟି କରିବାରେ ଆମକୁ ଭାବିବାକୁ ହେବ । ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ମିଳିବ । ଆପଣମାନେ ବିଧାୟକ ଏବଂ ମନ୍ତ୍ରୀଙ୍କ ସହିତ ସ୍ବପ୍ନ ବାଣ୍ଟିବାରେ ସମର୍ଥ ହେବେ । "
କଂଗ୍ରେସକୁ ଟାର୍ଗେଟ: ଉଧମପୁରରେ କଂଗ୍ରେସକୁ ଧୋଇଲେ ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, ବର୍ତ୍ତମାନ ଜମ୍ମୁ କାଶ୍ମୀରରେ ସ୍କୁଲକୁ ଜଳାଯାଉ ନାହିଁ ବରଂ ନିର୍ମାଣ କରାଯାଉଛି । ପରିବାରବାଦକୁ ଆକ୍ଷେପ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଧାରା 370 ଉଚ୍ଛେଦକୁ ନେଇ ମୋଦି କହିଛନ୍ତି, "ଆପଣମାନଙ୍କ ଆଶୀର୍ବାଦ ଯୋଗୁଁ କାଶ୍ମୀରରୁ ଧାରା 370 ଉଚ୍ଛେଦ କରିବାରେ ସଫଳ ହୋଇପାରିଛି । ମୁଁ କଂଗ୍ରେସକୁ ଧାରା 370 ଫେରାଇ ଆଣିବାକୁ ଚାଲେଞ୍ଜ କରୁଛି । ସତ୍ତା ପାଇଁ ଜମ୍ମୁ କାଶ୍ମୀରରେ ଧାରା 370ର ଏକ ପାଚେରୀ କରାଯାଇଥିଲା ।"
ଦେଶରେ ଏକ ଶସକ୍ତ ସରକାର ଗଠନ କରିବା ନିର୍ବାଚନର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଶକ୍ତିଶାଳୀ ସରକାର ଅନେକ ଚାଲେଞ୍ଜରେ ମଧ୍ୟ କାର୍ଯ୍ୟ କରି ସଫଳ ହୋଇଛନ୍ତି । ଆଜିକା ସମୟରେ ଗରିବମାନେ ମାଗଣାରେ ରାସନ ପାଉଛନ୍ତି । 10 ବର୍ଷ ପୂର୍ବେ କାଶ୍ମୀରର ଗାଁରେ ବିଦ୍ୟୁତ୍, ଜଳ ଏବଂ ରାସ୍ତା ନଥିଲା । ମୋଦିଙ୍କ ଗ୍ୟାରେଣ୍ଟି ଅର୍ଥ ହେଉଛି ଗ୍ୟାରେଣ୍ଟି ପୂରଣର ଗ୍ୟାରେଣ୍ଟି । ଆଜି ଆପଣଙ୍କ ଆଶୀର୍ବାଦ ସହିତ ମୋଦି ସରକାର ତାଙ୍କ ଗ୍ୟାରେଣ୍ଟି ପୂରଣ କରିଛନ୍ତି । ତେବେ ଦେଶର ପ୍ରତି କୋଣ ଅନୁକୋଣରେ ମୋଦି ନାରା ଶୁଭୁଛି । ଫିର ଏକ ବାର ମୋଦି ସରକାର ଅର୍ଥାତ ପୁଣି ଥରେ ମୋଦି ସରକାର ନାରା ଦେଉଛନ୍ତି ଲୋକେ ।"