ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାଥରସରେ ବଡ଼ ଦୁର୍ଘଟଣା । ପିକଅପ ଭ୍ୟାନକୁ ଧକ୍କା ଦେଲା ବସ୍ । ଫଳରେ 12ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 16 ଜଣ ଆହତ ହୋଇଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ଘଟିଛି ଏହି ଦୁର୍ଘଟଣା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ତେବେ ମୃତକ ସଭିଏଁ ଏକ ଦଶାହ ଭୋଜି ଖାଇ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ।
ପିକଅପ ଭ୍ୟାନକୁ ଧକ୍କା ଦେଲା ବସ୍:
ସୂଚନା ଅନୁସାରେ, ହାଥରସ ଚନ୍ଦପା କୋତବାଲି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ମିତଇ ବାଇପାସ ରୋଡରେ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଅଲ୍ଲିଗଡ ଡିପୋରୁ ଯାଉଥିବା ବସ ପିକଅପକୁ ଧକ୍କା ଦେଇଥିଲା । ଫଳରେ ଏଥିରେ 12 ଜଣ ପ୍ରାଣ ହରାଇଛନ୍ତି । ଅଟୋରେ ପୁରୁଷ, ମହିଳା ଓ ଶିଶୁ ମଧ୍ୟ ଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିସହ ଅଘଟଣ ସମ୍ପର୍କରେ ଜଣାପଡିବା ପରେ ଏସପି, ଜିଲ୍ଲାପାଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।
ଏହା ମଧ୍ୟ ପଢନ୍ତୁ: 700 ଫୁଟ ତଳକୁ ଖସିଲା ସେନା ଗାଡି, 4 ଯବାନ ଶହୀଦ
ଓଭରଟେକରୁ ଦୁର୍ଘଟଣା :
ହାଥରସ ଜିଲ୍ଲାପାଳ ଆଶିଷ କୁମାର କହିଛନ୍ତି, ଆଗ୍ରା-ଅଲିଗଡ ରାସ୍ତାରେ ଯାଉଥିବା ବସ୍ ଓଭରଟେକ କରିବାକୁ ଯାଇ ପିକଅପ ଭ୍ୟାନକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ 12ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ 16 ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ 4 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ ହାୟର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: ହିଞ୍ଜିଳି ଦୁର୍ଘଟଣା: ସଡ଼କ ଦୁର୍ଘଟଣାର ଯେପରି ପୁନରାବୃତ୍ତି ନ ହେବେ ସେଥି ପ୍ରତିଧ୍ୟାନ ଦିଆଯିବ କହିଲେ ପରିବହନ ମନ୍ତ୍ରୀ
ଦଶାହ ଭୋଜି ଖାଇ ଫେରୁଥିଲେ ଘଟିଲା ଅଘଟଣ:
ଏସପି ନିପୁଣ ଅଗ୍ରୱାଲଙ୍କ ସୂଚନା ଅନୁସାରେ, ଦୁର୍ଘଟଣାର ଶିକାର ହୋଇଥିବା ସଭିଏଁ ଖୋନ୍ଦୋଲି ଯାଉଥିଲେ । ବାଟରେ ଦୁର୍ଘଟଣାର ଶିକାର ହେଲେ । ବସ ଡ୍ରାଇଭରକୁ ଗିରଫ କରିବାକୁ ଉଦ୍ୟମ ଜାରି ରଖିଛି ପୋଲିସ । ତେବେ ଦଶାହ ଭୋଜି ଖାଇ ପ୍ରାୟ 30 ଲୋକ ପିକଅପ ଭ୍ୟାନରେ ଫେରୁଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି ମୃତକଙ୍କ ମଧ୍ୟରେ ମହିଳା, ଶିଶୁ ଓ ବୟସ୍କ ବ୍ୟକ୍ତି ଅଛନ୍ତି । ଘଟଣାର ତଦନ୍ତ ଜାରି ରହିଛି ।