ପାଟନା: ପବିତ୍ର ଗଙ୍ଗା ଦଶହରାରେ ଘଟିଛି ବଡ ଅଘଟଣ । ବିହାରରେ ଗଙ୍ଗା ନଦୀରେ ବୁଡ ପକାଇ ୪ ଜଣ ନିଖୋଜ ହୋଇଛନ୍ତି । ବିହାରର ଆରା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଅଘଟଣା । ବିହାର ଓ ୟୁପିର ସୀମାବର୍ତ୍ତୀ କ୍ଷେତ୍ର ଶିବପୁର ଗଙ୍ଗା ଘାଟ ନିକଟରେ ଘଟିଛି ଏହି ଅଘଟଣ । ସମସ୍ତ ନିଖୋଜ ଲୋକ ବିହିୟା ଥାନା ଅନ୍ତର୍ଗତ ଖରୋନି ଗାଁରେ ବସବାସ କରୁଥିଲେ । ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ଏସ୍ଡିଆରଏଫର ଟିମ ପୋଲିସ ଓ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ନିଖୋଜ ଥିବା ୪ ଜଣ ବ୍ୟକ୍ତିଙ୍କ ସନ୍ଧାନ କାର୍ଯ୍ୟ ଜାରି ରହିଛି ।
ସୂଚନା ଅନୁସାରେ ଆଜି ସକାଳୁ ଗଙ୍ଗା ଦଶହରା ଅବସରରେ ବରୋହନପୁର ଥାନା ଅନ୍ତର୍ଗତ ଶିବପୁର ଗଙ୍ଗା ଘାଟରେ ଶ୍ରଦ୍ଧାଳୁମାନଙ୍କର ଭିଡ ଜମିଥିଲା । ଶତାଧିକ ଲୋକ ଗଙ୍ଗାରେ ବୁଡ ପକାଇ ସ୍ନାନ କରିଥିଲେ । ଏହି ସମୟରେ ୪ ଜଣ ଲୋକ ବୁଡିଯିବା ଖବର ବ୍ୟାପିବା ମାତ୍ରେ ସେଠାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ ... ଅଧା ରହିଗଲା ଡାକ୍ତର ସ୍ବପ୍ନ, କନ୍ୟାକୁମାରୀରେ ବୁଡି 5 ମେଡିକାଲ ଛାତ୍ରଛାତ୍ରୀଙ୍କ ମୃତ - Medical Students Death
ଚାରି ଜଣ ନିଖୋଜ ହୋଇଥିବା ବ୍ୟକ୍ତିମାନଙ୍କ ପରିଚୟ ଚିହ୍ନଟ ହୋଇ ସାରିଛି । ସେମାନେ ହେଉଛନ୍ତି ଦୀପୁ ଯାଦବ, ସୋନୁ ଯାଦବ, ନିଶୁ ଶର୍ମା ଓ ରାମଜୀ ଗୋଣ୍ଡ । ଭୀଷଣ ଗ୍ରୀଷ୍ମ ପ୍ରବାହ ଓ ପ୍ରଚଣ୍ଡ ଖରା କାରଣରୁ ୪ ଜଣଙ୍କର ଅନୁସନ୍ଧାନ କାର୍ଯ୍ୟରେ ସମସ୍ୟା ଦେଖାଦେଇଛି । ଏସ୍ଡିଆରଏଫ ସହିତ ସ୍ଥାନୀୟ ପହଁରାଳୀଙ୍କ ଟିମ ମଧ୍ୟ ନଦୀରେ ନିଖୋଜ ଥିବା ଲୋକଙ୍କର ଛାନବିନ ଜାରି ରଖିଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ଭିଡ ଜମାଇଥିବା ବେଳେ ନିଖୋଜଙ୍କ ପରିଜନଙ୍କ ମଧ୍ୟରେ ଶୋକ ଓ ଆଶଙ୍କାର ଛାୟା ଖେଳି ଯାଇଛି ।
ଭୋଜପୁରର ଡିଏମ୍ ରାଜକୁମାର କହିଛନ୍ତି, "ଘଟଣାର ସୂଚନା ମିଳିବା କ୍ଷଣି ଜଗଦୀଶପୁରର ଏସଡିଏମ ଓ ଡିଏସପିଙ୍କୁ ଘଟଣାସ୍ଥଳକୁ ପଠାଇ ଦିଆଯାଇଛି । ଅଧିକାରୀମାନେ ସେଠାରେ କ୍ୟାମ୍ପ କରିଛନ୍ତି । ଘଟଣାଟି ୟୁପିର ଲାଲଗଞ୍ଜ ଓପି କ୍ଷେତ୍ରରେ ଘଟିଛି । ୟୁପି ପ୍ରଶାସନକୁ ଏନେଇ ସୂଚନା ଦିଆଯାଇଛି । ଏସଡିଆରଏଫ୍ ଟିମ ଗଙ୍ଗାରେ ନିଖୋଜ ହୋଇଥିବା ଲୋକଙ୍କ ସନ୍ଧାନ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ