ନୂଆଦିଲ୍ଲୀ: ଗତକାଲି ଆରବ ଉପକୂଳରୁ ଇରାନ ସେନା ଏକ ଇସ୍ରାଏଲୀ କାର୍ଗୋ ଜାହାଜକୁ ଜବତ କରିନେଇଛି । ଏହା ଏବେ ଆରବ ସାଗରରେ ଇରାନ ସେନା କବଜାରେ ରହିଛି । ସେଥିରେ 17 ଭାରତୀୟ ନାବିକଙ୍କ ସହ ଏକାଧିକ ଦେଶର ମୋଟ 25 ନାବିକ ଥିଲେ । ସମସ୍ତ ଭାରତୀୟ ନାବିକଙ୍କ ମୁକ୍ତି ପାଇଁ ଇରାନ ବିଦେଶ ମନ୍ତ୍ରୀଙ୍କ ସହ ଆଜି କଥା ହୋଇଛନ୍ତି ବିଦେଶ ବ୍ୟାପାର ମନ୍ତ୍ରୀ ଜୟଶଙ୍କର । ଭାରତୀୟଙ୍କୁ ସୁରକ୍ଷିତ ମୁକ୍ତ କରିବା ପାଇଁ ଆଜି ଏହି ଆଲୋଚନା ହୋଇଥିବା ଜୟଶଙ୍କର ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଭାରତ ଇରାନ ସହ ଯୋଗାଯୋଗରେ ରହିଥିବା ଜୟଶଙ୍କର କହିଛନ୍ତି ।
କଥାବାର୍ତ୍ତା ସମ୍ପର୍କରେ ଜୟଶଙ୍କର କହିଛନ୍ତି ଯେ, ଉଭୟ ଭାରତୀୟଙ୍କ ମୁକ୍ତି ସମ୍ପର୍କରେ ଆଲୋଚନା କରିବା ସହ ବର୍ତ୍ତମାନର ସ୍ଥିତି ଉପରେ ମଧ୍ୟ ଆଲୋଚନା କରିଛନ୍ତି । ଭାରତ ପକ୍ଷରୁ ହିଂସା ଛାଡି କୂଟନୈତିକ ଆଲୋଚନା ମାଧ୍ୟମରେ ଇସ୍ରାଏଲ ସହ ସୃଷ୍ଟି ହୋଇଥିବା ତିକ୍ତତାକୁ ସମାଧାନ କରିବା ପାଇଁ ଇରାନ ନିକଟରେ ପ୍ରସ୍ତାବ ମଧ୍ୟ ରଖାଯାଇଛି । ଉଭୟ ବିଦେଶ ମନ୍ତ୍ରୀ ଆଜି ଏହି ଆଲୋଚନା ସହ ଯୋଗାଯୋଗ ବଜାୟ ରଖିବାକୁ ମଧ୍ୟ ସହମତ ହୋଇଥିବା ଜୟଶଙ୍କର କହିଛନ୍ତି ।
ଗତକାଲି ଅପରାହ୍ନରେ ଆରବ ଉପକୂଳରୁ ଇରାନ ଜବତ କରିନେଇଥିବା ଇସ୍ରାଏଲୀ ଜାହାଜରେ ମୋଟ 25 କ୍ରୁୟ ସଦସ୍ୟ ଥିବା ବେଳେ ସେଥିମଧ୍ୟରେ 17 ଜଣ ଭାରତୀୟ ରହିଛନ୍ତି । ଇରାନ ନିୟନ୍ତ୍ରିତ ଆରବ ସାଗର ଜଳରାଶିରେ ଏହି ଜାହାଜଟି ରହିଛି । ଜାହାଜରେ ନାବିକ ଓ ଅନ୍ୟ କର୍ମଚାରୀଙ୍କୁ ମିଶାଇ ଏକାଧିକ ଦେଶର ମୋଟ 25ଜଣ କ୍ର୍ୟୁ ସଦସ୍ୟ ଥିଲେ । ଜାହାଜ ଓ କର୍ମଚାରୀଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ନିଶ୍ଚିତ କରିବା ପାଇଁ ମଧ୍ୟ କମ୍ପାନୀ ଏକ ବିବୃତ୍ତିରେ ଅନୁରୋଧ କରିଥିଲା ।
ଏହା ମଧ୍ୟ ପଢନ୍ତୁ:- ଇରାନ ଜବତ କରିଥିବା ଇସ୍ରାଏଲୀ ଜାହାଜରେ 17 ଭାରତୀୟ ! - Ship Seized By Iran Off UAE Coast
25 ବନ୍ଦୀ ନାବିକଙ୍କ ମଧ୍ୟରେ ସର୍ବାଧିକ 17 ଭାରତୀୟ ନାଗରିକ ଅଛନ୍ତି । ନୂଆଦିଲ୍ଲୀ ମଧ୍ୟ ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଦ୍ବିପାକ୍ଷିକ ପ୍ରକ୍ରିୟା ଆରମ୍ଭ କରିସାରିଛି । ଆଜି ଏହିକ୍ରମରେ ବିଦେଶ ମନ୍ତ୍ରୀ ଜୟଶଙ୍କର ନିଜ ଇରାନ ପ୍ରତିପକ୍ଷଙ୍କ ସହ ଟେଲିଫୋନିକ୍ ବାର୍ତ୍ତାଳାପ କରିଛନ୍ତି । ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ସଂଘର୍ଷ ସ୍ଥିତି ଉପରେ ଭାରତ ସମେତ ସମଗ୍ର ବିଶ୍ବର ନଜର ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ